ଥୁଆପଦର ପଂଚାୟତକୁ ମରୁଡି ଘୋଷଣା ଓ ଧାନମଣ୍ଡି ବନ୍ଦ ଦାବୀ ଜୋର ଧରିଲା

Advertisment

ପ୍ୟାକ୍ସ ସମ୍ମୁଖରେ ଚାଷୀଙ୍କ ଗଣଧାରଣା ୨ୟ ଦିନରେ ପହଁଚିଲା

ପ୍ୟାକ୍ସ ସମ୍ମୁଖରେ ଚାଷୀଙ୍କ ଗଣଧାରଣା ୨ୟ ଦିନରେ ପହଁଚିଲା

ଥୁଆପଦର ପଂଚାୟତକୁ ମରୁଡି ଘୋଷଣା ଓ ଧାନମଣ୍ଡି ବନ୍ଦ ଦାବୀ ଜୋର ଧରିଲା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ବର୍ଷା ହୋଇଥିଲେ ମଧ୍ୟ ସଦର ବ୍ଲକ ଅନ୍ତର୍ଗତ ଥୁଆପଦର ପଞ୍ଚାୟତ ଘୋର ମରୁଡିର ଶିକାର ହୋଇଛି । ଚଳିତ ବର୍ଷ ଅଭିଶପ୍ତ ପାଲଟିଥିବା ଏହି ପଞ୍ଚାୟତର ଖରିଫଚାଷ ସଂପୂର୍ଣ୍ଣ ଉଜୁଡିଯାଇଛି । ଏହି କାରଣରୁ ଗ୍ରାମପଞ୍ଚାୟତକୁ ମରୁଡି ଘୋଷଣା ଓ ଧାନମଣ୍ଡି ବନ୍ଦ କରିବା ଦାବୀରେ ଚାଷୀ ସଂଘ ଡାକରାରେ ପ୍ୟାକ୍‌ସ ସମ୍ମୁଖରେ ଚାଳିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ମଙ୍ଗଳବାର ୨ୟ ଦିନରେ ପହଂଚିଛି । ଦାବୀ ପୂରଣ ନ ହେବା ଯାଏ ଗଣଧାରଣା ଚାଲୁ ରଖିବାକୁ ଚାଷୀ ସଂଘ ନିଷ୍ପତ୍ତି ନେବା ସହ ସରକାର ତୁରନ୍ତ ଚାଷୀଙ୍କ ଦାବୀକୁ ଗୁରୁତର ସହ ବିଚାରକୁ ନେବାକୁ ଅନୁରୋଧ କରାଯାଇଛି ।

ପ୍ରକାଶ ଯେ, ଥୁଆପଦର ପଞ୍ଚାୟତ ଅଧିନସ୍ଥ ଥୁଆପଦର,ତେନ୍ତୁଳିଖୁଣ୍ଟି, କୁସୁମଖୁଣ୍ଟି, ଡଙ୍ଗୁରୀପଦର,ଭିମଡଙ୍ଗା, ଗୋଇପଟା ଗ୍ରାମର ଖରିଫ ଚାଷ ବର୍ଷା ଅଭାବରେ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲା ପ୍ରଶାସନ ସରଜମିନ ତଦନ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କ ତାଲିକା ପ୍ରସ୍ତୁତି କରି କ୍ଷତି ପୂରଣ ଦେବା ସହ ଋଣୀ ଚାଷୀଙ୍କ ଋଣ ଛାଡ କରିବା ନେଇ ପଞ୍ଚାୟତ ବାସୀ ଦାବୀ କରିଆସୁଛନ୍ତି । କିନ୍ତୁ ପ୍ରଶାସନ ଏଥିପ୍ରତି ଅଣ ଦେଖାକରି ମିଲର୍ସ, ଅସାଧୁ ବ୍ୟବସାୟୀ ଓ ଦଲାଲ ମାନଙ୍କର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଥୁଆପଦର ପ୍ୟାକ୍ସ ଠାରେ ଧାନମଣ୍ଡି ଖୋଲିବାକୁ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଫଳରେ କ୍ଷତି ସହିଥିବା ଚାଷୀମାନଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି ।

ଧାନମଣ୍ଡି ଖୋଲାଗଲେ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିଥିବା କିଛି ସ୍ୱାର୍ଥନ୍ୱେଷୀ ଚାଷୀମାନଙ୍କୁ ହାତକରି ଅସାଧୁ ବ୍ୟବସାୟୀ,ଦଲାଲ,ମିଲର୍ସ ଓ ପ୍ୟାକ୍ସର କର୍ମଚାରୀମାନଙ୍କ ସଲାସୁତୁରାରେ ଧାନ ବିକ୍ରି ହେବାର ସମ୍ଭାବନା ରହିଛି । ଏହାଦ୍ୱାରା ମୁଣ୍ଡର ଝାଳ ତୁଣ୍ଡରେ ମାରି ଖରାବର୍ଷା ଶୀତକୁ ଖାତିର ନ କରି କିଛି ଧାନ ଉତ୍ପାଦନ କରିଥିବା ନୀରିହ ଚାଷୀ କ୍ଷତି ସହୁଛି । ଏହି ବ୍ୟବସ୍ଥା ଦୀର୍ଘଦିନ ଧରି ଚାଲିଆସୁଥିବା ବେଳେ ଚାଷୀ କିଛି ଉପାୟ ନ ପାଇ ଦଲାଲ ପାଖରେ ଧାର୍ଯ୍ୟଠାରୁ କମ୍ ମୂଲ୍ୟରେ ବିକିବାକୁ ବାଧ୍ୟ ହେଉଛି । ନଚେତ୍ ମଣ୍ଡିରେ ଏଫ.ଏ.କ୍ୟୁ ନାମରେ ଚାଷୀଠାରୁ କ୍ୱିଣ୍ଟାଲ ପ୍ରତି ୭ ରୁ ୮ କି.ଗ୍ରା କଟନି ଛଟନି କରାଯାଉଛି । ଗତ ବର୍ଷ ଥୁଆପଦର ପ୍ୟାକ୍ସ ମଣ୍ଡିରେ ଏହି ଅସାଧୁ ନୀତି ଅବଲମ୍ବନ କରି ମିଲର୍ସ,ଦଲାଲ ଓ ପ୍ୟାକ୍ସ କର୍ମଚାରୀ ମାଲେମାଲ ହୋଇଥିଲେ । ଏମିତି କି ଓଜନ ମାପ ଯନ୍ତ୍ରକୁ ଠକେଇ କରି କ୍ୱିଣ୍ଟାଲ ପିଛା ୫ କିଲୋଗ୍ରାମ ଅଧିକ ଓଜନର ଧାନ ଚାଷୀଙ୍କ ଠାରୁ ଠକିନେଇଥିଲେ । ଏହି କାରଣରୁ ଧାନମଣ୍ଡି ଖୋଲିବା ପାଇଁ ମରୁଡି ସତ୍ୱେ ଅନ୍ୟମାନେ ବ୍ୟଗ୍ର ହୋଇପଡିଥିବା ଗଣଧାରଣରେ ଚାଷୀମାନେ ଆଜି ଗୁରୁତର ଅଭିଯୋଗ ଆଣି ପଞ୍ଚାୟତକୁ ମରୁଡି ଘୋଷଣା ସହ ଧାନମଣ୍ଡି ବନ୍ଦ କରିବା ଦାବୀକୁ ଜୋର କରିଛନ୍ତି ।

୨ୟ ଦିନର ଏହି ଗଣଧାରଣା ଆଇନଜୀବି କୀର୍ତ୍ତନ ନାଏକ ଚାଷୀ ସଂଘର ପ୍ରତିନିଧି ପରମେଶ୍ୱର ଜାନୀ,ଦିଗାମ୍ବର ଲୁହା,ଦୟାନିଧି ନାଏକ, ୱାର୍ଡ ମେମ୍ବର ଟିକେମଣୀ ଭାଟି, ଚାଷୀ ନେତା ରଘୁମଣୀ ଭାଟି,ଧନୁର୍ଯ୍ୟ ଭୋଇ,ନରୋତ୍ତମ ରଣା,ଖଗେଶ୍ୱର ରଣା,କାମଦେବ ଭୋଇ, ଜୟରାମ ସାହୁ,ଭିଷ୍ମ ସାହୁ,ପୁରୁଷୋତ୍ତମ ନାଏକ,ପ୍ରମୁଖଙ୍କ ନେତୃତ୍ୱରେ ଅନିଷ୍ଠିତ ହୋଇଥିଲା । ଗଣଧାରଣାରେ ସାମିଲ ହୋଇଥିବା ସମସ୍ତ ପ୍ରତିନିଧି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିଥିଲେ । ଆଜି କୌଣସି ପ୍ରଶାସନିକ ଅଧିକାରୀ ଗଣଧାରଣା ସ୍ଥଳକୁ ଯାଇ ନ ଥିବା ବେଳେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଏକ ସେକ୍ସନ ପୁଲିସ ଘଟଣାସ୍ଥଳରେ ମୃତୟନ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe