ଭଦ୍ରକ: ସରକାରୀ ସାର କଳାବଜାରରେ ବିକ୍ରି, ଚାଷୀ ହତାଶ

Advertisment
ଚାଷୀଙ୍କ ଖାତାରେ ପହଞ୍ଚିବ ସାର ସବ୍‌ସିଡି

Representative image

ଭଦ୍ରକ: ଜିଲ୍ଲାରେ ଚାଷୀଙ୍କୁ ସରକାରଙ୍କ ଧାର୍ଯ୍ୟ ମୂଲରେ ସାର ଯୋଗାଣ କରାଯାଉ ନାହିଁ। ସରକାରୀ ସାର କଳା ବଜାରାର ବିକ୍ରି ହେଉଥିବା ବେଳେ ଚାଷୀ ଏଇ ସାରକୁ କଳାବଜାରରେ ଚଢା ଦରରେ କିଣୁଛି। ସରକାରୀ ସାରକୁ କଳାବଜାରରେ ମାଫିଆଙ୍କୁ ବିକ୍ରି କରି ସରକାରୀ ବାବୁ ଓ ସମବାୟ ସମିତିର ସଂପାଦକମାନେ ମାଲେମାଲ ହେଉଥିବା ବେଳେ ଜିଲ୍ଲାରେ ଚାଷୀ ଚଢା ଦରରେ ସାର କିଣି  ହତାଶ ହେଉଛି। ଭଦ୍ରକ ଜିଲ୍ଲାର ଚାଷୀ ଶୋଷଣ ହେଉଥିବା ବେଳେ ଏଥିପ୍ରତି ପ୍ରଶାସନ ଆଖିବୁଜି ବସିଛି।

ଚାଷୀର ଏଇ  ସମସ୍ୟା ସଂପର୍କରେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଜିଲ୍ଲା କୃଷି ଅଧିକାରୀଙ୍କ ପର୍ଯ୍ୟନ୍ତ କେହି ବୁଝିବାର ନାହିଁ।  ସାର  କଳା ବଜାରି କରୁଥିବା ଦଲାଲଙ୍କୁ ଗିରଫ କରାଯାଉ ବୋଲି  ନବ ନିର୍ମାଣ କୃଷକ ସଂଗଠନ ଦାବି କରିଛି।  ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟରେ ଓ ଉପଯୁକ୍ତ ସମୟରେ ସାର ଯୋଗାଣ କରାନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

ପ୍ରକାଶ ଥାଉକି, ଲଘୁଚାପ ବର୍ଷା ପରେ ପରେ ଜିଲ୍ଲାରେ ଚାଷ କାମ ଆଗେଇ ଚାଲିଛି। ଚଳିତ ବର୍ଷ ଜିଲ୍ଲାରେ ୧୬ ହଜାର ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ଲଘୁଚାପ ବର୍ଷ ବିଶେଷକରି ଜିଲ୍ଲାର ଚାନ୍ଦବାଲି, ତିହିଡି, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକରେ ଅନେକ ଧାନ ଚାଷ ନଷ୍ଟ କରି ଦେଇଛି। ବୈତରଣୀ ନଦୀର ବନ୍ୟା ଜଳ ଏଇସବୁ ବ୍ଲକରେ ବ୍ୟାପକ ଚାଷ ଜମି ନଷ୍ଟ କରି ଦେଇଥିବା ବେଳେ ଆଉ ଯାହା ଚାଷ ଜମି ରହିଥିଲା। ଚାଷୀ ଏବେ ତାର କ୍ଷେତକୁ ପୁଣି ଚାଷ କାମ କରିବାକୁ ବାହାରି ପଡିଛି। ରୁଆ ବିଲ ଓ ବୁଣା ବିଲରେ ଯେଉଁସବୁ ଧାନ ଗଛ ଥିଲା। ତାହାକୁ ସାର ପକାଇ ପୁଣି ଉଠାଇବାକୁ ଉଦ୍ୟମ ଆରମ୍ଭ କରିଛି।

ଜିଲ୍ଲାର ଚାଷୀଙ୍କୁ କିନ୍ତୁ ତାର ଆବଶ୍ୟକତା ଅନୁଯାୟୀ ସାର ସମବାୟ ସମିତି କିମ୍ବା ଡିଲରମାନେ ଯୋଗାଣ କରି ପାରୁ ନାହାନ୍ତି। କୃଷି ବିଭାଗର  ନିୟମ ରହିଛି ବସ୍ତାରେ ଯାହା ମୂଲ୍ୟ ଲେଖାଯାଇଥିବ, ସେହି ମୂଲ୍ୟରେ ଚାଷୀଙ୍କୁ ସାର ବିକ୍ରୟ କରାଯିବ। ମାତ୍ର ସ୍ଥଳ ବିଶେଷରେ ଦେଖା ଯାଉଛି ଚାଷୀଙ୍କୁ ଚଢା ଦରରେ ସାର ବିକ୍ରି କରାଯାଉଛି।

ସରକାର ୟୁରିଆ ସାରର ମୂଲ୍ୟ  ୪୫ କେଜିକୁ  ୨୬୬ ଟଙ୍କା ୫୦ ପଇସା ମୂଲ୍ୟ ନିର୍ଦ୍ଧାରଣ କରିଥିବା ବେଳେ  ଡିଏପି ସାର ୫୦ କେଜି ପ୍ରତି  ୧୨୦୦ ଟଙ୍କା, ପଟାସ ୫୦ କେଜି ପ୍ରତି ୯୭୫ ଟଙ୍କା,  ଏନଓପି ୫୦ କେଜି ପ୍ରତି ୮୭୫ ଟଙ୍କା ଓ  ଏସଓପି ୫୦ କେଜି ପ୍ରତି ୫୪୦ ଟଙ୍କା ମୂଲ୍ୟ ରଖାଯାଇଛି। ମାତ୍ର ଜଣେ ଚାଷୀ ସାର କିଣିବା ବେଳକୁ ଏହାଠାରୁ ଢେର ଅଧିକ ମୂଲ୍ୟ ଦେଇ ସାର କିଣୁଛି।  ସବୁଠାରୁ ବଡ କଥା ହେଲା ସମବାୟ ସଂସ୍ଥା ଗୁଡିକ ସାର ଆଣୁ ନଥିବାରୁ ଚାଷୀ ହତାଶ ହୋଇଛି। ଜିଲ୍ଲା କୃଷି ବିଭାଗ ପକ୍ଷରୁ  ୨୦୨୦ – ୨୧ ଖରିଫ୍ ଚାଷ ପାଇଁ ମୋଟ ୪୨ ହଜାର ୮୦୦ ମେଟ୍ରିକ୍ ଟନ୍ ସାର ଆଣିବାକୁ ଟାର୍ଗେଟ୍  ରଖିଥିଲା।

ଗତ ଅଗଷ୍ଟ ଶେଷ ସୁଦ୍ଧା ଏଇ ଟାର୍ଗେଟରୁ ଜିଲ୍ଲାକୁ ମାତ୍ର ୨୪ ହଜାର ମେଟ୍ରିକ୍ ଟନ୍ ସାର ପହଞ୍ଚିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ୫ ହଜାର ମେଟ୍ରିକ୍ ଟନ୍ ସାର ଆସିଛି। ଜିଲ୍ଲାକୁ ଏବେ ସୁଦ୍ଧା ପ୍ରାୟ ୩୧ ହଜାର ମେଟ୍ରିକ୍ ଟନ୍ ସାର ଆସିଥିବା ବେଳେ ଆହୁରି ୧୨ ହଜାର ମେଟ୍ରିକ୍ ଟନ୍  ସାର ଆସିବାକୁ  ରହିଛି। ସାର ଠିକ୍ ଭାବେ ଆସି ପାରୁ ନଥିବାରୁ ଏହାକୁ ନଇେ  ଚାଷୀ କଳାବଜାର‌ରୁ ସାର କିଣୁଥିବା ନେଇ ଅଭିଯୋଗ କରିଛି। ଏବେ ୫୦ ପ୍ରତିଶତ ଚାଷ କାମ ଚାଷୀ ଶେଷ କରି ଦେଇଥିବା ବେଳେ ଏବେ ସେମାନେ  ବିଲରେ ସାର ପକାଇବାକୁ ଖୋଜିଲା ବେଳକୁ ସାର ମିଳୁ ନାହିଁ।

ଜିଲ୍ଲାକୁ ଆସିବାକୁ ଥିବା ୪୨ ହଜାର ୮୦୦ ମେଟ୍ରିକ୍ ଟନ୍ ସାର ମଧ୍ୟରୁ  ୟୁରିଆ  ୧୫ ହଜାର ୫୦୦ ମେଟ୍ରିକ୍ ଟନ୍, ଡିଏପି  ୧୧ ହଜାର  ୮୦୦ ମେଟ୍ରିକ୍ ଟନ୍, ପଟାସ  ୫ ହଜାର ୫୦୦ ମେଟ୍ରିକ୍ ଟନ୍,  ଏସଓପି ୭୦୦ ମେଟ୍ରିକ୍ ଟନ୍ ଓ ଅନ୍ୟାନ୍ୟ ସାର  ୧୦ ହଜର  ୩୦୦ ମେଟ୍ରିକ୍ ଟନ୍ ଆସିବାକୁ ଟାର୍ଗେଟ ରହିଥିଲା।  ଆସିବାକୁ ଥିବା ଏଇ ଟାର୍ଗେଟ ସାରରୁ  ଜିଲ୍ଲାର ୧୦୮ ସମବାର୍ ସମିତି  ଚଳିତ ବର୍ଷ ୧୧ ହଜାର  ମେଟ୍ରିକ୍ ଟନ୍ ସାର ଉଠାଇ ଚାଷୀଙ୍କୁ ପ୍ରଦାନ କରିବା କଥା।  ଏଥିରୁ ୧୦୫  ଟି  ସମବାୟ ସଂସ୍ଥା  ମାଧ୍ୟମରେ  ଅଗଷ୍ଟ ମାସ ସୁଦ୍ଧା ୧୭୪୨ କୁଇଣ୍ଟ‌ାଲ ସାର ଊଠାଣ କରିଥିଲେ। ଅବଶିଷ୍ଟ ୯ ହଜାର ମେଟ୍ରିକ୍ ଟନ୍ ସାର ସମବାୟ ସମତି କେବେ ଊଠାଇ ଚାଷୀଙ୍କୁ ପ୍ରଦାନ କରିବ ତାହାକୁ ନଇ ଚାଷୀ ପ୍ରଶ୍ନ ଉଠାଇଛନ୍ତି।

ସେହିପରି  ଜିଲ୍ଲାର ୩୯୩  ଜଣ ଡିଲର  ସାର ଉଠାଇ ଚାଷୀଙ୍କୁ ଯୋଗାଣ କରିବେ ବୋଲି  ସେମାନଙ୍କୁ କୃଷିବ ବିଭାଗ ଲାଇସେନସ୍ ପ୍ରଦାନ କରିଥିଲା।  ସମିତି ସଂପାଦକମାନଙ୍କୁ ସାର ସଂପର୍କରେ ଚ‌ାଷୀ ପଚାରିବାରୁ କିଛି ଚାଷୀ  ସାର ଉଠାଯାଇ ନାହିଁ ବୋଲି କହୁଥିବା ବେଳେ  ଆଉ କିଛି ସମବାୟ ସମିତିର ସଂପାଦକ କହୁଛନ୍ତି ସାର  ରଖିବା ପାଇଁ ଗୋଦାମ ଘର ନଥିବାରୁ ସମବାୟ ସମିତିକୁ ସାର ଗୋଦାମରୁ ଆଣୁ ନାହୁଁ ବ‌ୋଲି କହୁଛନ୍ତି। ଭଦ୍ରକ ଜିଲ୍ଲାରେ ଭଦ୍ରକ, ବନ୍ତ, ଚାନ୍ଦବାଲି, ବାସୁଦେବପୁର, ତିହିଡି, ଧାମନଗର, ଭଣ୍ଡାରିପୋଖରୀ ଆଦି ବ୍ଲକରେ ଅଧିକାଂଶ ସମବାୟ ସମିତି ସାର ଉଠାଣ କରି  ଚାଷୀଙ୍କୁ ଠିକ୍ ସମୟରେ ଦେଉ ନଥିବା ଚାଷୀ ଅଭିଯୋଗ କରିଛି।   ସମବାର୍ ସଂସ୍ଥା ମଣ୍ଡିରେ ଧାନ କିଣିଲା ବେଳେ ସଂପାଦକ  ଯେମିତି ଚାଷୀର ଧାନ ଟଙ୍କାକୁ ମାରି ଖାଇଯାଏ। ସାର ବିକ୍ରୀ ସମୟରେ ମଧ୍ୟ ସଂପାଦକ ମାନେ ସେଭଳି ନୀତି ଅବଲମ୍ବନ କରୁଛନ୍ତି ବୋଲି କିଛି ଚାଷୀ ଅଭିଯୋଗ ଉଠାଉଛନ୍ତି। ଜିଲ୍ଲାର ବନ୍ତ ବ୍ଲକର ସରମରା ସେବା ସମବାୟ ସମତିରେ ଚାଷୀ ଆଦେୀ ସାର ପାଇ ନଥିବା ବେଳେ ଏହାର ସଂପାଦକ ସାର ଉଠାଇ ନେଇ ଆଦୌ କାନ ହଲାଉ ନାହାନ୍ତି।

ସେହିପରି ଆମ୍ବ୍ରୋଳି ସମବାୟ ସମିତିରେ ଚାଷୀ ସାର ପାଉ ନଥିବା ବେଳେ କାଉପୁର ସମବାୟ ସମତିରୁ ମଧ୍ୟ ଅନୁରୂପ ଭାବେ ଚାଷୀଙ୍କର ଅଭିଯୋଗ ଆସିଛି। ସାର ଯୋଗାଣ ପାଇଁ ହେଉଥିବା ଟାଳ ଟୁଳ  ଘଟଣାର ଭିଜିଲାନସ୍ ତଦନ୍ତ କରାଯାଉ ବୋଲି ଭଦ୍ରକ ଜିଲ୍ଲାର ନବ ନିର୍ମାଣ କୃଷକ ସଂଗଠନ ଦାବି କରିଥିବା ବେଳେ ଆଗାମୀ ଦିନରେ ଚାଷୀଙ୍କୁ ତାର ପ୍ରାପ୍ୟ ମୁତାବକ ସାର ଯୋଗାଣ କରା ନଗଲେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରାଯିବ ବୋଲି ସଂଗଠନର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି।

ସୂଚନାରୁ ପ୍ରକାଶ ଯେ, ଗତ ୧୬ ତାରିଖଠାରୁ ଧାମରା ବନ୍ଦରରେ ଏକ ୟୁରିଆ ବୋଝେଇ ସାର ଯାହାଜ ଆସି ଲାଗିଛି। ଏଇ ସାର ଯାହାଜରୁ ଅନଲୋଡ  ହୋଇ ୧୯ରୁ ୨୦  ତାରିଖ ସୁଦ୍ଧା ଡିପୋ ମାନଙ୍କୁ ପଳାଇ ଯିବା କଥା। ମାତ୍ର ଧାମରା ବନ୍ଦରରେ ଏଇ  ସାର ବୋଝେଇ ଯାହାଜ ଲାଗି ଥିଲେ ମଧ୍ୟ ଏଥିରେ ଥିବା ୟୁରିଆ ସାର ଅନଲୋଡ କରିବାରେ ଟାଳଟାଳ  ନୀତି ଅବଲମ୍ବନ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ଚାଷୀଙ୍କ ପାଖରେ ସାର ପହଞ୍ଚିବାରେ ବିଳମ୍ବ ହେଉଥିବାରୁ  ଏହାକୁ ନେଇ ଜିଲ୍ଲାର ଚାଷୀ ତୀବ୍ର ପ୍ରତିକ୍ରିୟା ରଖିଛି। ଠିକ୍ ସମୟରେ ଓ ଉପଯୁକ୍ତ ମୂଲ୍ୟରେ  ଚାଷୀଙ୍କୁ ସାର ଯୋଗାଣ କରାନଯିବା ପଛରେ ଏକ ବଡ ଧରଣର ଚକ୍ରାନ୍ତ ଚାଲିଥିବା ବେଳେ ଏଇ ରାକେଟରେ ବହୁ  ବଡ ବଡ  ଅଧିକାରୀଙ୍କର ହାତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe