Representative image The Indian Express
ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ପ୍ରତାପରୁଦ୍ରପୁର-କଣ୍ଟାପଡ଼ା ଗ୍ରାମ ଉନ୍ନୟନ ମୁଖ୍ୟ ରାସ୍ତାର ପ୍ରତାପରୁଦ୍ରପୁର ଆଖଣ୍ଡଳେଶ୍ବର ମନ୍ଦିର ବୃଷଭ ପ୍ରତିମୂର୍ତ୍ତି ନିକଟରେ ଆଜି ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ଦୁଇଜଣ ଦୁର୍ବୃତ୍ତ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲିରେ ହାଣି ତାଙ୍କ ନିକଟରୁ ୭୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟର ଶିକାର କର୍ମଚାରୀ ହେଲେ ନଖରାସ୍ଥିତ ଭାରତ ଅର୍ଥଲଗାଣକାରୀ ସଂସ୍ଥାର ଜ୍ଞାନେନ୍ଦ୍ର ଦ୍ବିବେଦୀ। ଭୁଜାଲି ଚୋଟରେ ଜ୍ଞାନେନ୍ଦ୍ରଙ୍କ ହାତ ଗଭୀର ଭାବେ କ୍ଷତାକ୍ତ ହୋଇଛି। ରକ୍ତାକ୍ତ ଅବସ୍ଥାରେ ଜ୍ଞାନେନ୍ଦ୍ର ସେଠାରେ ଛଟପଟ ହେଉଥିବା ବେଳେ ଲୁଟେରା ଚମ୍ପଟ ମାରିଥିଲେ। '
ସେହିବାଟେ ଯାଉଥିବା ପଥଚାରୀ ଏବଂ ବାଇକ ଆରୋହୀ ଅଟକି ଡାକ ପକାଇଥିଲେ। ପାଟିଶୁଣି ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଡକାଇ ଚିକିତ୍ସା ଲାଗି ଜ୍ଞାନ୍ଦ୍ରେଙ୍କୁ ଅଡ଼ଶପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଖବର ପାଇ ବାଲିଅନ୍ତା ଥାନା ଏଏସ୍ଆଇ ଅରୁଣ ମଲ୍ଲିକ ଓ ଏସ୍ଆଇ ତୃପ୍ତିମୟୀ ରାଉତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ। ଏଥିସହିତ ଜ୍ଞାନେନ୍ଦ୍ରଙ୍କ ବାଇକକୁ ଉଦ୍ଧାର କରି ଥାନାକୁ ନେଇ ଯାଇଥିଲେ। ତେବେ ରିପୋର୍ଟ ଲେଖା ହେବା ବେଳକୁ ବାଲିଅନ୍ତା ଥାନାରେ ମାମଲା ରୁଜୁ ହୋଇନଥିବା ଜଣେ ପୁଲିସ ଅଧିକାରୀ ଜଣାଇଛନ୍ତି। ସୂଚନା ମୁତାବକ ଜ୍ଞାନେନ୍ଦ୍ର କଣ୍ଟାପଡ଼ା ରାସ୍ତାରେ ନଖରା ଯାଉଥିବା ବେଳେ ଦୁଇଜଣ ଯୁବକ କଳା ପଲସରରେ ତାଙ୍କୁ ପିଛା କରି ବୃଷଭ ପ୍ରତିମୂର୍ତ୍ତି ନିକଟରେ ଅଟକାଇଥିଲେ।
ସେ ଗାଡ଼ି ରଖିବା ପରେ ଭୁଜାଲି ଦେଖାଇ ଭୟଭୀତ କରାଇ ଟଙ୍କା ଭର୍ତ୍ତି ବ୍ୟାଗ ମାଗିଥିଲେ। ହେଲେ ଜ୍ଞାନେନ୍ଦ୍ର ବିରୋଧ କରିବାରୁ ତାଙ୍କ ଡାହାଣ ହାତ ପାପୁଲିକୁ ଭୁଜାଲିରେ ହାଣି ଟଙ୍କା ବ୍ୟାଗ ଛଡ଼ାଇ ନେଇଥିଲେ। ଏହାପରେ ବିପରୀତ ଦିଗରେ ପ୍ରତାପରୁଦ୍ରପୁର ବ୍ରିଜ ଅଭିମୁଖେ ଦ୍ରୁତବେଗରେ ପଳାଇଥିଲେ। ସ୍ଥାନୀୟ ଯୁବକ ସେମାନଙ୍କ ପିଛା କରିଥିଲେ ମଧ୍ୟ କାବୁକରି ପାରିନଥିଲେ। ବାଲିଅନ୍ତା ଥାନା ପୁଲିସ ଆହତ କର୍ମଚାରୀଙ୍କୁ ଥାନାକୁ ନେଇ ପଚରାଉଚରା ଚଲାଇଛନ୍ତି।
Follow Us