ଉପଜିଲ୍ଲାପାଳଙ୍କ ନକଲି ଦସ୍ତଖତ କରି ଜମି ବିକ୍ରି ପାଇଁ ଉଦ୍ୟମ: ଦଲାଲ କମ୍ପ୍ୟୁଟର ଦୋକାନୀ ସହ ବାପା-ପୁଅ ଗିରଫ

ଉପଜିଲ୍ଲାପାଳଙ୍କ ନକଲି ଦସ୍ତଖତ କରି ଜମି ବିକ୍ରି ପାଇଁ ଉଦ୍ୟମ: ଦଲାଲ କମ୍ପ୍ୟୁଟର ଦୋକାନୀ ସହ ବାପା-ପୁଅ ଗିରଫ

ଆସିକା: ଗଂଜାମ ଜିଲ୍ଲା ଆସିକା ତହସିଲ ଅନ୍ତର୍ଗତ ପାଣ୍ଡିଆପଥର ପଂଚାୟତର ନାରାୟଣପୁର ଗ୍ରାମର ବାଞ୍ଛା ନାଇକ (୮୫), ତାର ପୁଅ ବିଧାନ ନାଇକ (୪୨), କମ୍ପ୍ୟୁଟର ଦୋକାନୀ ଭଗବାନ ବିଶ୍ୱାଳ (୪୩) ମଧ୍ୟସ୍ଥି ସୁରେଶ ଚନ୍ଦ୍ର ପ୍ରଧାନ (୪୮)ଙ୍କୁ ଆଜି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶ ପ୍ରକାରେ ଏକ ଟିମ ଗିରଫ କରି ଥାନା କେସ ନମ୍ବର ୫୬୯/୨୦ ଆଇପିସି ଧାରା ୪୨୦/୪୬୫/୪୬୬/୪୬୭/୪୬୮/୪୭୧ରେ କୋର୍ଟ ଚାଲାଣ କରିଛି।

ଉପଜିଲ୍ଲାପାଳଙ୍କ ଦସ୍ତଖତ ଓ ସିଲ ଥାଇ ଦଲାଲ ଜରିଆରେ ମେମୋ ନମ୍ବର ଓ ଓ.ଏଲ.ଆର ମିସ କେସ ନମ୍ବର ବ୍ୟବହାର କରୁ ପ୍ରସ୍ତୁତ କରାଯାଇଥବା ଦସ୍ତାବିଜ, ଜାଲି କବଲା, କମ୍ପୁଟର ହାର୍ଡ ଡିସ୍କ, ପ୍ରିଣ୍ଟର, ସ୍କାନର ଜବତ କରିଛି।

ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ଗତ ମାସ ୭ ତାରିଖରେ ଦିଆଯାଇଥିବା ଅଭିଯୋଗ ପ୍ରକାରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ନାରାୟଣପୁରର ବାଞ୍ଛା ନାଇକ ନାମରେ ଥିବା ଜମିକୁ ସେ ଓ ତାର ପୁଅ ବିଧାନ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜିରାବାଡ଼ି ଗ୍ରାମର ସୁରେଶ ଚନ୍ଦ୍ର ପ୍ରଧାନ ସହିତ ମିଶି ଆସିକା କଲେଜ ଛକର ଇପ୍‌ସିତା କମ୍ପ୍ୟୁଟର ସେଣ୍ଟରରେ ନକଲି ଦସ୍ତାବିଜ ପ୍ରସ୍ତୁତ କରିଥିଲେ। ପୂର୍ବରୁ ଏହି କମ୍ପ୍ୟୁଟର ସେଣ୍ଟରରେ ସବୁ ପ୍ରକାର ସରକାରୀ ଦସ୍ତାବିଜର ନକଲ ସହଜରେ ପ୍ରସ୍ତୁତ କରିପାରୁଥିଲେ। ଏଥର ମଧ୍ୟ ଉପଜିଲ୍ଲାପାଳଙ୍କ ନକଲି ଦସ୍ତଖତ କରି ହରିଜନ ଜମି ବିକ୍ରି କରିବା ପାଇଁ ଉପଜିଲ୍ଲାପାଳଙ୍କ ଆଦେଶ ଦେବା ଭଳି ନିର୍ଦେଶ ନାମା ପ୍ରସ୍ତୁତ କରିଥିଲା।

ଆସିକାରେ ଏଭଳି କାର୍ଯ୍ୟ ଚାଲିଥିବା ଖବର ପାଇ ଉପଜିଲ୍ଲାପାଳ ନିଜେ ଘଟଣାର ତଦନ୍ତ କରି ହୋଇଥିବା ନକିଲ କାଗଜପତ୍ର ପାଇବା ପରେ ପୁଲିସରେ ଅଭିଯୋଗ କରିଥିଲେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରୋବେଶନ ଆଇପିଏସ ଜି ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଉପସ୍ଥିତ ଥିଲେ। ଘଟଣାରେ ସାମିଲ ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe