ନାଉଗାଁରେ ମିଳିତ ଜନଅଭିଯୋଗ ଶୁଣାଣିରେ ୫୯ ଆବେଦନ, ଶ୍ମଶାନରେ ଶବଦାହ ପାଇଁ ଜାତିଧର୍ମର ବାଛବିଚାର!

Advertisment
ନାଉଗାଁରେ ମିଳିତ ଜନଅଭିଯୋଗ ଶୁଣାଣିରେ ୫୯ ଆବେଦନ, ଶ୍ମଶାନରେ ଶବଦାହ ପାଇଁ ଜାତିଧର୍ମର ବାଛବିଚାର!

Sambad

ନାଉଗାଁ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନାଉଗାଁ ବ୍ଲକ ସମ୍ମିଳନୀ କକ୍ଷରେ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ। ବିଗତ ଦୁଇ ବର୍ଷ ହେଲା କୋଭିଡ୍‌ କଟକଣା କାରଣରୁ ଅଭିଯୋଗ ଶୁଣାଣି ଶବିର ହୋଇ ନଥିଲା। ଏଥର ମଧ୍ୟ ଏଦିଗରେ ପ୍ରଚାର ପ୍ରସାର ହୋଇ ନଥିବାରୁ ଶିବିରରେ ମାତ୍ର ୫୯ ଟି ଅଭିଯୋଗ ପଞ୍ଜିକୃତ ହୋଇ ଥିଲା। ସେଥିରୁ ଗ୍ରାମ ଓ ଗୋଷ୍ଠୀଗତ ସମସ୍ୟା ୨୨ ଟି ଓ ବ୍ୟକ୍ତିଗତ ସମସ୍ୟା ୩୭ଟିର ଶୁଣାଣି ହୋଇଥିଲା। ବ୍ୟକ୍ତିଗତ ସମସ୍ୟା ମଧ୍ୟରୁ ରେଡକ୍ରସ ପାଣ୍ଠିରୁ ସହାୟତା ନିମନ୍ତେ ୧ଟି, ଜମି ଜମା ସମସ୍ୟା ୬ଟି, ଆବାସ ଯୋଜନା ନିମନ୍ତେ ୧୬ ଟି, ଭତ୍ତା ପାଇଁ ୪ଟି, ସାଧାରଣ ବଣ୍ଟନ ୩ଟି, କାଳିଆ ଯୋଜନାର ଗୋଟିଏ ଓ ଅନନ୍ୟା ୬ ଅଭିଯୋଗ ଶୁଣାଣି ହୋଇଥିଲା।

ଏହି ଶିବିରରେ ଅତିରିକ୍ତ ଅରକ୍ଷୀ ଅଧୀକ୍ଷକ ରମେଶ କୁମାର ପଣ୍ଡା, ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥାର ରୁଦ୍ର ନାରାୟଣ ଦାସ, ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲିକ, ନାଉଗାଁ ବ୍ଳକ ବିଡିଓ ରଶ୍ମିରେଖା ମଲ୍ଲିକ୍‌, ତହସିଲଦାର ଜେ. କଳ୍ପନା, ନାଉଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଉପାଧ୍ୟକ୍ଷ ସୁଜିତ ପୁହାଣଙ୍କସମେତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଏହି ଶିବିରରେ ଜମିଜମା ରାସ୍ତା ଘାଟ ଓ ପାନୀୟ ଜଳ ସମସ୍ୟା ନେଇ ସାମୁହିକ ଭାବରେ ଅଭିଯୋଗ ହୋଇଥିଲା।

ଶବଦାହ ପାଇଁ ଅନୁମତି ମିଳୁନି
ନାଉଗାଁ ବ୍ଳକରେ ଥିବା ବିଭିନ୍ନ ଶ୍ମଶାନଗୃହରେ ଶବଦାହରେ ପାତରଅନ୍ତର ନୀତି କରାଯାଉଛି। ଶ୍ମଶାନରେ ଜାତିବର୍ଣ୍ଣ ଧର୍ମର ବଛେବିଚାର ରହିବା କଥା ନୁହଁ। କିନ୍ତୁ କେତେକ ଶ୍ମଶାନରେ ନିର୍ଦ୍ଦଷ୍ଟ ଜାତି ସଂପ୍ରଦାୟର ଲୋକଙ୍କୁ ଶବଦାହ ପାଇଁ ଅନୁମତି ନମିଳିବା ଦୁର୍ଭଗ୍ୟଜନକ। ଏଦିଗରେ ପ୍ରଶାସନ ଦୃଷ୍ଟି ଦେଇ ବିହିତ ବ୍ୟବସ୍ଥା ଗ୍ରହଣ କରିବାକୁ ବହୁଜନ ଯୁବ ଛାତ୍ର ପରିଷଦ ସଭାପତି ଅନିଲ ମଲ୍ଲିକ୍ ଜିଲ୍ଲାପାଳଙ୍କ ଦୃଷ୍ଟିଆକର୍ଷଣ କରିଥିଲେ।

ପମ୍ପ୍ ହାଉସ୍‌ ସମସ୍ୟା ନିରାକରଣ ଦାବି
୬ ମାସ ହେଲା ଦରମା ମିଳି ନଥିବାରୁ ପମ୍ପ୍‌ହାଉସ୍‌ କର୍ମଚାରୀମାନେ ନାନା ସମସ୍ୟାରେ ଅଛନ୍ତି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପମ୍ପ୍‌ ହାଉସ୍‌କୁ ସଂଯୋଗ କରୁଥିବା ପାଇପ୍‌ସବୁ ଫାଟି ପାଣିଜମା ହୋଇ ରହୁଛି। ଆଣ୍ଠୁଏ ପାଣିରେ ପଶି କାମ କରିବାକୁ ପଡ଼ୁଛି। ଏଦିଗରେ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଧ୍ୟାନ ଦେବାକୁ ‌ମାନସ ଦାସ ଅନୁରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe