ସ୍ୱଳ୍ପ ବୃଷ୍ଟିପାତ, ଶୁଖିଲା କେନାଲରେ ଭର୍ତ୍ତି ହୋଇଛି ଅନାବନା ଗଛ, ନରସିଂହପୁରରେ ଗଜା ମରୁଡ଼ି ଆଶଙ୍କା

Advertisment
ସ୍ୱଳ୍ପ ବୃଷ୍ଟିପାତ, ଶୁଖିଲା କେନାଲରେ ଭର୍ତ୍ତି ହୋଇଛି ଅନାବନା ଗଛ, ନରସିଂହପୁରରେ ଗଜା ମରୁଡ଼ି ଆଶଙ୍କା

Sambad

ନରସିଂହପୁର: ନରସିଂହପୁର ବ୍ଲକ୍‌ରେ ଆବଶ୍ୟକତାରୁ କମ୍‌ ବର୍ଷା ହୋଇଛି। ସ୍ୱଳ୍ପ ବୃଷ୍ଟିପାତ ସାଙ୍ଗକୁ ଶୁଖିଲା ପଡ଼ିଥିବା କେନାଲ୍‌ଗୁଡ଼ିକ ଅନାବନା ଗଛରେ ପରିପୂର୍ଣ୍ଣ ହୋଇଯାଇଛି। ଫଳରେ ନରସିଂହପୁର ଅଞ୍ଚଳରେ ଗଜା ମରୁଡ଼ି ହେବାର ଆଶଙ୍କା ପ୍ରକାଶ ପାଇଛି। ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ ୩୭ଟି ପଞ୍ଚାୟତର ଜନସାଧାରଣ ମୁଖ୍ୟତଃ କୃଷି ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି। ପାହାଡ଼-ପର୍ବତ ଘେରା ନରସିଂହପୁରରେ ଜଳସେଚନର ସୁବିଧା ନାହିଁ କହିଲେ ଚଳେ। ଚାଷ ଜମିକୁ ଜଳଯୋଗାଣ ପାଇଁ ସରକାର ହଜାର ହଜାର କୋଟି ଟଙ୍କା ବ୍ୟୟ କରି ମେଗାଲିଫ୍ଟ ଯୋଜନା କରିଛନ୍ତି। ମାତ୍ର ତାହା ଏଯାବତ୍‌ କାର୍ଯ୍ୟକାରୀ ହୋଇନାହିଁ। ବର୍ଷାଋତୁ ପୂର୍ବରୁ ଧାନଚାଷୀମାନେ ଜମିରେ ହଳ କରି ବୁଣା ବେଉସା କାର୍ଯ୍ୟ ଶେଷ କରିଥିଲେ। ଅନେକ ସ୍ଥାନରେ ଧାନ ରୁଆ ପାଇଁ ତଳି ମଧ୍ୟ ପକାଯାଇଛି। ହେଲେ, ଆଷାଢ଼ ମାସ ଅଧା ହେବାକୁ ବସିଥିଲେ ମଧ୍ୟ କାଁଭାଁ ବର୍ଷା ହୋଇଛି। ପାଣି ଅଭାବରୁ ତଳି ମରିବାକୁ ବସିଛି।

ସେହିପରି ବୁଣା ଧାନ ସବୁ ଗଜା ହୋଇ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଅନେକ ଜମିରେ ଗଜା ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ବ୍ଲକ୍‌ର ବାଲିଝରି, କୁରାଞ୍ଜ, ବାସେଳିହତା, ଆତଣ୍ଡା, ଋଷିପଡ଼ା, ହରିପୁର, କାନପୁର, କାଞ୍ଜିଆପଦା, ଚମ୍ପେଶ୍ୱର, ଚଷାବାରବାଟୀ, କରିଲୋ, ସାଗର, ଅଢ଼େଇଗୁଣ୍ଡି, ଗମିଲୋ, ବନ୍ଧହୁଡ଼ା, ନୁଖାପଡ଼ା, ନୂଆପାଟଣା, କାକୁଡ଼ିଆ, ଏକଡାଳ, ପଦାମାଳ, ଘୋରାଡ଼ିଆ, ଶରଧାପୁର, ନିମସାହି, ନଖପଡ଼ା, ବାଲିସାହି, ନୂଆଗାଁ, ଜିଲିଣ୍ଡା, ଓଲବ, ଦେବଭୂଇଁ, ରେଗେଡ଼ା, ବସନ୍ତପୁର, କମଳାଡିହ ଆଦି ଗ୍ରାମର ହଜାର ହଜାର ହେକ୍ଟର ଜମି ଶୁଖିଲା ପଡ଼ିଛି। ଆଗାମୀ ଦିନରେ ଆବଶ୍ୟକ ବର୍ଷା ନ ହେଲେ ମରୁଡ଼ି ଅବଶ୍ୟମ୍ଭାବୀ ବୋଲି କୃଷକ ସଂଗଠନ ସଭାପତି ସନାତନ ସ୍ୱାଇଁ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe