ଜୟପୁର: ଆମ ପଂଚାୟତର ଅଧକିଲୋମିଟର ମଧ୍ୟରେ ରହିଛି ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପ। ପ୍ରକଳ୍ପ ପାଇଁ ଜମି ଓ ଭୀଟାମାଟି ହରାଇ ବିସ୍ଥାପିତ ବହୁ ଲୋକେ ଏବେ ଆମ ଅଂଚଳରେ ବସ ବାସ କରୁଛନ୍ତି। ସବୁ ମିଶି ଚାଷ କରି ବଂଚୁଛୁ। ଆଶା କରିଥିଲୁ ଜଳସେଚନ ପ୍ରକଳ୍ପ ହେବା ଦ୍ବାରା ଆମର ଜୀବନଜୀବିକାରେ ଉନ୍ନତି ହେବ। ଆମକୁ ଚାଷ କରିବା ପାଇଁ ସହଜରେ ପାଣି ମିଳିବ। ତେବେ ପ୍ରକଳ୍ପରୁ ପର୍ଯ୍ୟାପ୍ତ ପରିମାଣର ପାଣି ମିଳୁନି। ଥରକରେ ଛାଡ଼ି ପରେ ବନ୍ଦ କରି ଦେଇଛନ୍ତି ପ୍ରକଳ୍ପର ଅଧିକାରୀ। ପାଣି ଆସିବା ପରେ ଆମେ ବିହନ ବୁଣିଥିଲୁ। ବିହନ ଗଜା ବି ହେଲାଣି। ଅଧିକା ପାଣି ପାଇଲେ ଚାଷ କରିବୁ ବୋଲି ଚିନ୍ତା କରିଥିଲୁ ତାହା ଅଚାନକ ମଉଳିଗଲା ବୋଲି ରାଣୀଗଡ, ବାଲିପୁଜାରୀପୁଟ ପଂଚାୟତର ଚାଷୀ ମାନେ ଅଭିଯୋଗ କରି ବାରଣୀପୁଟସ୍ଥ୍ ଉପରକୋଲାବ ଜଳସେଚନ ବିଭାଜନର ମୁଖ୍ୟଯନ୍ତ୍ରୀ ଇଂ ସନ୍ତୋଷ କୁମାର ମହାପାତ୍ର ଓ ତେଲିଙ୍ଗିରୀ କେନାଲ ବିଭାଜନର ନିର୍ବାହୀ ଯନ୍ତ୍ରୀ ଇଂ ଦେବଦତ୍ତ ରାୟ ମହାପାତ୍ରଙ୍କୁ ଘେରିଛନ୍ତି ଚାଷୀ।
ଚାଷୀଙ୍କୁ ମୁଖ୍ୟଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ବୁଝାସୁଝା କରି ପଠାଇଥିଲେ। ନିର୍ବାହୀଯନ୍ତ୍ରୀ ଇଂ ରାୟ ମହାପାତ୍ର ବ୍ୟକ୍ତିଗତ ଭାବେ ଗସ୍ତ କରି ସଂପୁର୍ଣ୍ଣ ନିରୀକ୍ଷଣ କରିବା ସହ କିଭଳି ଚାଷୀମାନେ ପାଣି ପାଇ ପାରିବେ ସେ ଦିଗରେ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୃତି ଦେଇଥିଲେ। ଚାଷୀ ଦୁର୍ଯ୍ୟୋ କନ୍ଦପାନ, ମନୋଜ ମିଶ୍ର, ନିଳକଣ୍ଟ ପାତ୍ର, ଚୈତନ ରାଉତ, ଜଗନ୍ନାଥ ପରଜା, ହରି ପୁଜାରୀ, ଚନ୍ଦ୍ର ପ୍ରଧାନୀ, ବୈଦନାଥ ନାୟକ ପ୍ରମୁଖ ଏଥିରେ ଭାଗ ନେଇଥିଲେ। ଦୁଇଟି ପଂଚାୟତରେ ସାଢ଼େ ୨ଶହ ହେକ୍ଟର ଜମି ରହିଛି। ଆମ ଜମି ଗୁଡିକ ମଧ୍ୟ ଦେଇ ପାଣି ଯାଉଛି।ତଥାଫି ଜମିରେ ପାଣି ନ ଆସିବା କେତେ ଦୁର ଯୁକ୍ତିସଂଗତ ବୋଲି ଚାଷୀ ମାନେ ପ୍ରଶ୍ନ କରିଛନ୍ତି। ପାଣି ଅଭାବରୁ ଆମେ ଚାଷ ନ କରି ପାରିବା ଠିକ କି ବୋଲି ଏମାନେ ପ୍ରଶ୍ନ କରିଛନ୍ତି।
ଆମ ଅଂଚଳବାସୀ ସବୁ କୃଷି ଓ କୃଷି ଶ୍ରମିକ ଭାବେ ନିର୍ଭର। ଏହା ନ ହେବା ଦ୍ବାରା ଆମେ କ୍ଷତି ସହିବୁ ନା ନାହିଁ ବୋଲି ଚାଷୀ ମାନେ ପ୍ରଶ୍ନ କରିଛନ୍ତି। ଅଧ କିଲୋ ମିଟର ମଧ୍ୟରେ ରହିଥିବା ଦୁଇଟି ପଂଚାୟତରେ ପାଣି ଯୋଗାଇବା ବଦଳରେ ୨୫ରୁ ୩୦କିଲୋ ମିଟର ଦୁରରେ ରହିଥିବା ପଂଚାୟତ ଗୁଡ଼ିକୁ ଯୋଗାଇବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ଧାର୍ଯ୍ୟ ଲକ୍ଷ୍ୟରୁ ୨୦ପ୍ରତିଶତ ଅଧିକା ପାଣି ଯୋଗାଇ ଦିଆଯାଇଛି। ପ୍ରଥମେ ଧାନ ବିହନ କରିବା ଅଂଚଳରେ ୪ଦିନ ପାଣି ଛାଡ଼ିବା ପରେ ଅନ୍ୟ ଆୟକଟରେ ଛଡାଯାଉଛି ବୋଲି କହିଛନ୍ତି ମୁଖ୍ୟଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ। ଶୁକ୍ରବାର ନିର୍ବାହୀଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି ମୁଖ୍ୟଯନ୍ତ୍ରୀ।
Follow Us