ଉତ୍କଟ ହେଲାଣି ଘରୋଇ ହିଂସା, ବର୍ଷକୁ ୨ ହଜାର ଅଭିଯୋଗ, ଜଗତସିଂହପୁର ଥାନାରେ ସର୍ବାଧିକ ପରକୀୟା ପ୍ରୀତି

Advertisment

ଯୌତୁକ ନିର୍ଯାତନା, ଘରୋଇ କଳି ପ୍ରମୁଖ କାରଣ

ଯୌତୁକ ନିର୍ଯାତନା, ଘରୋଇ କଳି ପ୍ରମୁଖ କାରଣ

ଉତ୍କଟ ହେଲାଣି ଘରୋଇ ହିଂସା,  ବର୍ଷକୁ ୨ ହଜାର ଅଭିଯୋଗ, ଜଗତସିଂହପୁର ଥାନାରେ ସର୍ବାଧିକ ପରକୀୟା ପ୍ରୀତି

Sambad

ଜଗତସ୍ଂହପୁର ଟାଉନ୍: କଟକ ସଦର ଥାନା ଅଞ୍ଚଳର ରଞ୍ଜିତା ପ୍ରଧାନ ବୈଦିକ ରୀତିରେ ଜଗତସିଂହପୁର ପୌରାଞ୍ଚଳ ପାଣିଶାଳିଆର ରମେଶ ପ୍ରଧାନଙ୍କୁ ୨୦୨୧ ମାର୍ଚ୍ଚ ୧୦ ତାରିଖରେ ବିବାହ କରିଥିଲେ। ରମେଶ ପୂର୍ବରୁ ବିବାହିତ ଓ ତାଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି। ପରିବାର ଲୋକ ଯୌତୁକ ନିର୍ଯାତନା ଦେଉଥିବା ନେଇ ଜଗତସିଂହପୁର ଥାନାରେ ଅଭିଯୋଗ ଆଣିବା ପରେ ପୁଲିସ ରୁଜୁ କରିଥିଲା ମାମଲା। ସେହିପରି ଗତ ଜୁନ୍ ୧୯ ତାରିଖରେ ପାରିବାରିକ କଳହକୁ ନେଇ ଜଗତସିଂହପୁର ପୌରାଞ୍ଚଳ ଶ୍ରୀକୃଷ୍ଣ ଏକାଡେମୀ ନିକଟରେ ରହୁଥିବା ମହିଳା ଚିଙ୍କି ସିଂ ନିଜ ହାତ କାଟି ଗୁରୁତର ହୋଇଥିଲେ। ୟେ ହେଇଛି ଘରୋଇ ହିଂସାର ଦୁଇଟି ଉଦାହରଣ ମାତ୍ର। କିନ୍ତୁ ଜଗତସିଂହପୁର ଜିଲ୍ଲାରେ ଘରୋଇ ହିଂସା ଏବେ ଉତ୍କଟ ରୂପ ନେଉଛି। କେଉଁଠି ବୈବାହିକ ଜୀବନରେ କଳହକୁ ନେଇ ତ ଆଉ କେଉଁଠି ଯୌତୁକ ନିର୍ଯାତନା। ଏପରିକି ପରକୀୟା ପ୍ରୀତି ଘରୋଇ ହିଂସାର ଆଉ ଏକ ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। ମାମଲା ସଂଖ୍ୟା ବୃଦ୍ଧି ପୁଲିସ ପାଇଁ ଚିନ୍ତାର କାରଣ ସାଜିଛି। କେବଳ ମହିଳା ନୁହନ୍ତି ପୁରୁଷ ମଧ୍ୟ ନିର୍ଯାତନାରୁ ବାଦ୍ ପଡ଼ୁ ନାହାନ୍ତି। ବର୍ଷକୁ ଜିଲ୍ଲାରେ ଆସୁଥିବା ଅଭିଯୋଗ ବି ଚମକାଇ ଦେଲାଭଳି।

ସୂଚନା ଅନୁସାରେ, ଜଗତସିଂହପୁର ଥାନାକୁ ପ୍ରତି ଦିନ ଘରୋଇ ହିଂସା, ଯୌତୁକ ନିର୍ଯାତନା ଭଳି ଗୋଟିଏରୁ ଦୁଇଟି ଅଭିଯୋଗ ଆସୁଛି। ମାସକୁ ପ୍ରାୟ ୫୦ ଓ ବର୍ଷକୁ ୫ ଶହରୁ ଅଧିକ ଅଭିଯୋଗ ଆସୁଛି। ଗତ ଦେଢ଼ ମାସର ତଥ୍ୟ ଉପରେ ନଜର ପକାଇଲେ ଜଗତସିଂହପୁର ଥାନା ପୁଲିସ ୧୧ଟି ମାମଲା ରୁଜୁ କରିଥିବା ବେଳେ, କୁଜଙ୍ଗ ଓ ତିର୍ତ୍ତୋଲ ଥାନାରେ ୬, ବାଲିକୁଦାରେ ୫, ବିରିଡ଼ି ଓ ଏରସମାରେ ୪, ରଘୁନାଥପୁରରେ ଘରୋଇ ହିଂସାକୁ ନେଇ ୩ଟି ମାମଲା ରୁଜୁ ହୋଇଛି। ଏହା ବାଦ୍ କୋର୍ଟରେ ପୂର୍ବରୁ ବିବାହ ବିଚ୍ଛେଦ, ପାରିବାରିକ ମାମଲା ଥାଇ ମାରପିଟ୍, ଆକ୍ରମଣ, ଧମକ ଭଳି ମାମଲା ମଧ୍ୟ ରୁଜୁ ହୋଇଛି। ଜିଲ୍ଲାର ୧୨ଟି ଥାନାକୁ ବର୍ଷକୁ ପ୍ରାୟ ୨ ହଜାର ଅଭିଯୋଗ ଆସୁଥିବା ଅନୁମାନ କରାଯାଉଛି। ଆନୁମାନିକ ବିଭିନ୍ନ ଥାନାରେ ବର୍ଷକୁ ୫ ଶହରୁ ଅଧିକ ଏପରି ମାମଲା ରୁଜୁ ହେଉଥିବା ବେଳେ ବାକି ଆପୋସ ସମାଧାନ, କାଉନସେଲିଂ ଓ ଅଭିଯୋଗକାରୀ ପ୍ରତ୍ୟାହାର କରି ନେଉଥିବା ଜଣାପଡ଼ିଛି। କିନ୍ତୁ ଅନେକ ଯୌତୁକ ମାମଲାରେ ପୁଲିସକୁ ମହିଳାଙ୍କ ଯୌତୁକ ସାମଗ୍ରୀ ଜବତ କରିବାରେ ନାକେଦମ୍ ହେବାକୁ ପଡ଼ୁଛି। କେତେକ ସ୍ଥାନରେ ଯୌତୁକ ସାମଗ୍ରୀ ଠାରୁ ଅଧିକ ଦାବି କରୁଛନ୍ତି ଅଭିଯୋଗକାରୀ ମହିଳାଙ୍କ ବାପ ଘର ଲୋକ। ମନସ୍ତତ୍ତ୍ବବିତ ଡାକ୍ତର ଅମ୍ରିତ ପାଟ୍ଟଯୋଶୀଙ୍କ କହିବା ଅନୁସାରେ, ଦମ୍ପତିଙ୍କ ମଧ୍ୟରେ ବହୁଦିନ ଧରି ବିବାଦ, କଳି, ଗଣ୍ଡଗୋଳ ଲାଗି ରହୁଥିବାରୁ ଏହାର କୁପ୍ରଭାବ ପିଲାମାନଙ୍କ ଉପରେ ପଡ଼େ। ପିଲାମାନେ ଅବହେଳିତ ହୁଅନ୍ତି। ଦମ୍ପତିଙ୍କ ଧ୍ୟାନ ପିଲାମାଲଙ୍କ ଉପରୁ ହଟିଯାଏ। ଯାହା ଫଳରେ ପିଲାମାନେ ଅବସାଦରେ ରୁହନ୍ତି। ମୋବାଇଲ ଓ ଇଣ୍ଟରନେଟରେ ଅଧିକ ସମୟ ବିତାନ୍ତି। ଏପରିକି ଅନେକ ପିଲା ନିଶାଗ୍ରସ୍ତ ମଧ୍ୟ ହୋଇଯାଆନ୍ତି। ଯାହାଫଳରେ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଏ। ତେଣୁ ବାପା, ମା ଏଥିପ୍ରତି ମଧ୍ୟ ନଜର ଦେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe