ନୂଆପଡା: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ଗଡରାମାଳ ଗ୍ରାମର ଜଣେ ମହିଳା ଉଦନ୍ତୀ ନଦୀକୁ ଗାଧୋଇବାବେଳେ ଭାସିଯାଇଥିଲେ | ତେବେ ସୌଭାଗ୍ୟବଶତଃ ତାଙ୍କୁ ଉଦ୍ଧାର କରାଯାଇଛି | ମିଳିଥିବା ସୂଚନା ମୁତାବକ ମହିଳାଜଣକ ଗାଧୋଉଥିବା ବେଳେ ତାଙ୍କ ଗୋଡ ଖସିଯିବାରୁ ନଦୀର ମୁଖ୍ୟ ସ୍ରୋତରେ ଭାସିଯାଇଥିଲେ। ଆଉ ବଞ୍ଚାଇବାକୁ ଚିତ୍କାର କରିଥିଲେ।
ଏହି ସମୟରେ ଚାଷ ଜମିରେ କାମ କରୁଥିବା କୃଷକମାନେ ସିନାପାଲି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ତୁରନ୍ତ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଗାଧୋଉଥିବା ନଦୀ ଘାଟରୁ ତିନି କିଲୋମିଟର ଦୂରରେ ଅନେକ ପରିଶ୍ରମ ପରେ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ମହିଳା ଜଣଙ୍କ ଗଡରାମାଲ ଗ୍ରାମର ନମିତା ସାହୁ ବୋଲି ଜଣାପଡିଛି | ମହିଳାଙ୍କୁ ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ୱାଭାବିକ ଥିବା ଜଣାପଡିଛି।
Follow Us