Sambad
ନିଆଳି: ନିଆଳି ବ୍ଲକ୍ ଅଞ୍ଚଳରେ ଚାଷୀମାନେ ମୌସୁମୀ ବର୍ଷାକୁ ଅପେକ୍ଷା କରି ବିଳମ୍ବରେ ଧାନତଳି ପକାଇଥିଲେ। ବିଲରେ ଧାନ ବୁଣିବା ପରେ ବୁନ୍ଦାଏ ବର୍ଷାର ଦେଖା ମିଳୁନି। ଏହା ସାଙ୍ଗକୁ ବ୍ଲକ୍ ଅଞ୍ଚଳର କେନାଲରେ ପାଣି ମଧ୍ୟ ଆସୁନାହିଁ। ବର୍ଷାଭାବ ସାଙ୍ଗକୁ ନାଳରେ ପାଣି ନ ଥିବାରୁ ଜମି ଫାଟି ଆଁ କଲାଣି। ଫଳରେ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ଅନ୍ୟ ବାଟ ନ ପାଇ କେତେକ ଚାଷୀ ଜମିରେ ପାଣି ସିଂଚନ କରି ଧାନତଳି ଓ ବୁଣା ଧାନ ବଞ୍ଚାଇ ରଖିବାକୁ ପ୍ରୟାସ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ତେବେ ତିନିଚାରି ଦିନ ଭିତରେ ବର୍ଷା ନ ହେଲେ ଅବସ୍ଥା ଅସମ୍ଭାଳ ହୋଇପଡ଼ିବ ବୋଲି ଚାଷୀକୁଳ ଆଶଙ୍କା ପ୍ରକାଶ କରିଛନ୍ତି। ଅନ୍ୟପଟେ, ସ୍ଥିତିର ସମୀକ୍ଷା କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦେଖା ମିଳୁ ନ ଥିବାରୁ ଅଞ୍ଚଳର ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ପ୍ରକାଶଥାଉ କି, ନିଆଳି ଅଞ୍ଚଳରେ ୮୦ ପ୍ରତିଶତ ଚାଷଜମି ବର୍ଷା ଉପରେ ନିର୍ଭରଶୀଳ। ମୌସୁମୀ ଆସିବା ପରେ ସ୍ବାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। କିନ୍ତୁ ତାହା ଫେଲ୍ ମାରିଛି। ଜୁନ୍ ମାସରେ ଦୁଇତିନି ଦିନ ଓ ଜୁଲାଇ ପ୍ରଥମ ସପ୍ତାହରେ ସ୍ବଳ୍ପ ବର୍ଷା ହୋଇଥିଲା। ହେଲେ, ଜୁଲାଇ ମାସ ଶେଷ ହେବାକୁ ବସିଥିଲା ବେଳେ ଆଉ ବର୍ଷାର ଦେଖା ମିଳୁନି। ତେଣୁ ଚାଷକାର୍ଯ୍ୟରେ ଘୋର ବ୍ୟାଘାତ ସୃଷ୍ଟି ହୋଇଛି। ସ୍ବଳ୍ପ ଜମିରେ ଧାନତଳି ଓ ବୁଣା ହୋଇଥିବା ଧାନଗଛ ପାଚି ଗଲାଣି। ଅର୍ଦ୍ଧାଧିକ ଜମି ପଡ଼ିଆ ପଡ଼ିଛି। ଅପରପକ୍ଷେ ନାଳରେ ପାଣି ଛଡ଼ାଯାଇ ନ ଥିବାରୁ ବ୍ଲକ୍ର ଶତପ୍ରତିଶତ ଜମିରେ ଚାଷ ହୋଇ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ, ଅଞ୍ଚଳରେ ୧୦୦ରୁ ଅଧିକ ଉଠା ଜଳସେଚନ ପ୍ରକଳ୍ପ ରହିଛି। ତାହା ମଧ୍ୟ ଅଚଳ ପଡ଼ଛି। ଗଡ଼ିଆ, ପୋଖରୀ, ନାଳ କେଉଁଠି ପାଣି ମୁନ୍ଦାଏ ନାହିଁ। ପାଣି ଅଭାବରୁ ଦେବୀକନ୍ଦଳ ଦ୍ବୀପାଞ୍ଚଳର ପ୍ରାୟ ୩ ହଜାର ହେକ୍ଟର ଜମିରେ ୬୦ଦିନିଆ ଲଘୁ ଧାନ ଫସଲ ଉଜୁଡ଼ି ଯିବାକୁ ବସିଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି।
ବ୍ଲକ୍ କୃଷି ବିଭାଗର ସୂଚନା ମୁତାବକ, ଅଞ୍ଚଳର ମୋଟ୍ ୧୪ହଜାର ୮୭୫ ହେକ୍ଟର ଚାଷ ଜମି ମଧ୍ୟରୁ ୧୦ହଜାର ୩୯୦ ହେକ୍ଟର ଜମିରେ ଧାନ ଚାଷ କାଯାଉଛି। ଜୁଲାଇ ମାସରେ ୨୫୦ରୁ ୩୦୦ ମିମି ବର୍ଷା ଆକଳନ କରାଯାଇଥିଲା ବେଳେ ଚଳିତବର୍ଷ ଜୁଲାଇ ମାସରେ ହାରାହାରୀ ୭୦ମିମି ବର୍ଷା ରେକର୍ଡ କରାଯାଇଛି। ଜମିରେ ପାଣି ନ ଥିବାରୁ ରୁଆ ବେଉଷଣ ହୋଇପାରୁ ନାହିଁ। ଏ ସମ୍ପର୍କରେ ବ୍ଲକ୍ କୃଷି ଅଧିକାରୀ ସୁରେନ୍ଦ୍ର ନାଥ ଘୋଡ଼ାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ପୂର୍ବବର୍ଷ ଜୁଲାଇ ମାସର ବର୍ଷା ତୁଳନାରେ ଚଳିତବର୍ଷ କମ୍ ବର୍ଷା ହୋଇଛି। ତେବେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବ ନାହିଁ ବୋଲି ସେ ଆଶାପ୍ରକାଶ କରିଛନ୍ତି। ଅପରପକ୍ଷେ, ପାଣି ଅଭାବରୁ ଧାନତଳି ଓ ବୁଣାଧାନ ନଷ୍ଟ ହୋଇଯାଇଥିବାରୁ ଚାଷୀମାନେ ପୁଣି କେଉଁଠୁ ଧାନ ବିହନ ଆଣିବେ ସେ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ଖରିଫ୍ ଫସଲରେ ଜଳସଂକଟ ଦୃଷ୍ଟିରୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ନାଳରେ ପାଣି ଛାଡ଼ିବାକୁ ଚାଷୀମାନେ ଦାବି କରିଛନ୍ତି।
Follow Us