ଭଦ୍ରକ: ଅଗ୍ନିକାଣ୍ଡରେ ଜଳିଗଲା ୩ ପରିବାରର ୫ ବଖରା ଘର। ଏଥିରେ ୪ ଗୋରୁ ଓ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ଭଦ୍ରକ ବ୍ଲକ ବାଣିତିଆ ପଞ୍ଚାୟତ ଅନ୍ତର୍ଗତ ଦକ୍ଷିଣସାହି ଗ୍ରାମରେ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଗୋପବନ୍ଧୁ ଜେନାଙ୍କ ପରିବାର ଲୋକ ରାତିରେ ଖାଇ ପିଇ ଶୋଇଥିଲେ। ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟ ସର୍କିଟ ଘଟି ଗୋପବନ୍ଧୁଙ୍କ ଘରେ ନିଆଁ ଲାଗିଯାଇଥିଲା। ନିଆଁର ପ୍ରଖର ଏମିତି ଥିଲା ଯେ ଘରୁ କୌଣସି ଜିନିଷ ପତ୍ର ବାହାର କରିବାକୁ ସମୟ ମିଳିପାରି ନଥିଲା। ନିଆଁର ଦାଉରୁ ରକ୍ଷା ପାଇବାପାଇଁ ପରିବାର ଲୋକେ ବାହାରକୁ ପଳେଇଆସିଥିଲେ। ଫଳରେ ନିଆଁର ଝାସରେ ଗୋପବନ୍ଧୁ ଓ ତାଙ୍କର ଦୁଇଭାଇଙ୍କର ୫ବଖରା ଘର ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି। ଏଥିସହ ଘର ପାଖକୁ ଲାଗି ରହିଥିବା ଗୁହାଳ ଘରେ ନିଆଁ ଲାଗିଯିବାରୁ, ନିଆଁର ଆଁରେ ଚାରୋଟି ଗୋରୁ ଓ ଗୋଟିଏ ଛେଳିଙ୍କର ଜୀବନ୍ତ ଦଗ୍ଧ ଘଟିଛି। ଅଗ୍ନିକାଣ୍ଡରେ ଘରେ ଗଛିତ ଥିବା ଧାନ, ଚାଉଳ, ଆସବାବପତ୍ର ଜଳି ପୋଡି ଛାରଖାର ହୋଇଯାଇଛି। ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲା, ହେଲେ ସେତେବେଳକୁ ୩ଟି ପରିବାର ସମ୍ପୂର୍ଣ୍ଣ ସର୍ବସ୍ୱାନ୍ତ ହୋଇଯାଇଥିଲେ।
ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର, ଗୋରୁ-ଛେଳି ଜୀବନ୍ତ ଦଗ୍ଧ
Advertisment
Follow Us