ଖରିଫ ଧାନ ପଂଜୀକରଣରେ ଅନିୟମିତତା ନେଇ ବିଧାୟକଙ୍କୁ ଭେଟିଲେ ଚାଷୀ

Advertisment
ଖରିଫ ଧାନ ପଂଜୀକରଣରେ ଅନିୟମିତତା ନେଇ ବିଧାୟକଙ୍କୁ ଭେଟିଲେ ଚାଷୀ

Sambad

ବାଲିଅନ୍ତା: ପ୍ରତାପରୁଦ୍ରପୁର ସେବା ସମବାୟ ସମିତି ମଣ୍ଡିରେ ରବିଧାନ ବିକ୍ରି ନେଇ ଚାଷୀଙ୍କ ନାମ ପଞ୍ଜୀକରଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଯେଉଁ ଚାଷୀମାନେ ଟାଇଚୁନ ଧାନ କରି ନାହାନ୍ତି, ସେହି ଚାଷୀମାନଙ୍କର ନାମ ସେବା ସମବାୟ ସମିତିରେ ପଞ୍ଜୀକୃତ କରାଯାଇଛି। ଅନ୍ୟପକ୍ଷରେ ସେବା ସମବାୟ ସମିତିରୁ ଋଣ ନେଇ ପ୍ରକୃତରେ ରବିଧାନ ଚାଷ କରିଥିବା ଚାଷୀମାନଙ୍କର ନାମ ପଞ୍ଜୀକୃତ ତାଲିକାରୁ ବାଦ ଦିଆଯାଇଛି। ଯାହାଫଳରେ ସଂପୃକ୍ତ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିବା ସମସ୍ୟା ନେଇ ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ ସମିତି ସଂପାଦକ ବିଶ୍ବନାଥ ପଣ୍ଡାଙ୍କୁ ଏସଂପର୍କରେ ଜଣାଇଥିଲେ ମଧ୍ୟ ସେ କିଛି ଶୁଣୁନଥିବା କହିଛନ୍ତି। ତେଣୁ ସେମାନେ ବାଧ୍ୟ ହୋଇ ଆଜି ଜୟଦେବ ବିଧାୟକ ଡଃ. ଅରବିନ୍ଦ ଢାଲିଙ୍କୁ ତାଙ୍କ ବାସଭବନରେ ଭେଟି ଏନେଇ ଅବଗତ କରାଇଛନ୍ତି।

ସେମାନଙ୍କ ନାମ ଅନଲାଇନ ପଞ୍ଜୀକୃତ ତାଲିକାରେ ଯୋଡ଼ିବାକୁ ଦାବି କରିଥିଲେ। ଏସଂପର୍କରେ ଚାଷୀମାନେ ଜିଲ୍ଲା ଯୋଗାଣ ବିଭାଗ କର୍ତୃପକ୍ଷଙ୍କୁ ମଧ୍ୟ ଲିଖିତ ଭାବେଜଣାଇଛନ୍ତି। ଯଦି ଚା‌ଷୀମାନେ ମଣ୍ଡିରେ ଧାନ ବିକ୍ରି କରିନପାରନ୍ତି ତା’ ହେଲେ ଖୋର୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ସେହିପରି ବିଧାୟକ ଚାଷୀ ପ୍ରତିନିଧିମାନଙ୍କର ଦାବିପତ୍ର ଗ୍ରହଣ କରି ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖି ଜଣାଇବେ ବୋଲି ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷରେ ଏସଂପର୍କରେ ଶ୍ରୀ ପଣ୍ଡାଙ୍କୁ ପଚାରିବାରେ ବ୍ଲକ କୃଷି ବିଭାଗ ଓ ଆରଆଇଙ୍କ ତାଲିକା ଆଧାରରେ ଚାଷୀଙ୍କ ନାମ ପଞ୍ଜୀକରଣ କରାଯାଇଥିବା ସୂଚନା ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe