ବ୍ରହ୍ମପୁର ସହରରେ ପୁଣି ଏକ ନକଲି ସସ୍ ଫ୍ୟାକ୍ଟ୍ରି ଠାବ

Advertisment
ବ୍ରହ୍ମପୁର ସହରରେ ପୁଣି ଏକ ନକଲି ସସ୍ ଫ୍ୟାକ୍ଟ୍ରି ଠାବ

ଗଞ୍ଜାମ: ବ୍ରହ୍ମପୁର ସହରରେ ପୁଣି ଏକ ନକଲି ସସ୍ ଫ୍ୟାକ୍ଟ୍ରି ଠାବ ହୋଇଛି। ବଡ଼ ବଜାର ଥାନା ଅନ୍ତର୍ଗତ ସୋମନାଥନଗରେ ଚାଲିଥିବା ଏହି ଫ୍ୟାକ୍ଟ୍ରିରେ ପୁଲିସ ଚଢ଼ଉ କରି ବିପୁଳ ପରିମାଣ ସସ୍ ଜବତ କରିଛି। ସେହିପରି ମେସିନ୍ ଓ ଅନ୍ୟ ସାମଗ୍ରୀ ଜବତ ହୋଇଥିବା ଏଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି।

ନକଲି ଖାଦ୍ୟ ସାମଗ୍ରୀର ସହର ପାଲଟିଛି ବ୍ରହ୍ମପୁର ସହର। ଗୋଟିଏ ପରେ ଗୋଟିଏ ନକଲି ଖାଦ୍ୟ ସାମଗ୍ରୀ କାରବାର ପର୍ଦ୍ଦାଫାସ୍ ହେଉଛି। ବଡ଼ ବଜାର ଥାନା ଇଲାକାରୁ ବିଭିନ୍ନ ନକଲି ଖାଦ୍ୟ ସାମଗ୍ରୀ ଠାବ ହୋଇଛି। ଗତ କିଛିଦିନ ତଳେ ଫାଷ୍ଟଗେଟ ଗଣପତିନଗରରେ ଏକ ନକଲି ସସ୍ କାରଖାବା ଠାବ ହୋଇଥିଲା।

ଏହା ପରେ ସୋମନାଥନଗରରୁ ପୁଣି ଏକ ନକଲି ଫ୍ୟାକ୍ଟ୍ରି ଠାବ ହୋଇଛି। ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ଏକ ଟିମ୍ ସେଠାରେ ଚଢ଼ଉ କରି ୨୧୬୬ବୋତଲ ଟମାଟୋ, ଚିଲି, ସୋୟା ସସ୍ ସହିତ ଭିନେଗାର ଜବତ କରିଛି। ସେହିପରି ଗ୍ୟାସ୍ ଷ୍ଟୋଭ୍, ଗ୍ରାଇଣ୍ଡର୍, ୬ଟି ବଡ଼ ପ୍ଲାଷ୍ଟିମ୍ ଡ୍ରମ୍‌ରେ ପ୍ରସ୍ତୁତ ହୋଇ ରହିଥିବା ସସ୍, ଓଜନ ମେସିନ୍ ଓ ମେସିନ୍ ଜବତ ହୋଇଛି। ଫ୍ୟାମିଲି ବ୍ରାଣ୍ଡରେ ଏଠାରେ ନକଲି ସସ୍ ପ୍ରସ୍ତୁତ କରି ବଜାରରେ ବିକ୍ରି କରାଯାଉଥିଲା ବୋଲି ପୁଲିସ କହିଛି। ସସ୍ ତିଆରି ପାଇଁ ରହିଥିବା ୮୦କେଜି ଆଳୁ, ୪ଶହ କେଜି ଆରାରୁଟ୍ ପାଉଡର୍ ଓ ବିପୁଳ ପରିମାଣ ଖାଲି ବୋତଲ ମଧ୍ୟ ଜବତ ହୋଇଛି।

ସେହିପରି ୧ହଜାରରୁ ଅଧିକ ଫ୍ୟାମିଲି ଲେଖା ହୋଇଥିବା ଲେବଲ୍ ମଧ୍ୟ ଜବତ ହୋଇଛି। ଏ ସଂକ୍ରାନ୍ତରେ କୈଳାସନଗରର ଶଙ୍କର ସ୍ବାଇଁ ନାମକ ଜଣେ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe