ୟୁରିଆ ପାଇଁ ଚାଷୀ ହନ୍ତସନ୍ତ, ଆରସିଏମଏସ୍-ଲ୍ୟାମ୍ପ ଚାରିପଟେ ଘୁରି ବୁଲୁଛନ୍ତି

ୟୁରିଆ ପାଇଁ ଚାଷୀ ହନ୍ତସନ୍ତ, ଆରସିଏମଏସ୍-ଲ୍ୟାମ୍ପ ଚାରିପଟେ ଘୁରି ବୁଲୁଛନ୍ତି

Sambad

ଜୟପୁର: ୟୁରିଆ ସାର ପାଇଁ ଚାଷୀ ହନ୍ତସନ୍ତ। ସକାଳ ପାହିବା ମାତ୍ରକେ ବସ୍ତାଏ ୟୁରିଆ ଆଣି କିଭଳି ଜମିରେ ପକାଯିବ ସେ ଚିନ୍ତା ଏବେ ଚାଷୀଙ୍କୁ ଘାରିଛି। ସରକାରୀ କିମ୍ବା ବେସରକାରୀ ଭାବେ (ଚଢ଼ା ଦରରେ) ହେଉ କିଣି ଆଣିବାକୁ ପୁରା ପ୍ରସ୍ତୁତ ରହିଛନ୍ତି ଚାଷୀ। ଅନ୍ୟ ପକ୍ଷରେ ଗତ ୪ଦିନ ହେବ ଜୟପୁର ବ୍ଲକର ବିଭିନ୍ନ ପଂଚାୟତର ଚାଷୀ ମାନେ ସକାଳ ୭ଟା ହେବା ମାତ୍ରକେ ତେଲିଗୁଡ଼ାରେ ଥିବା ଆରସିଏମଏସ୍, ଉମୁରୀ ଲ୍ୟାମ୍ପ, ଓ କୁମୁଲିପୁଟ ଲ୍ୟାମ୍ପରେ ଡ଼େରା ପକାଉଛନ୍ତି। ଏବେ ଚାଷୀ ମାନେ ଆଧାରକାର୍ଡ଼ ସହ ଜମି ପଟା ବି ଧରି ଆସୁଥିବା ଦେଖିବାକୁ ମିଳିଛି। ଆଜି ଦିନ ତମାମ୍‌ ସେଭଳି ଚାଷୀ ମାନେ ଆରସିଏମଏସ୍, ଉମୁରୀ ଲ୍ୟାମ୍ପ, ଓ କୁମୁଲିପୁଟ ଲ୍ୟାମ୍ପରେ ଡେରା ପକାଇ ରହିଥିଲେ। ଜାତୀୟ ରାଜପଥ ପାର୍ଶ୍ବରେ ଶହଶହ ବାଇକ ଜମା ହୋଇ ରହିଥିବା ଦେଖିବାକୁ ମିଳିଥିଲା।

ଗତ ୩ ଦିନ ତଳେ ଚାଷୀ ମାନେ ରାସ୍ତାରୋକ କରିବା ପରେ ମାର୍କଫେଡ଼୍ ତେଲିଗୁଡ଼ା ଆରସିଏମଏସ୍‌କୁ ୧୦୦୦ ବସ୍ତା କିସାନ ୟୁରିଆ ଦେଇଛି। ଆଜି ଏଠାରେ ୧୫୦ଜଣ ଚାଷୀଙ୍କୁ ଦିଆଯାଇଥିବା ଟୋକେନ୍ ଅନୁଯାୟୀ ୩୫୦ ରୁ ୪୦୦ ବସ୍ତା ମଧ୍ୟରେ ୟୁରିଆ ଦିଆଯାଇଥିବା ଆରସିଏମଏସ୍ ପକ୍ଷରୁ କୁହାଯାଇଛି। ସେଭଳି ଆସନ୍ତାକାଲି ସକାଳୁ ବି ବଳକା ଟୋକନଧାରୀ ଚାଷୀଙ୍କୁ ସାର ଦିଆଯିବ ବୋଲି କୁହାଯାଇଛି। ସେଭଳି ଗତ ୩ଦିନ ଧରି ଧାଁ ଧପଡ଼ ପରେ ଗତ କାଲି ରାତି ୯ଟା ବେଳେ କୁମୁଲିପୁଟ ଲ୍ୟାମ୍ପ ପକ୍ଷରୁ କଂଙ୍ଗା ଅଂଚଳର ୨୩୦ଜଣ ଚାଷୀଙ୍କୁ ଆସନ୍ତା ସୋମବାର ଦିନ ୟୁରିଆ ଦେବା ପାଇଁ ଟୋକେନ ଦିଆଯାଇଥିବା ଚାଷୀ ମାନେ କହିଛନ୍ତି।

ପ୍ରତିବର୍ଷ କେତେ ପରିମାଣର ଖରିଫରେ ଧାନ ଓ ପନିପରିବା, ଡାଲି, ତୈଳବୀଜ ଜାତୀୟ ଚାଷ ଆଦି କେତେ ପରିମାଣର ଜମିରେ କେତେ ଚାଷ ହେଉଛି ଏବଂ କେତେ ପରିମାଣର ୟୁରିଆ, ପଟାସ, ଗ୍ରମୋର, କୀଟନାଶକ ଔଷଧ ଆଦି ଦରକାର ତାହାର ସଂପୁର୍ଣ୍ଣ ବିବରଣୀ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଆକଳନ କରି ରାଜ୍ୟ ସରକାରଙ୍କୁ ଦିଆଯାଉଛି। ସେ ଅନୁଯାୟୀ ରାସୟନୀକ ସାର ଜିଲ୍ଲାକୁ ଆସିବା କଥା। ତେବେ ପ୍ରତିବର୍ଷ ଧାନ ଚାଷ ସମୟରେ ୟୁରିଆ ଅଭାବ ଲାଗି ରହିବା ଏବଂ ଚାଷୀ ମାନେ ସାର ପାଇଁ ଧାଁ ଧପଡ଼ ହୋଇ ହଇରାଣ ହରକତ ହେବା ନିୟମିତ ପାଲଟିଛି। ତେବେ ଏହି ସ୍ଥିତିକୁ ସୁଧାରିବା ପାଇଁ ସରକାର କେବେ ଚିନ୍ତା କରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe