ୟୁରିଆ ସାର ପାଇଁ ରାଜରାସ୍ତାରେ ଚାଷୀ, ପୁଲିସ ଓ ଚାଷୀ ଧସ୍ତାଧସ୍ତି

ହାତଯୋଡି ଶାନ୍ତ ରହିବାକୁ ନେହୁରା ହେଲେ କୃଷି ଅଧିକାରୀ

ୟୁରିଆ ସାର ପାଇଁ ରାଜରାସ୍ତାରେ ଚାଷୀ, ପୁଲିସ ଓ ଚାଷୀ ଧସ୍ତାଧସ୍ତି

Sambad

ନବରଙ୍ଗପୁର: ଉମରକୋଟ ସହରରେ କିଛିଦିନର ବ୍ୟବଧାନ ପରେ ପୁଣି ଚାଷୀ ୟୁରିଆ ସାର ପାଇଁ ରାଜରାସ୍ତାକୁ ଓଲ୍ଲାଇବା ସହ ପୁଲିସ ଓ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସୂଚନା ଅନୁଯାୟୀ, ସାର ପାଇଁ ଗତ ଦୁଇଦିନ ପୂର୍ବରୁ କଂଗ୍ରେସ ସମର୍ଥନରେ ଚାଷୀ ରାଜରାସ୍ତା ଅବରୋଧ କରିଥିଲେ। ଚାଷୀଙ୍କ କହିବା କଥା ହେଲା ଗତ ଦୁଇଦିନ ପୂର୍ବେ ଚାଷୀ ରାସ୍ତାରୋକ କରିଥିବା ବେଳେ ସେହି ଚାଷୀଙ୍କୁ ପ୍ରଶାସନ ଶୁକ୍ରବାର ସୁଦ୍ଧା ସାର ଯୋଗେଇ ଦିଆଯିବ ବୋଲି ଫୋନ୍‌ ଯୋଗେ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ପ୍ରଶାସନ ନିଜ ପ୍ରତିଶ୍ରୁତି ରଖି ପାରିଲେ ନାହିଁ। ପ୍ରତିଦିନ ବିଭିନ୍ନ ପଞ୍ଚାୟତରୁ ଚାଷୀମାନେ ଉମରକୋଟ ଆରସିଏମ୍‌ଏସ୍‌କୁ ଆସି ସାର ନପାଇ ଖାଲି ହାତରେ ଫେରୁଛନ୍ତି। ବାରମ୍ବାର ଆସି ସାର ନପାଇବାରୁ ଶେଷରେ ବାଧ୍ୟ ହୋଇ ଆଜି ଆରସିଏମ୍‌ଏସ୍‌ ଆଗରେ ଉମରକୋଟ ଓ ରାଇଘର ରାଜରାସ୍ତାକୁ ଅବରୋଧ କରିଥିଲେ।

publive-image Sambad

ଏହା ପରେ ପୁଲିସ ଓ କିଛି କଂଗ୍ରେସ ନେତା ଚାଷୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୁ ହଟିଥିଲେ ଚାଷୀ। ପରବର୍ତ୍ତୀ ସମୟରେ ଉମରକୋଟ ମାର୍କେଟ୍‌ ଆଗରେ ଚାଷୀ ଏକତ୍ରିତ ହୋଇ ଫେଡ୍ରେସନ୍‌ କର୍ମଚାରୀଙ୍କୁ ସାର ଶୀଘ୍ର ଦିଅନ୍ତୁ ବୋଲି ଦାବି ଜଣାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଚାଷୀ ଉତ୍ତ୍ୟକ୍ତ ହୋଇଥିଲେ। ଚାଷୀ ଓ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଜିଲ୍ଲା କୃଷି ଅଧିକାରୀ ସତ୍ୟ ପ୍ରସାଦ ସାମନ୍ତରାୟ ହାତ ଯୋଡି ଚାଷୀଙ୍କୁ ଅନୁରୋଧ କରିବା ସହ ଲିଖିତ ଆକାରରେ ଆସନ୍ତା ମଙ୍ଗଳବାର ସୁଦ୍ଧା ସାର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀ ଶାନ୍ତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe