ସାଲେପୁର: ଚାଷ ଜମି ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ଲାଗି ରବିବାର ଅପରାହ୍ଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳରେ ଆଜି ଅପରାହ୍ଣ ୨ଟାରେ ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ ଚିକୋଳ ପଞ୍ଚାୟତ ଅନ୍ତର୍ଗତ ପୂର୍ବବଣହରା ଗ୍ରାମର ଚାଷୀ ଗଗନ ବିହାରୀ ମଲ୍ଲିକ (୫୩) ଧାନ କାଟିବା ପାଇଁ ଆଜି ବିଲକୁ ଯାଇଥିଲେ। ଧାନ କାଟିବା ପୂର୍ବରୁ ସେ ଧାନକୁ ଲାଠି ସାହାଯ୍ୟରେ ମଡାଉଥିଲେ। ଏହି ସମୟରେ ସେ କ୍ଷେତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ସେ ଗୁରୁତର ହୋଇଥିଲେ। ଗଗନ ବିହାରୀ ମଲ୍ଲିକଙ୍କୁ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ହସ୍ପିଟାଲରେ ପହଂଚିବା ପରେ ଗଗନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଗଗନଙ୍କ ମୃତ୍ୟୁ ପରେ ଗାଁଲୋକେ କ୍ଷତିପୂରଣ ଦାବିରେ ସନ୍ଧ୍ୟାରେ କୁଳିଆ ବଜାରଠାରେ କଟକ-ଚାନ୍ଦବାଲି ରାସ୍ତାରୋକ କରିଥିଲେ। ପୁଲିସ ପହଂଚି ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ବନ୍ଦ କରାଯାଇଥିଲା।
Follow Us