ପୋଟଳ ଫସଲକୁ ଅଜଣା ରୋଗ, ଚିନ୍ତାରେ ଚାଷୀ, ପରାଗ ସଂଗମ ହୋଇ ନଥିବାରୁ ସମସ୍ୟା: ଉଦ୍ୟାନ ବିଭାଗ

Advertisment
ପୋଟଳ ଫସଲକୁ ଅଜଣା ରୋଗ, ଚିନ୍ତାରେ ଚାଷୀ, ପରାଗ ସଂଗମ ହୋଇ ନଥିବାରୁ ସମସ୍ୟା: ଉଦ୍ୟାନ ବିଭାଗ

Sambad

ଗାରୋଇ: ନାଉଗାଁ ବ୍ଲକ ଦେଇ ପ୍ରବାହିତ ହେଉଥିବା ଦେବୀ, ଗୋବରୀ, ବାଉଂଶ ଜୋର ଓ ଅଳକା ନଦୀ ପଠାର ମଟାଳ ଓ ଦୋରସା କିସମ ମାଟିରେ ଲାଭଦାୟକ ପୋଟଳ ଚାଷ କରିଥିବା ଚାଷୀ ଏବର୍ଷ ଚିନ୍ତାରେ। ପୋଟଳ ଚାଷକୁ ଗ୍ରାସ କରିବାକୁ ବସିଛି ଅଜଣା ରୋଗ। ସବୁଜ ସୁନ୍ଦର ଛନ୍ ଛନିଆ ପୋଟଳ ଗଛରେ ଫୁଲରୁ ଫଳ ଆସିବା ପୂର୍ବରୁ ଗଛରେ ହିଁ ଶୁଖିଯାଉଛି। ବ୍ଲକର ସର୍ବାଧିକ ପୋଟଳ ଚାଷ ହେଉଥିବା ଅଂଚଳ ଭାବେ ପରିଚିତ ଅଳକା ନଦୀ ପଠାର ଡାବର ପଂଚାୟତର ଅଙ୍ଗାରୁଆ, ମହନାପାରୀ ଓ ଶିଖର ପଂଚାୟତର ଦେବୀ ନଦୀ ପଠା ଅଙ୍ଗେଶ୍ୱରପଡା ଅଂଚଳର ପୋଟଳ ଚାଷୀ ମୁଣ୍ଡରେ ହାତ ଦେଇଛନ୍ତି। କୋରୁଅ ଗ୍ରାମରେ ଚାଷୀଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ନଭେମ୍ବର ମାସରୁ ଡିସେମ୍ବର ମାସ ମଧ୍ୟରେ ପୋଟଳ ଚାଷ ପାଇଁ ଚାରା ରୋପଣ କରାଯାଇଥିଲା। ଯେଉଁ ଚାରାକୁ ଥରେ ରୋପଣ କଲେ ୮ମାସ ପର୍ଯ୍ୟନ୍ତ ଫଳ ଫଳିଥାଏ। ଭଲ ଦୁଇ ପଇସା ଲାଭ ମିଳିଥାଏ। କିନ୍ତୁ ଚଳିତ ବର୍ଷ ଆରମ୍ଭରୁ ହିଁ ଏହି ଫସଲ ଉଜୁଡି ଯିବାକୁ ବସିଛି। ଧାରକରଜ କରି ପୋଟଳ ଚାଷ କରିଥିବା ଚାଷୀକୁ ନିସ୍ତାର ନାହିଁ। ଏହି ଅଜଣା ରୋଗର କାରଣ ଓ ନିରାକରଣ ଦିଗରେ ଚାଷୀ କିଛି ବାଟ ପାଉନାହିଁ। ବଜାରରେ ଥିବା ସାର ଓ କୀଟନାଶକ ଦୋକାନରୁ ଔଷଧ ଆଣି ପ୍ରୟୋଗ କରୁଛି। କିନ୍ତୁ ଅବସ୍ଥା ସୁଧୁରିବା ପରିବର୍ତେ ଦିନକୁ ଦିନ ତାହା ବିଗିଡିବାରେ ଲାଗିଛି।

ପୋଟଳ ଚାଷ ପାଇଁ ସାର, ଔଷଧ ଓ ଜଳସେଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୩୦ ରୁ ୩୫ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ପୋଟଳ ଫଳିବା ଆରମ୍ଭ ହେଲେ ୨ମାସ ମଧ୍ୟରେ ସବୁ ଖର୍ଚ୍ଚ ଉଠିଯାଇଥାଏ। ଏହି ସମୟରେ ଅଂଚଳରେ ଅନ୍ୟ ପରିବାର ଦାମ ଠାରୁ ପୋଟଳର ଦାମ୍ ସର୍ବାଧିକ ଥାଏ । ବାକି ୬ମାସରେ ଚାଷୀ ଆବଶ୍ୟକ ମୁତାବକ ସାର, ଔଷଧ ସହିତ ଜଳ ସେଚନ ସହିତ ଭିଟାମିନ୍ ଓ ଅଣୁସାରର ପ୍ରୟୋଗ କରିଥାଏ। କିନ୍ତୁ ଚଳିତ ବର୍ଷ ଚା‌ଷୀଙ୍କୁ ହତାଶ ହେବାକୁ ପଡ଼ିଛି। ତୁଏଭଳି ସ୍ଥିତିରେ ରୋଗପୋକ ଦାଉରୁ ନିସ୍ତାର ପାଇଁ ବ୍ଲକ ଉଦ୍ୟାନ କୃଷି ବିଭାଗର ଦେଖା ମିଳୁନାହିଁ। ଏ ସଂପର୍କରେ ବ୍ଲକ ଉଦ୍ୟାନ କୃଷି ବିଭାଗ ଦାୟିତ୍ୱରେ ଥିବା ଶୁଭଶ୍ରୀ ମହାପାତ୍ର କହିଛନ୍ତି ଉକ୍ତ ଜମିରେ ପରାଗ ସଂଗମ ସଠିକ୍ ଭାବରେ ହୋଇପାରୁ ନାହିଁ। ଏଥି ପ୍ରତି ମୁଁ ନିଜେ କ୍ଷେତ ପରିଦର୍ଶନ କରି ଚାଷୀଙ୍କ ସହ କଥା ହେବି ବୋଲି କହିଥିଲେ। ଏପରିକି ଏଠାରେ ଖରାଟିଆ ପୋଟଳ ଚାଷ ପାଇଁ ପର୍ଯ୍ୟାପ୍ତ ଜଳସେଚନ ବ୍ୟବସ୍ଥା ନଥିବାରୁ ଉଠାସେଚ ବିଭାଗ ପକ୍ଷରୁ ଏକ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ଚାଷୀ ଲକ୍ଷ୍ମୀଧର ପରିଡା, ବିଜୟ କୁମାର ଝାଟୁଆ, ବଟ ମଲ୍ଲିକ, ନାରାୟଣ ପରିଡ଼ା, ଅଭୟ ପରିଡ଼ା, ଗନ୍ଧର୍ବ ସେଠୀ, ବୀର ସାହୁ, ପ୍ରଦୀପ୍ତ ମହାନ୍ତି ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe