ସାର କଳାବଜାର: ଚାଷୀଙ୍କୁ ନାହିଁ ନିସ୍ତାର, କେଳେଙ୍କାରୀର ବାଟ ଫିଟୁଛି

ସାର କଳାବଜାର: ଚାଷୀଙ୍କୁ ନାହିଁ ନିସ୍ତାର, କେଳେଙ୍କାରୀର ବାଟ ଫିଟୁଛି

Sambad

ଜଗତସିଂହପୁର: ଗତବର୍ଷ ସମସ୍ତଙ୍କ ଆଖି ସାମ୍ନାରେ ସାରର କଳାବଜାର ଚାଲୁ ରହିଥିଲା। ୨୬୭.୫୦ ମୂଲ୍ୟର ୟୁରିଆ ସାରକୁ ୬୦୦ ଟଙ୍କାରେ ବିକ୍ରି କରାଯାଉଥିଲା। ଚାଷୀମାନେ ଅନ୍ୟ ଉପାୟ ନ ପାଇ ଏହାକୁ କିଣିବାକୁ ବାଧ୍ୟ ହେଉଥିଲେ। ଫଳରେ ବେଶ୍ କିଛି ଦିନ ସାର କଳାବଜାର କରି ଡିଲରମାନେ ମାଲାମାଲ ହୋଇଥିଲେ।

ଏ ନେଇ 'ସମ୍ବାଦ'ରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା କୃଷି ବିଭାଗ ଓ ସ୍ଥାନୀୟ ଥାନା ମିଳିତ ଚଢ଼ଉ କରିଥିଲା। ଏଣୁ ଚଳିତ ବର୍ଷ ଯେମିତି ଏହି କଳାବଜାରି ନ ହେବ, ସେଥିପାଇଁ ବହୁ ପୂର୍ବରୁ ଜିଲ୍ଲା କୃଷି ବିଭାଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିଲା। ମାତ୍ର ଏହା ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିଲାନି। ପ୍ରତ୍ୟେକ ଡିଲର ଓ ସମବାୟ ସମିତି କାନ୍ଥରେ ସାରଦର ସ୍ପଷ୍ଟ ଭାବେ ଲେଖାଯିବ ବୋଲି ଜିଲ୍ଲାପାଳ ଦେଇଥିବା କଡ଼ା ନିର୍ଦ୍ଦେଶ ବର୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇ ନାହିଁ। କେତେକଙ୍କ କାନ୍ଥରେ କେବଳ ସାର ଲେଖାଯାଇଛି, ଦର ଲେଖାଯାଇ ନାହିଁ। ଫଳରେ ଜିଲ୍ଲାରେ ପୁଣି ଥରେ ସାର କଳାବଜାରରେ ବିକ୍ରି ଆରମ୍ଭ ହୋଇଛି। ସରକାରୀ ଦର ମୁତାବକ, ୟୁରିଆ ୪୫ କେଜି ବସ୍ତା ଦର ୨୬୭ ଟଙ୍କା, ପଟାସ ୫୦ କେଜି ବସ୍ତା ୮୭୫ ଟଙ୍କା ଓ ଡିଏପି ୫୦ କେଜି ୧୨୦୦ ଟଙ୍କାରେ ଚାଷୀମାନଙ୍କୁ ବିକ୍ରି କରାଯିବ। ମାତ୍ର ବର୍ତ୍ତମାନଠାରୁ ଜିଲ୍ଲାର ବିଭିନ୍ନ ବ୍ଲକରେ ୟୁରିଆ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ହେଲାଣି।

ଜିଲ୍ଲାରେ ୮୬,୨୨୦ ହେକ୍ଟରରେ ଚାଷ ଧାର୍ଯ୍ୟଲକ୍ଷ୍ୟ ଥିବା ବେଳେ  ପ୍ରାୟ ୮ ହଜାର ଟନ୍ ୟୁରିଆ, ଡିଏପି ୩,୫୦୦ ଟନ୍, ଏନ୍‌ପିକେଏସ୍‌ ୪,୧୦୦ ଟନ୍, ଏମ୍ଓପି (ପଟାସ) ୨,୨୦୦ ଟନ୍ ଆବଶ୍ୟକ ରହିଛି। ପ୍ରତ୍ୟେକ ବର୍ଷ ଅଗଷ୍ଟ ଓ ସେପ୍ଟେମ୍ବରରେ ଚାଷୀମାନେ ୟୁରିଆ ଆବଶ୍ୟକତା କରନ୍ତି। ଏଣୁ ଜିଲ୍ଲା ପ୍ରଶାସନ ପୂର୍ବରୁ ଏ ନେଇ ପଦକ୍ଷେପ ନେବା ଉଚିତ୍। ମାତ୍ର ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ସାରର କଳାବଜାର ଚାଲିଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି। ଜିଲ୍ଲା କୃଷି ବିଭାଗର ଯୋଜନା ବିଭାଗ ଅଧିକାରୀ ପ୍ରଭାସ ପଣ୍ତାଙ୍କ ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ପ୍ରାୟ ୧୮୦୦ ଟନ୍ ୟୁରିଆ ସମେତ ଅନ୍ୟାନ୍ୟ ସାର ମହଜୁଦ୍‌ ରହିଛି। କଟକରେ ଏକ ସାର ୱାଗନ ପହଞ୍ଚିଛି। ସେଥିରେ ଜିଲ୍ଲାକୁ ପ୍ରାୟ ୩୦୦ ଟନ୍ ୟୁରିଆ ଭାଗ ପଡ଼ିବ। ଏଣୁ ସାରର କୌଣସି ଅଭାବ ରହିବ ନାହିଁ। ଘରୋଇ ଦୋକାନୀ ଅଧିକ ଦରରେ ସାର ବିକ୍ରି କରୁଥିବାରୁ ସମବାୟ ସମିତି ଜରିଆରେ ସାର ବିକ୍ରି ପାଇଁ ପଦକ୍ଷେପ ନିଆଯାଉଛି। ଖୁବଶୀଘ୍ର ଚଢ଼ଉ ଆରମ୍ଭ ହେବ। ଯେଉଁ ଡିଲରମାନେ ସାର ଦର କାନ୍ଥରେ ଝୁଲାଇନଥିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe