ବାରିପଦା : ଜିଲ୍ଲାରେ ଧାନ ବିକ୍ରିର ତାତି ଥମିବାର ନା ନେଉନାହିଁ। ଗତ ମାସରୁ ଧାନ ବିକ୍ରି ନିମନ୍ତେ ଟୋକନ୍ ପାଇଥିଲେ ମଧ୍ୟ ଶାମାଖୁଣ୍ଟା ଲ୍ୟାମ୍ପରେ ଧାନ ବିକି ପାରିନାହାନ୍ତି ଚାଷୀ। ଏହି ଲ୍ୟାମ୍ପ୍ର ଏମଡି ଓ ବିଏମଙ୍କ ମନମୁଖୀ କାରବାର କାରଣରୁ ଚାଷୀମାନେ ନାହିଁନଥିବା ହଇରାଣ ହେଉଛନ୍ତି। ସମସ୍ୟା ଉତ୍କଟ ହେବାରୁ ଚାଷୀମାନେ ଶେଷର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଏଥି ସହିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତିଙ୍କୁ ପ୍ରଦାନ କରିଛନ୍ତି। ଅନ୍ଲାଇନରେ ନାମ ପଞ୍ଜିକରଣ କରାଇ ଟୋକନ ପାଇ ମଧ୍ୟ ଧାନ ବିକି ପାରୁନଥିବାରୁ ଜିଲ୍ଲାର ଅଧିକାଂଶ ସ୍ଥାନରେ ତେଜୁଛି ଚାଷୀ ଅସନ୍ତୋଷ। ଶାମାଖୁଣ୍ଟା ଲ୍ୟାମ୍ପ ଅଧୀନରେ ଶାମାଖୁଣ୍ଟା, ବାଉଁଶବିଲା, ବାଲିଡ଼ିହା ଆଦି ତିନୋଟି ଧାନମଣ୍ଡିରେ ଚାଷୀମାନେ ଧାନ ଆଣି ଜମା କରିଥିଲେ ମଧ୍ୟ ସେମାନଙ୍କ ନିକଟରୁ ଧାନ କିଣା ଯାଉନାହିଁ । ଶାମାଖୁଣ୍ଟା ଲ୍ୟାମ୍ପ୍ର ବିଏମ ଅମିତ ବେହେରା ନିଜ ଘରେ ଧାନ ବ୍ୟବସାୟ ଚଳାଉଥିବା ସମୟରେ ତାଙ୍କ ସମ୍ପର୍କୀୟ ଲ୍ୟାମ୍ପ ନିକଟରେ ଧାନ ଗୋଦାମ ଖୋଲି ବ୍ୟବସାୟ ଚଳାଇଛନ୍ତି । ଚାଷୀମାନଙ୍କ ନିକଟରୁ କଟ୍ନୀ ଛଟ୍ନୀ ବାବଦରେ ମଧ୍ୟ କୁଇଣ୍ଟାଲ୍ ପିଛା ୭ରୁ ୧୦ କେଜି କଟାଯାଉଛି। ବଳକା ଧାନକୁ ହେରାଫେରି ଚଳାଇ ମୁନାଫା କମାଉଛନ୍ତି । ମିଲରଙ୍କ ସହିତ ସଲାସୁତରାରେ ବ୍ୟବସାୟ ଚଳାଇ ଆସୁଛନ୍ତି । ଏପରିକି ଏମ୍ଡି ଓ ବିଏମ୍ ଉପରେ ହାତ ଥିବା କହି ଚାଷୀଙ୍କୁ ନାଲି ଆଖି ଦେଖାଇବାକୁ ମଧ୍ୟ ପଛାଉନଥିବା ଅଭିଯୋଗ ହୋଇଛି। ଏଣୁ ଏହି ଦୁଇ ଅଧିକାରୀଙ୍କ ଏଠାରୁ ବଦଳି ଦାବି ହୋଇଛି। ସତ୍ୟନାରାୟଣ ମହାନ୍ତ, ଦେବେନ୍ଦ୍ର ନାଥ ସିଂ, କାହ୍ନୁ ଚରଣ ସିଂ, ନିର୍ମଳ କୁମାର ମହାନ୍ତ, ପରେଶ ମହାନ୍ତ, ଶତୃଘ୍ନ ମହାନ୍ତ, ଘନଶ୍ୟାମ ମହାନ୍ତ ପ୍ରମୁଖ ଚାଷୀ ଧାରଣାରେ ବସିଥିଲେ।
ମୟୁରଭଞ୍ଜରେ ତେଜୁଛି ଧାନ ବିକ୍ରି ତାତି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଚାଷୀ
Advertisment
Follow Us