ବଣାଇରେ ମରୁଡ଼ିର ପଦଧ୍ବନି, ଚାଷୀକୁଳ ହତାଶ

Advertisment
ବଣାଇରେ ମରୁଡ଼ିର ପଦଧ୍ବନି, ଚାଷୀକୁଳ ହତାଶ

ବଣାଇଗଡ଼: ଚଳିତବର୍ଷ ଖରିଫ୍‌ଋତୁରେ ଅଞ୍ଚଳର ଚାଷୀମାନେ ଧାନଚାଷ କରିଛନ୍ତି। ସରକାରୀ ବିହନ ମିଳୁ ନଥିବାରୁ ଖୋଲାବଜାରରୁ ବିହନ କ୍ରୟକରି ଏହି ଧାନଚାଷ କରିଥିଲେ। ଚଳିତବର୍ଷ ମୌସୁମୀ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚାଷୀମାନେ ଭଲ ବର୍ଷା ଆଶା କରିଥିଲେ। ବଣାଇ ଏକ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବଣାଇ ବ୍ଲକ୍‌ରେ ରୁକୁଡ଼ା ଜଳସେଚନ ପ୍ରକଳ୍ପ, ଲହୁଣିପଡ଼ାରେ ଦୁଇ ଦୁଇଟି ମେଗା ଜଳସେଚନ ପ୍ରକଳ୍ପ କରାଯାଇଛି।

ଜାଙ୍ଗଳା ଓ ଦର୍ଜିଂଠାରେ ପ୍ରକଳ୍ପ ରହିଥିବା ବେଳେ ଗୁରୁଣ୍ତିଆ ବ୍ଲକ୍‌ର ସାତକୁଟାଠାରେ ଏହି ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ କିଛି ଚାଷଜମିକୁ ପାଣି ଯୋଗାଉଥିବା ବେଳେ ଅଧିକାଂଶ ଜମି ପାଣି ଅଭାବରୁ ଫାଟି ଆଁ କଲାଣି। ପାଣିର ଅଭାବ ଯୋଗୁ ଯେମିତି ଚାଷୀମୁଣ୍ତରେ ଚଡ଼କ ପଡ଼ିଯାଇଛି। ବଣାଇ ବ୍ଲକ୍‌ର ପତ୍ରାପାଲି, କନ୍ତୁରପାଲି, ଜମିରପୋଷ, କଷଡ଼ା, କେଲୋ କନ୍ତସରା, ଫଳସାଘାଟ, ବାବୁନୂଆଗାଁ ଅଂଚଳରେ ପାଣି ଅଭାବରୁ ଧାନଗଛ ନବଢ଼ି ମାଟି ଫାଟି ଆଁ କଲାଣି। ସେହିଭଳି ଡିଗିରିନାଳି, ମହୁଲଡିହା, ଶିହିଡିଆ, ମୁଚୁରୀନାଳି, ରୁଗୁଡ଼ାର କିଛି ଅଞ୍ଚଳ ବର୍ଷାପାଣି ଅଭାବରୁ ମାଟି ଫାଟି ଆଁ କଲାଣି।

ମହୁଲଡିହା ଗ୍ରାମର କେତେକ ଚାଷୀ ଅଭିଯୋଗ କରିଛନ୍ତି ଯେ ଜାଙ୍ଗଳାଠାରେ ଥିବା ମେଗା ଜଳସେଚନ ପ୍ରକଳ୍ପ ସେମାନଙ୍କ ଅଞ୍ଚଳକୁ ପାଣି ଯୋଗାଇ ପାରୁନାହିଁ। ଏଥିନେଇ ସେମାନେ ଉଚ୍ଚକର୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହାର କୌଣସି ପ୍ରତିକାର ହୋଇପାରୁନାହିଁ। ଏହାକୁ ନେଇ ବଣାଇ ସହକାରୀ କୃଷି ଅଧିକାରୀ ଅଜୟ କୁମାର ମହାନ୍ତିଙ୍କୁ ପଚାରିବାରୁ ସ୍ବଳ୍ପ ବୃଷ୍ଟିହେବା ଯୋଗୁ ବିଭିନ୍ନ ଅଞ୍ଚଳରେ ମରୁଡ଼ି ପରିସ୍ଥିତ ଦେଖାଦେଇଛି। କିଛିସ୍ଥାନରେ ଜଳସେଚନ ହେଉଥିବା ବେଳେ ଉପର ଅଞ୍ଚଳକୁ ପାଣି ଯୋଗାଣ ଠିକ୍‌ ଭାବରେ ହୋଇପାରୁନାହିଁ। ଧାନଗଛଗୁଡ଼ିକ ବଢ଼ି ନପାରି ପାଣି ଅଭାବରୁ ନାଲି ହେବାକୁ ବସିଲାଣି। ଏଥିନେଇ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ରିପୋର୍ଟ ଅନୁଯାୟୀ ସରକାରଙ୍କୁ ଜଣାଇଛୁ। ସରକାର ଯାହା ପଦକ୍ଷେପ ନେବେ ତାହା କୃଷକମାନଙ୍କୁ ଜଣାଇ ଦିଆଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe