Sambad
ପ୍ରତାପୁର: ଗଞ୍ଜାମ ଜିଲ୍ଲା ତାରସିଂହ ଥାନା ଗେରେଡ଼ା-କ୍ଷେତମୁଣ୍ଡଳୀ ଗ୍ରାମ ରାସ୍ତାରେ ବୁଧବାର ରାତିରେ ଜଣେ ଚାଷୀ ହାତୀ ଘଉଡ଼ାଇବାକୁ ଯାଇ ପ୍ରାଣ ହରାଇଛନ୍ତି। ମୃତକଜଣକ ହେଲେ, ଗେରେଡ଼ା ଗ୍ରାମର କୃଷ୍ଣ ଗୌଡ଼ (୪୫)। କିଛି ଦିନ ହେଲା ତାରସିଂହ ଥାନା ଇଲାକାରେ ହାତୀପଲ ଉପଦ୍ରବ ବୃଦ୍ଧି ପାଉଥିବାରୁ ଚାଷୀମାନେ ଫସଲ ସୁରକ୍ଷା ପାଇଁ ଜମିରେ ଗଛ ଉପରେ ମଞ୍ଚା କରି ରହୁଛନ୍ତି। ବୁଧବାର ରାତି ୯ଟାରେ କୃଷ୍ଣ ମଧ୍ୟ ମଞ୍ଚା ଉପରେ ହାତୀଙ୍କ ଗତିବିଧି ଲକ୍ଷ୍ୟ କରିବାକୁ ଜଗିଥିଲେ। କିନ୍ତୁ ଆଜି ଗୁରୁବାର ସକାଳେ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାରବର୍ଗ ଖୋଜାଖୋଜି କରିବା ବେଳେ ମଞ୍ଚା ତଳେ ଥିବା ଏକ ଜଳାଶୟରେ କୃଷ୍ଣଙ୍କ ଶବ ଭାସୁଥିଲା। ଗେରେଡ଼ା ସରପଞ୍ଚ ପ୍ରଦୀପ ସେଠୀଙ୍କ ଉପସ୍ଥିତିରେ ତାରସିଂହ ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଇଥିଲା।
କୃଷ୍ଣଙ୍କୁ ହାତୀ ମଞ୍ଚାରୁ ଟାଣି ଆଣି କଚାଡ଼ି ମାରିଥିବା କିମ୍ବା ହାତୀ ଘଉଡ଼ାଇବାକୁ ଆସିବା ବେଳେ ଜଳାଶୟରେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ପରିବାରବର୍ଗ ଏବଂ ଗ୍ରାମବାସୀ କହିଛନ୍ତି। ଏହାର ତଦନ୍ତ ଦାବି କରାଯାଇଛି। ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା କହିଛନ୍ତି, ହାତୀପଲ ଘଉଡ଼ାଇବା ପାଇଁ ବନ ବିଭାଗ କର୍ମଚାରୀ ନିୟୋଜିତ ଅଛନ୍ତି। ତେବେ ହାତୀର ପାଦଚିହ୍ନ, ମୃତ ବ୍ୟକ୍ତିଙ୍କ କ୍ଷତ ଚିହ୍ନ ଅନୁଧ୍ୟାନ ଓ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ କୃଷ୍ଣଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ସେ କହିଛନ୍ତି।
Follow Us