ଚଳଚିତ୍ର ଅଭିନେତା ହେମଚନ୍ଦ୍ର ସାହୁଙ୍କ ପରଲୋକ 

Advertisment
ଚଳଚିତ୍ର ଅଭିନେତା ହେମଚନ୍ଦ୍ର ସାହୁଙ୍କ ପରଲୋକ 
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ବାହାଦୂରବଗିଚା ପଡାର ଚଳଚିତ୍ର ଅଭିନେତା ତଥା କ୍ରୀଡା ସଙ୍ଗଠକ ଓ ଶିକ୍ଷାବିଦ୍‌ ହେମଚନ୍ଦ୍ର ସାହୁଙ୍କ ଆଜି ୭୨ ବର୍ଷ ବୟସରେ ତାଙ୍କ ପରଲୋକ ହୋଇଛି । ସ୍ଵର୍ଗତ ହେମଚନ୍ଦ୍ର ସାହୁ ୧୯୪୭ ମସିହା ଅକ୍ଟୋବର ୧୭ ତାରିଖରେ ଭବାନୀପାଟଣା ସହରସ୍ଥିତ ବାହାଦୂର ବଗିଚା ପଡ଼ାରେ ଜନ୍ମ ଗ୍ରହଣ କରିଥିଲେ । ବ୍ରଜ ମୋହନ ହାଇସ୍କୁଲରେ ପଢ଼ୁଥିବା ବେଳେ ମଧୁରେଣୁ ନାଟକ ମାଧ୍ୟମରେ ନିଜର ମଞ୍ଚ ନାଟକରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କ ବଡ଼ପୁଅ ତଥା କଳାହାଣ୍ଡି ବଣିକ ସଂଘର ସଭାପତି ବିଜୟ କୁମାର ସାହୁ ମୁଖାଗ୍ନି ଦେଇଥିବା ବେଳେ ପୁଅ ବିନୟ, ସଞ୍ଜୟ, ମଳୟ ଶେଷକୃତ୍ୟ ସମ୍ପନ୍ନ କରିଥିଲେ ।
ବିଭିନ୍ନ ସମୟରେ ସ୍ୱର୍ଗତ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ଙ୍କ ବିଭିନ୍ନ ନାଟକରେ ଅଭିନୟ କରି ପ୍ରଶଂଶାଭାଜନ ହୋଇଥିଲେ । ଭବାନୀପାଟଣା, ବଲାଙ୍ଗୀରରୁ ଆରମ୍ଭ କରି ସେ ଲକ୍ଷ୍ନୌ ପର୍ଯ୍ୟନ୍ତ ବିଭିନ୍ନ ନାଟକ ମହୋତ୍ସବରେ ନିଜର ଅଭିନୟର ପରାକାଷ୍ଠା ଦେଖାଇଥିଲେ । ତାଙ୍କୁ ୨୦୧୧ ମସିହାରେ ପଞ୍ଚମ ରାଜ୍ୟ ସ୍ତରୀୟ ଲଘୁ ନାଟକ ପ୍ରତିଯୋଗିତାରେ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଆ ଚଳଚ୍ଚିତ୍ର ସମର୍ପଣ, ପଳାତକ, ଜନ୍ମଦାତା ଚଳଚିତ୍ରରେ ଅଭିନୟ କରିଥିଲେ । ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କ ସହିତ ହାସ୍ୟ ଅଭିନେତା ଭାବରେ ତାଙ୍କ ଅଭିନୟକୁ ଲୋକେ ସବାସୀ ଦେଇଥିଲେ ।
୨୯୭୨ ମସିହାରେ କୋକସରା ଜବାହାର ହାଇସ୍କୁଲରେ ଶିକ୍ଷକ ଭାବରେ ଚାକିରି ଜୀବନ ଆରମ୍ଭ କରିଥିଲେ । ୨୦୦୨ ମସିହାରେ ଭବାନୀପାଟଣା ସହରସ୍ଥିତ ମ୍ୟୁନିସିପାଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ହୋଇଥିଲେ । ୨୦୦୫ ମସିହା ଅକ୍ଟୋବର ୩୧ ତାରିଖରେ ଅବସର ଗ୍ରହଣ କରିଥିଲେ । ବିଭିନ୍ନ ସମୟରେ ପର୍ଶୁରାମ ବେଶରେ ଲୋକଙ୍କ ଠାରୁ ଅର୍ଥ ସଂଗ୍ରହ କରି ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରୁଥିଲେ ।
ସେ ଏକାଧାରରେ ଶିକ୍ଷାବିତ, ମଞ୍ଚ କଳାକାର, ଚଳଚ୍ଚିତ୍ର ଅଭିନେତା ଓ କ୍ରୀଡା ସଙ୍ଗଠକ ଭାବରେ ତାଙ୍କର ସୁନାମ ପାଇଁ ୨୦୧୫ ମସିହାରେ କଳାହାଣ୍ଡି ଉତ୍ସବ ଘୁମୁରାରେ କଳାହାଣ୍ଡି ବରପୁତ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ଗତକିଛି ଦିନ ଧରି ତାଙ୍କ ଦେହ ଅସୁସ୍ଥ ଥିବା ଯୋଗୁଁ ବିଶାଖାପାଟଣାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଆଜି ଭବାନୀପାଟଣା ଫେରିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି ।
ଏନେଇ କଳାହାଣ୍ଡି ଜିଲ୍ଲା ଆଥଲେଟିକ ଏସୋସିଏସନ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଓଡିଶା ଆଥଲେଟିକ ଏସୋସିଏସନ ସଭାପତି ଜଗମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ଜିଲ୍ଲା ଆଥଲେଟିକ ଏସୋସିଏସନ ଉପଭାପତି ସୁରେନ୍ଦ୍ର ନାଥ ତ୍ରିପାଠୀ, ସହ ସମ୍ପାଦକ ସୁନୀଲ ବେହେରା, କାକିପ୍ରସାଦ ପଟ୍ଟନାୟକ, ଟୁନୁ ପଣ୍ଡା, ଅଶୋକ ପଟ୍ଟନାୟକ, ସନ୍ଥ ସିଂ, ପଙ୍କଜ ପଟ୍ଟନାୟକ, ଚକ୍ରଧର ସେଠୀ, ଧୀରେନ ପଟ୍ଟନାୟକ, ଖେଳ ଶିକ୍ଷକ ସଞ୍ଜୟ ମିଶ୍ର, ଅଜୟ ପଟ୍ଟନାୟକ, ଅବଦୁଲ କାଦିର, ନିର୍ମଳ ସିଂ, ଭିକାରୀ ମିଶ୍ର ପ୍ରମୁଖ ସ୍ବର୍ଗତ ହେମଚନ୍ଦ୍ର ସାହୁଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।
ସେହିଭଳି ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସଭାପତି ଜୟନ୍ତ କୁମାର ବେହରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ତାଙ୍କର ଆମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ସ୍ୱର୍ଗତ ହେମଚନ୍ଦ୍ର ସାହୁଙ୍କ ସ୍ମୃତି ଚାରଣ କରାଯାଇଥିଲା । ଏଥିରେ ଉପସଭାପତି ଶାନ୍ତନୁ ବେହେରା, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ସିଂ, କୋଷାଧ୍ୟକ୍ଷ ପ୍ରଦୀପ ସିଂ, ସହ ସମ୍ପାଦକ ସଞ୍ଜୀବ ସିଂ, କ୍ରୀଡା ସମ୍ପାଦକ ଶୁସିଲ ଗହୀର, ନାଟ୍ୟ ସମ୍ପାଦକ ଶୁସାନ୍ତ ସିଂ, ଅଶ୍ୱିନୀ ନେଗୀ, ଲଳିତ ପଣ୍ଡା, ସୁବୋଧ ପଣ୍ଡା, ଲଳିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe