ଜଳ ନିଷ୍କାସନ ସମସ୍ୟା, ଚାଷ ଠପ୍‌

Advertisment
ଜଳ ନିଷ୍କାସନ ସମସ୍ୟା, ଚାଷ ଠପ୍‌

Sambad

ଜଗତସିଂହପୁର ସଦର: ଦୁଇ ତିନି ଦିନ ଧରି ଲଘୁଚାପଜନିତ ଳଗାଣ ବର୍ଷାରେ ୩ଟି ପଂଚାୟତର ଚାଷୀ ମାନଙ୍କର ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଜଗତସିଂହପୁର ବ୍ଲକ ମରୁଣିଆ ଦାମୋଦରପୁର ଅଂଚଳ ଚାଷୀମାନଙ୍କ ୨୦୦ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ତଳି ସବୁ ବୁଡି ନଷ୍ଟ ହେଉଛି। ଫଳରେ ଚାଷୀମାନେ ମୁଣ୍ତରେ ହାତ ଦେଇ ବସିଛନ୍ତି। ଉକ୍ତ ପଂଚାୟତରେ ଜଳ ନିଷ୍କାସନ ନିମନ୍ତେ ମୁରୁଣିଆ ପାଟ , ପଳାଶୋଳ ଗ୍ରାମ ପଂଚାୟତର ଡିଙ୍ଗେଶ୍ବର, ପଳାଶୋଳ ଓ ରଘୁନାଥପୁର ବ୍ଲକର ରାଢ଼ଙ୍ଗ ଗ୍ରାମପଂଚାୟତର କଳିଙ୍ଗା, ଜିରା ଓ ରାଢ଼ଙ୍ଗର ପାଟଜମି ଦେଇ ଏକ ସଫେଇ ବାଟଦେଇ ଉଦ୍‌ବୃତ୍ତ ବର୍ଷା ଜଳ ପ୍ରବାହିତ ହୋଇଥାଏ। କିନ୍ତୁ କଳିଙ୍ଗା ଗ୍ରାମର କିଛି ମୃଷ୍ଟିମେୟ ବ୍ୟକ୍ତି ନିଜ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଉକ୍ତ ଜଳପଥକୁ ଖରାଦିନେ ମାଟିପୋତି ଅବରୋଧ କରିଛନ୍ତି। ଯାହା ଫଳରେ ଜଳ ନିଷ୍କାସନରେ ଘୋର ଅସୁବିଧା ହେଉଛି। ସେହିପରି ଜିରା ଗ୍ରାମ ନିକଟରେ ମାଛ ଆଳରେ ପାଟ ମଝିରେ ପୋଖରୀ ବନ୍ଧ କରି ଗହୀରରୁ ଉଦ୍‌ବୃତ୍ତ ବର୍ଷା ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ଅୟର ଗ୍ରାମ ପଂଚାୟତର ମୁରୁଣିଆ, ଦାମଦୋରପୁର, ପଳାଶୋଳ ପଂଚାୟତର ଡିଙ୍ଗେଶ୍ବର, ପଳାଶୋଳ, ରାଢ଼ଙ୍ଗ, ଜିରା ଓ କଳିଙ୍ଗା ଗ୍ରାମର ଚାଷୀମାନଙ୍କର ଏକର ଏକର ଚାଷ ଜମିରେ ଖରିଫ ଧାନ ଚାଷ କାର୍ଯ୍ୟ ହୋଇନପାରିବାର ଆଶଙ୍କା ଦେଖାଦେଇଛି।

ଜିଲ୍ଲା ମତ୍ସ୍ୟ ବିଭାଗର ପ୍ରୋତ୍ସାହନ ପାଇଥିବା ଚାଷୀମାନଙ୍କ ଜମିର ଫିଜିବିଲିଟି ରିପୋର୍ଟ ପଂଚାୟତକୁ ମଗାଯିବା ଉଚିତ୍। କିନ୍ତୁ ବିଭାଗୀୟ ଅଧିକାରୀ ମାନେ ମନମୁଖୀ ଭାବେ ଯେଉଁଠି ନାହିଁ ସେଠି ଫୋଖରୀ ଖୋଳିବାକୁ କହିବାରୁ ଚାଷୀ ମାନେ ଗହୀର ମଝିରେ ପୋଖରୀ ଖୋଳିବାରୁ ସମଗ୍ର ଚାଷଜମି କ୍ଷତିଗ୍ରସ୍ତ ହେବାର ଲାଗିଛି। ତେବେ ସଂପୃକ୍ତ ଚାଷଜମି ଥିବା ଚାଷୀମାନଙ୍କ ଜମିରୁ ଉଦ୍‌ବୃତ୍ତ ଜଳ ନିଷ୍କାସନ ନିମନ୍ତେ ଚାଷୀମାନେ ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇଙ୍କ ଦୃଷ୍ଟି ଆର୍କଷଣ କରିଥିଲେ। ଶ୍ରୀ ଭୋଇ ଟେଲିଫୋନରେ ରଘୁନାଥପୁର ତହସିଲଦାରଙ୍କୁ ସମାଧାନ ନିମନ୍ତେ ଅନୁରୋଧ କରିବା ପରେ ତହସିଲଦାର ସ୍ଥାନୀୟ ଆର୍‌ଆଇକୁ ପଠାଇ ଜଳ ନିଷ୍କାସନର ସୁବ୍ୟବସ୍ଥା କରିବା ପରେ ଚାଷୀ ମାନେ ଆଶ୍ବସ୍ତିଲାଭ କରିଛନ୍ତି।। ତେବେ ଉକ୍ତ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଚାଷୀ ମାନେ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ କରାଯାଉନାହିଁ। ସମସ୍ୟାର ସ୍ଥାୟୀ ସମାଧାନ କରାନଗଲେ ଚାଷୀମାନେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରାନଯିବାରୁ ଅୟର, ପଳାଶୋଳ ଓ ରାଢ଼ଙ୍ଗ ଆଦି ୩ ପଞ୍ଚାୟତର ଚାଷୀମାନେ ବର୍ଷା ଦିନେ ବିଶେଷ ସମସ୍ୟାରେ ପଡ଼ୁଛନ୍ତି। ଏହାର ସ୍ଥାୟୀ ସମାଧାନ କରାଯାଉ। ନଚେତ ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରାଯିବ।
ସୁବଳ ଚରଣ ନାୟକ, ଚାଷୀ, ମୁରୁଣିଆ

ପ୍ରତିବର୍ଷ ବର୍ଷାଦିନେ ଉଦ୍‌ବୃତ୍ତ ଜଳ ଯୋଗୁଁ ଖରିଫ ଫସଲ ନଷ୍ଟ ହେଉଛି। ତେଣୁ ଏଦିଗରେ ପ୍ରଶାସନିକ ସ୍ତରରେ ସ୍ଥାୟୀ ସମାଧାନ କରିବା ପାଇଁ ଉଦ୍ୟମ କରାଯାଉନାହିଁ। ଏହାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଖଜଣା ଜଳକର ଦିଆଯିବ ନାହିଁ।
ଜିତେନ ସାସମଲ, ସ୍ଥାନୀୟ ବାସିନ୍ଦା

ଜିଲ୍ଲା ମତ୍ସ୍ୟ ବିଭାଗର ଅନୁମୋଦନ କ୍ରମେ ହିତାଧିକାରୀ ମାନେ ବିଭିନ୍ନ ଗହୀର ମଝିରେ ପୋଖରୀ ଖୋଳିବା ଦ୍ବାରା ବର୍ଷା ଦିନେ ପୋଖରୀ ପାଣି ଭର୍ତ୍ତି ହୋଇ ଚାଷ ବୁଡିଯାଉଛି। ଜଳ ନିଷ୍ପାସନ ହୋଇପାରୁନାହି। ଫଳରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ଜିଲ୍ଲା ମତ୍ସ୍ୟ ବିଭାଗ ହିତାଧିକାରୀଙ୍କ ପୋଖରୀ ଖୋଳିବା ପୂର୍ବରୁ ଏହାର ସଠିକ୍ ସ୍ଥାନ ନିରପଣ କରାଯିବା ଆବଶ୍ୟକ।
ପ୍ରଶାନ୍ତ କୁମାର ସ୍ବାଇଁ, ସାମାଜିକ କର୍ମୀ, ଅୟର ଗ୍ରାମପଂଚାୟତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe