ସମ୍ବଲପୁରରେ ବି ନକଲି ସାମ୍ବାଦିକ ! ସାମ୍ବାଦିକ ପରିଚୟ ଦେଇ ଦାଦାବଟି ଆଦାୟ କରିବା ମହଙ୍ଗା ପଡ଼ିଲା

Advertisment
ସମ୍ବଲପୁରରେ ବି ନକଲି ସାମ୍ବାଦିକ ! ସାମ୍ବାଦିକ ପରିଚୟ ଦେଇ ଦାଦାବଟି ଆଦାୟ କରିବା ମହଙ୍ଗା ପଡ଼ିଲା

ସମ୍ବଲପୁର: ପୂର୍ବରୁ ନିଜକୁ ସାମ୍ବାଦିକ ପରିଚୟ ଦେଇ ଦାଦାବଟି ଆଦାୟ କରୁଥିବା ଭୁବନେଶ୍ବର, ବରଗଡ଼ ଓ ଝାରସୁଗୁଡ଼ାର କିଛି ଯୁବକଙ୍କୁ ପୁଲିସ୍‌ ଗିରଫ କରିଥିବା ସମୟରେ ଏବେ ସମ୍ବଲପୁର ପୁଲିସ୍‌ ପଞ୍ଝାରେ ନକଲି ସାମ୍ବାଦିକ। ନିଜକୁ ୱେବ୍‌ ଚ୍ୟାନେଲର ସାମ୍ବାଦିକ ଭାବେ ପରିଚୟ ଦେବା ସହ ପୁଲିସ୍‌ ଓ ନ୍ୟାୟ ବ୍ୟବସ୍ଥାରେ ଲମ୍ବା ହାତ ଥିବା ଦର୍ଶାଇ ୨ ଯୁବକ ଦାଦାବଟି ଆଦାୟ କରୁଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ବୁର୍ଲା ପୁଲିସ୍‌ ଏକ ମାମଲା ରୁଜୁ କରି ବୁର୍ଲା କଣ୍ଟ୍ରାକ୍ଟର କଲୋନିର ଆନନ୍ଦ ଷଣ୍ଢ(୩୫) ଓ ହୀରାକୁଦ ଥାନା ଖ୍ରୀଷ୍ଟିଆନପଡ଼ାର ଫିଲିପ୍‌ କୁମାର(୪୩)କୁ ଗିରଫ କରିଛି। ଆନନ୍ଦ ନିକଟରୁ ‘ଟୁଡେ ଫାଷ୍ଟ ନିଉଜ୍‌ ଓଡ଼ିଶା’ ଓ ଫିଲିପ୍‌ ନିକଟରୁ ‘ୱାଇଏସ୍‌ଏନ୍‌ ୟୁବା ଶକ୍ତି ନିଉଜ୍‌’ ନାମକ ୨ ୱେବ୍‌ ଚ୍ୟାନେଲ୍‌ର ଆଇକାର୍ଡ ଜବତ କରିଛି। ଉଭୟ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ସମୟରେ ଉକ୍ତ ସଂସ୍ଥା ଦୁଇଟି ପଞ୍ଜିକୃତ ନା ନାହିଁ ତାହାର ଯାଞ୍ଚ କରାଯାଉଥିବା ଏସ୍‌ଡିପିଓ ଶିଶୁରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।

publive-image

ମିଳିଥିବା ସୂଚନା ଅନୁସାରେ ବୁର୍ଲା ଅଞ୍ଚଳର ବୀରେନ୍ଦ୍ର ବଗର୍ତ୍ତୀ ଦୀର୍ଘ ବର୍ଷ ଧରି ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। କିଛି ମାସ ପୂର୍ବେ ଯୁବତୀଙ୍କର ବିବାହ ହୋଇଥିଲା। ଗତ ସପ୍ତାହରେ ଯୁବତୀଜଣଙ୍କ ବୁର୍ଲାର ଏକ ମନ୍ଦିର ପାଖକୁ ଯାଇଥିବା ସମୟରେ ସେଠାରେ ବୀରେନ୍ଦ୍ର ସହ ତାଙ୍କର ଦେଖା ହୋଇଥିଲା। ଯୁବତୀ ଅନ୍ୟତ୍ର ବିବାହ କରିଥିବାରୁ ବୀରେନ୍ଦ୍ର ମନ୍ଦିର ବାହାରେ ତାଙ୍କୁ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲା। ଏନେଇ ଯୁବତୀଜଣଙ୍କ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ବୀରେନ୍ଦ୍ର ବିରୋଧରେ ଏକ ମାମଲା ରୁଜୁ କରିବା ସହ ତାକୁ ଅଟକ ରଖିଥିଲା। ତେବେ ଯୁବତୀଙ୍କ ପକ୍ଷ ମଧ୍ୟ ମାମଲାର ସମାଧାନ କରିବାକୁ ଇଚ୍ଛା ପ୍ରକାଶ କରିବାରୁ ପୁଲିସ୍‌ ବୀରେନ୍ଦ୍ରକୁ ସିଆର୍‌ପିସି ୪୧ରେ ନୋଟିସ୍‌ ଜାରି କରି ଛାଡ଼ି ଦେଇଥିଲା। ଏହା ପରଠାରୁ ଉଭୟ ଅଭିଯୁକ୍ତ ଆନନ୍ଦ ଓ ଫିଲିପ୍‌ ଏହି ମାମଲାକୁ ନେଇ ବାରମ୍ବାର ବୀରେନ୍ଦ୍ର ଉପରେ ଚାପ ପକାଉଥିଲେ।

publive-image

ମଙ୍ଗଳବାର ବୀରେନ୍ଦ୍ର ଓ ତା’ ମା’ ବଜାରକୁ ଆସିଥିବା ସମୟରେ ପୁଣି ଏହି ୨ ଯୁବକ ସେମାନଙ୍କୁ ଅଟକାଇ ଉକ୍ତ ଯୁବତୀଙ୍କୁ କହି ତାଙ୍କ ନାମରେ ଦୁଷ୍କର୍ମ ମାମଲା ରୁଜୁ କରାଇଦେବେ ବୋଲି ଧମକ ଦେଇଥିଲେ। ଯଦି ଏହି ମାମଲାରୁ ବର୍ତ୍ତିବାକୁ ଚାହୁଁଛନ୍ତି ତେବେ ୫୦ ହଜାର ଟଙ୍କା ଖର୍ଚ୍ଚ ଦେବାକୁ ମାଗିଥିଲେ। ମାତ୍ର ଯୁବତୀ ଜଣଙ୍କ ତା’ ବିରୋଧରେ ଆଣିଥିବା ମାମଲାର ସମାଧାନ ହୋଇଯାଇଥିବାରୁ ସେ ଟଙ୍କା ଦେବାକୁ ମନା କରିଥିଲେ। ଏହାପରେ ଉଭୟ ବୀରେନ୍ଦ୍ର ଓ ତା ମା’ ବୁର୍ଲା ଥାନାରେ ଯାଇ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe