ଚୁଲି ନିଆଁ ଲାଗି ଜଳିଗଲା ଘର

ଚୁଲି ନିଆଁ ଲାଗି ଜଳିଗଲା ଘର

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁପୁଗାଁ ପଞ୍ଚାୟତ ବରାଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଚୁଲିର ନିଆଁ ଲାଗି ଗୋଟିଏ ଘର ସଂପୂର୍ଣ୍ଣ ରୂପେ ପୋଡ଼ି ପାଉଁଶ ହୋଇଯାଇଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ସଂଧ୍ୟାରେ ବରାଗୁଡ଼ା ଗ୍ରାମର ଚୈତୁ ଭତରାଙ୍କ ପତ୍ନୀ ବୈଦୀ ଭତରା ରୋଷେଇ କରିବା ପାଇଁ ଚୁଲି ଲଗାଇଥିଲେ। ପରେ କବାଟ ବନ୍ଦ କରି ନିକଟସ୍ଥ ନଳକୂପକୁ ପାଣି ଆଣିବା ପାଇଁ ଯାଇଥିଲେ। କିନ୍ତୁ ଏହି ସମୟରେ ହଠାତ୍‌ ଚୁଲିରୁ ନିଆଁ ବାହାରି ଚୁଲି ଉପରେ ଥିବା ଝାଡ଼ୁରେ ଲାଗି ଯାଇଥିଲା। ପରେ ଅଳ୍ପ ସମୟ ମଧ୍ୟରେ ନିଆଁ ଘର ଚାରିପଟେ ବ୍ୟାପି ଯାଇଥିଲା। ଚୈତୁଙ୍କ ଘରୁ ଧୂଆଁ ବାହାରୁଥିବା ଦେଖି କିଛି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘର ଚାରିପଟେ ନିଆଁ ଲାଗି ଯାଇଥିବା ଦେଖିବା ପରେ ତୁରନ୍ତ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ। ଏଥିସହ ଏ ସଂପର୍କରେ ଝରିଗାଁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳ‌ରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ନିଆଁ ଲାଗି ଘରେ ଭିତରେ ଥିବା ଧାନ, ମାଣ୍ଡିଆ, ଲୁଗାପଟା ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଥିଲା। ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ ହଜାର ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ଚୈତୁ କହିଛନ୍ତି। ତୁରନ୍ତ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଓ ଚୈତୁଙ୍କ ପରିବାର ଲୋକ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe