ତହସିଲ ଅଫିସ୍‌ରେ ତାଲା ପକାଇଲେ ଚାଷୀ, ୯ ଘଣ୍ଟା ଧରି ଭିତରେ ରହିଲେ କର୍ମଚାରୀ

Advertisment
ତହସିଲ ଅଫିସ୍‌ରେ ତାଲା ପକାଇଲେ ଚାଷୀ, ୯ ଘଣ୍ଟା ଧରି ଭିତରେ ରହିଲେ କର୍ମଚାରୀ

କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧୀନ କୋଟଗାଁ ଧାନ ମଣ୍ଡିରେ ଧାନ କିଣାବିକା ଦାୟିତ୍ୱରେ ଏସ୍‌ଏଚ୍‌ଜି ଗୋଷ୍ଠୀ ରହିଥିବାରୁ ଚାଷୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ମଣ୍ଡି ପରିଚାଳନା ଦାୟିତ୍ୱ ଠିକ୍‌ ଭାବେ ନିର୍ବାହ କରିପାରୁ ନଥିବାରୁ ଚାଷୀ ବହୁ ହଇରାଣ ହେଉଛନ୍ତି। ଏନେଇ ପୂର୍ବରୁ ବହୁବାର ଅଭିଯୋଗ କରାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଚାଷୀମାନେ ଆଜି ତହସିଲ ଅଫିସ୍‌ ଆଗରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହ ତହସିଲ ଅଫିସ୍‌ ତାଲା ପକାଇ ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ।

ତେବେ ଚଳିତ ମାସ ୧୫ ତାରିଖ ଠାରୁ ଆଗାମୀ ଖରିଫ ଫସଲ ଧାନ ବିକ୍ରି କରିବା ପାଇଁ ଚାଷୀ ପଞ୍ଜୀକରଣ ଆରମ୍ଭ ‌ହୋଇଛି। ତଥାପି ପ୍ରଶାସନ ଚୁପ୍‌ ରହିଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ପରେ ତହସିଲଦାର ରୁଦ୍ରମୋହନ ନାଏକ ଯୋଗାଣ ବିଭାଗ ଅଧିକାରୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଚାଷୀମାନେ ନିଜ ଜିଦ୍‌ରେ ଅଡ଼ିବସି ଲିଖିତ ପ୍ରତିଶ୍ରୁତି ଦେବାକୁ କହି ଅଫିସ୍‌ର ମୁଖ୍ୟ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ଫଳରେ କର୍ମଚାରୀମାନେ ସକାଳ ସାଢ଼େ ୧0ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଅଫିସ୍‌ ମଧ୍ୟରେ ରହିଯାଇଥିଲେ। ତଥାପି କୌଣସି ଜିଲ୍ଲାସ୍ତରୀୟ ଅଧିକାରୀ ଅଫିସ୍‌କୁ ଆସିନଥିବାରୁ ଅସନ୍ତୋଷ ପ୍ରକାଶ କରି ଅଫିସ୍‌ ତାଲା ଖୋଲି ଦେଇଥିଲେ। ଗୁରୁବାର ପୁଣି ଧାରଣା କରାଯିବ ବୋଲି ସୂଚନା ଦେଇ ପ୍ରଶାସନ ତୁରନ୍ତ ଏନେଇ ପଦକ୍ଷେପ ନନେଲେ ଆଗାମୀ ଦିନରେ ଜୋର୍‌ଦାର୍ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe