ଖରିଫ ଧାନ ସଂଗ୍ରହରେ ଚାଷୀଙ୍କ ପଂଜୀକରଣ ଅନିୟମିତତା ନେଇ ଚାଷୀଙ୍କ ଧାରଣା

Advertisment
ଖରିଫ ଧାନ ସଂଗ୍ରହରେ ଚାଷୀଙ୍କ ପଂଜୀକରଣ ଅନିୟମିତତା ନେଇ ଚାଷୀଙ୍କ ଧାରଣା

Sambad

ଖୋର୍ଦ୍ଧା: ବେଗୁନିଆ ବ୍ଲକ ବଡ଼ବେରଣା ସେବା ସମବାୟ ସମିତିର ଚାଷୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି। ୨୦୨୧-୨୨ ଖରିଫ ଧାନ ସଂଗ୍ରହରେ ଚାଷୀଙ୍କ ପଂଜୀକରଣରେ ବ୍ୟାପକ ଅନିୟମିତତା ହୋଇଥିବା ଏଥିପାଇଁ ବାରମ୍ବାର ଲିଖିତ ଅଭିଯୋଗ ସ‌ତ୍ୱ‌େ କୌଣସି ପଦକ୍ଷେପ ନିଆଯାଇନଥିବା ପ୍ରତିବାଦରେ ଏହି ବିକ୍ଷୋଭ କରିଛନ୍ତି। ଆଜି ପୂର୍ବାହ୍ନ ୧୧ଟା ବେଳେ ବଡ଼ବେରଣା ସେବା ସମବାୟ ସମିତି ଅଧୀନରେ ଥିବା ପ୍ରାୟ ୭୦ରୁ ଉର୍ଦ୍ଧ୍ବ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହାତରେ ବ୍ୟାନର ଆଦି ନେଇ ପହଂଚିଥିଲେ। ସେଠାରେ ପ୍ରଶାସନ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେବା ସହ ଧାରଣାରେ ବସିଥିଲେ। ଏହାପରେ ୫ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଳାପାଳଙ୍କୁ ପ୍ରଦାନ କରିଥିଲେ। ବିକ୍ଷୋଭର ନେତୃତ୍ୱ ନେଇଥିବା ବାନାମ୍ବର ପଣ୍ଡା କହିଛନ୍ତି ଯେ ଚଳିତ ବର୍ଷ ଅଗଷ୍ଟ ୧୬ ତାରିଖ ପଂଜୀକରଣ ଧାର୍ଯ୍ୟ ସମୟ ପୂର୍ବରୁ ଚାଷୀମାନେ ସେମାନଙ୍କ ଆବଶ୍ୟକ କାଗଜପତ୍ର ସହ ସେବା ସମବାୟ ସମିତିରେ ଦାଖଲ କରିଥିଲେ। କିନ୍ତୁ ପରେ ଜାଣିବାକୁ ପାଇଲେ ଯେ ସେବା ସମବାୟ ସମିତିର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଚାଷୀଙ୍କୁ ପଂଜୀକରଣ କରାଯାଇନାହିଁ। ଏହାର ପ୍ରତିବାଦରେ ସେପ୍ଟମ୍ବର ୨୦ ତାରିଖରେ ବେଗୁନିଆରେ ରାଜରାସ୍ତାରେ ଧାରଣା ଦେଇଥିଲେ। ପରେ ପୁଣି ଚଳିତ ମାସ ୧ ତାରିଖରେ ସେବା ସମବାୟ ସମିତି ସମ୍ମୁଖରେ ଧାରଣା ଦେଇଥିଲେ।

ଏହି ସହିତ ଜିଲ୍ଲାପାଳଙ୍କୁ ଏକାଧିକ ଥର ଲିଖିତ ଭାବେ ଜଣାଇଥିଲେ, କିନ୍ତୁ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିଲା ନାହିଁ। ଚାଷୀ ଅବିନାଶ ପଣ୍ଡା କହିଛନ୍ତି ଯେ ଚଳିତ ବର୍ଷ ଚାଷୀଙ୍କ ପଂଜୀକରଣ ପ୍ରକ୍ରିୟା ବିଶେଷତଃ ବଡ଼ବେରଣା ସେବା ସମବାୟ ସମିତିରେ ବ୍ୟାପକ ଅନିୟମିତତା ହୋଇଛି। ଏହାର ଭିଜିଲାନ୍ସ ସ୍ତରରେ ତଦନ୍ତ କରାଯାଉ, ଯେଉଁ ମାନଙ୍କ ଚାଷୀଙ୍କ ନାମରେ ପଂଜୀକରଣ କରାଯାଇଛି ସେମାନଙ୍କ ଜମି ପଟ୍ଟା ଆଦିର ଯାଂଚ କରାଯିବା ସହ ପଂଜୀକୃତ ହୋଇନଥିବା ଚାଷୀଙ୍କୁ ତୁରନ୍ତ ପଂଜୀକରଣ କରାଯାଇ ସେମାନଙ୍କ ଠାରୁ ଧାନ କିଣିବା ବ୍ୟବସ୍ଥା କରାଯାଉ। ଯଦି ଏହାନୁହେଁ ଆଗାମୀ ଦିନରେ ନିଜର ପରିବାର ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଦେବେ। ଆଜିର ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଚାଷୀ ବିନୋଦ ବିହାରୀ ରାଉତରାୟ, ମାନଓ ରଂଜନ ପଣ୍ଡା, ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ହାଡ଼ିବନ୍ଧୁ ମାନସିଂହ, ଅର୍ଜ୍ଜୁନ ପଣ୍ଡା, ଅଜୟ କୁମାର ମାର୍ଥା, ବିକ୍ରମ ସାହୁ, ସନ୍ତୋଷ କୁମାର ବେହେରା, ନୀଳମଣି ମହାପାତ୍ର, ପରେଶ କୁମାର ଜଗଦେବ୍‌, ମାନସ ରଂଜନ ମଣ୍ଡଳଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe