ଭତ୍ତା ଟଙ୍କା, ରାସନ କାର୍ଡ ଚାଉଳରେ ପରିବାର ଚଳେ

Advertisment

ତଥାପି ମିଳୁନି ଭିନ୍ନକ୍ଷମଙ୍କୁ ସରକାରୀ ଆବାସ!

ତଥାପି ମିଳୁନି ଭିନ୍ନକ୍ଷମଙ୍କୁ ସରକାରୀ ଆବାସ!

ଭତ୍ତା ଟଙ୍କା, ରାସନ କାର୍ଡ ଚାଉଳରେ ପରିବାର ଚଳେ

Sambad

ଡମପଡ଼ା: ଗରିବ, ଅସହାୟ, ଭିନ୍ନକ୍ଷମଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ସେମାନଙ୍କୁ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ହେଲେ, ଜଣେ ଅସହାୟ ଭିନ୍ନକ୍ଷମଙ୍କ ପରିବାର ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହେବାର ବିକଳ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ-ଡମପଡ଼ା ବ୍ଲକ୍‌ ଅନ୍ତର୍ଗତ ପାଥପୁର ପଞ୍ଚାୟତରେ। ପାଥପୁର ପଞ୍ଚାୟତ କଇଁମୁଣ୍ଡି ୧୬ ନମ୍ବର ୱାର୍ଡରେ ବସବାସ କରନ୍ତି ସୁକାନ୍ତି ରାଉତ (୩୫)ଙ୍କ ପରିବାର। ଭିନ୍ନକ୍ଷମ ସ୍ୱାମୀ, ୯ ବର୍ଷର ପୁଅ ଓ ୪ ବର୍ଷର ଝିଅଙ୍କୁ ନେଇ ସୁକାନ୍ତିଙ୍କ ପରିବାର। ସ୍ୱାମୀ ଅଜୟ ରାଉତ (୪୮) ପୋଲିଓ ରୋଗରେ ଆକ୍ରାନ୍ତ। ବିଲବାଡ଼ି କିଛି ନାହିଁ। ରାସନ କାର୍ଡରେ ମିଳୁଥିବା ୧୫ କିଲୋ ଚାଉଳ ଓ ସ୍ୱାମୀଙ୍କ ଭତ୍ତା ଟଙ୍କାରେ ଅତ୍ୟନ୍ତ କଷ୍ଟରେ ପରିବାର ଚଳେ। ଅନେକ ସମୟରେ ଉପାସରେ ରହିବାକୁ ବାଧ୍ୟ ହେଉଥିବା ଏହି ପରିବାର ବଖୁରାଏ ଭଙ୍ଗା ଦଦରା ଫଟା ଟାଇଲରେ ପଲିଥିନ୍‌ ଟାଣି ରୁହନ୍ତି। ବର୍ଷା ହେଲେ ଘର ଭିତରେ ପାଣି ଭର୍ତ୍ତି ହୋଇଯାଏ।

ରାତିସାରା ଛୋଟଛୋଟ ପିଲାଙ୍କ ସହ ଅନିଦ୍ରା ରୁହନ୍ତି ସୁକାନ୍ତି ଓ ଅଜୟ। ସରକାରୀ ଆବାସ ଯୋଜନାରେ ଘର ଖଣ୍ଡିଏ ଓ ଅନ୍ତ୍ୟୋଦୟ ଯୋଜନାରେ ୩୫ କିଲୋ ଚାଉଳ ଯୋଗାଇ ଦେବା ଲାଗି ସେମାନେ ପଞ୍ଚାୟତ ଲୋକପ୍ରତିନିଧି, ସ୍ଥାନୀୟ ନେତା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବ୍ଲକ୍‌ ପ୍ରଶାସନ ନିକଟରେ ବହୁବାର ଆବେଦନ କରିବା ସହ ନେହୁରା ହୋଇଛନ୍ତି। ନିର୍ବାଚନ ସମୟରେ ଭୋଟ୍‌ଭିକ୍ଷା କରିବାକୁ ଆସୁଥିବା ବିଭିନ୍ନ ଦଳର ନେତା ଘର ଖଣ୍ଡିଏ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦିଅନ୍ତି। ଏହାପରେ କୌଣସି ପଦାଧିକାରୀ ସେମାନଙ୍କ କଥାକୁ କର୍ଣ୍ଣପାତ କରିନାହାନ୍ତି ବୋଲି କୋହଭରା କଣ୍ଠରେ କୁହନ୍ତି ସୁକାନ୍ତି। ସରକାରୀ ଆବାସ ଯୋଜନାରେ ଘର ଖଣ୍ଡିଏ ନ ମିଳିଲେ ଆଗାମୀ ଦିନରେ ଡମପଡ଼ା ବ୍ଲକ୍‌ କାର୍ଯ୍ୟାଳୟ କିମ୍ବା ରାଜରାସ୍ତାରେ ପରିବାର ସହ ଧାରଣାରେ ବସିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe