ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀବ୍ଲକ ଛଣଗିରି ପଞ୍ଚାୟତର ରମାବିଲି ଗ୍ରାମରେ ଥିବା କଳେଇ ଗଦାରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଯୋଗୁଁ
ହେମନ୍ତ ଜେନା, ସନ୍ତୋଷ ରଣସିଂ, ସୁକାନ୍ତ ଜେନା, ସୌରୀ ଜେନା, ମଙ୍ଗୁଳି ଜେନା, ପ୍ରମୋଦ ଜେନା ଆଦି ଚାଷୀଙ୍କ ପକ୍ଷରୁ ଖଳାବାରିରେ ଅମଳପାଇଁ ରଖାଯାଇଥିବା କଳେଇ ଗଦା ଜଳିପୋଡି ନଷ୍ଟ ହୋଇଯାଇଛି। ତେବେ ନିଆଁ ଜୋର ଲାଗିବା ଦେଖି କିଛି ବ୍ୟକ୍ତିଙ୍କ ପାଟି ଶୁଣି ଗ୍ରାମବାସୀ ଏକତ୍ରିତ ଭାବେ ପାଣି ପକାଇ ନିଆଁ ଲିଭାଇକୁ ଚେଷ୍ଟା ସତେ ବିଫଳ ହୋଇଥିଲେ। ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲାଯେ ଲୋକେ କଳେଇଗଦାରେ ଚଢିବାକୁ ସାହସ ଜୁଟାଇ ପାରିନଥିଲେ। ପରେ ଗ୍ରାମବାସୀଙ୍କ ଠାରୁ ଖବରପାଇ ଟାଙ୍ଗୀ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ନିଆଁ ଲିଭିଲା ବେଳକୁ ସବୁକିଛି ଧାନ ଜାଳିପୋଡି ପାଉଁଶ ହୋଇଯାଇଥିଲା। ଉକ୍ତ ଚାଷୀମାନଙ୍କର ଆନୁମାନିକ ୫ଶହ କୁଇଣ୍ଟାଲରୁ ଉର୍ଦ୍ଧ ଧାନ ଜଳି ଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ପୋଡ଼ି ଯାଇଥିବା ଧାନର ଆନୁମାନିକ ମୂଲ୍ୟ ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ଖବରପାଇ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ବନମାଳୀ ସାହୁ ପହଞ୍ଚି କ୍ଷୟକ୍ଷତି ଆକଳନ କରି ଫେରିଥିବା ଜଣାଯାଇଛି। ଅନୁରୂପଭାବେ ଏହି ଦୁଃଖଦ ଖବର ପାଇ ରାଜ୍ୟ ବିଜେଡି ମହିଳା ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର, ସରପଞ୍ଚ ପୁର୍ଣିମା ମହାପାତ୍ର ପ୍ରମୁଖ ପହଞ୍ଚି ବାର୍ଷିକ ଦାନା ହରାଇଥିବା ଚାଷୀଙ୍କୁ ଆଶ୍ୱାସନା ଦେଇ ଫେରିଥିବା ଜଣାଯାଇଛି।ତେବେ ଚଳିତବର୍ଷ ବହୁ ବାଧାବିଘ୍ନ ସତ୍ତ୍ବେ ଫସଲ ଅମଳ ବେଳକୁ ଏଭଳି ଅଭାବନୀୟ ଘଟଣାକୁ ଦେଖି ପୀଡିତ ଚାଷୀକୁଳ ଦୁଃଖରେ ଭାଙ୍ଗି ପଡିଛନ୍ତି। ତେଣୁ ଏଭଳି ପରିସ୍ଥିତିରେ ବାର୍ଷିକ ଦାନା ହରାଇଥିବା ଚାଷୀ କୂଳକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ସାମାଜିକକର୍ମୀ ରମାକାନ୍ତ ମହାପାତ୍ରଙ୍କ ସମେତ ଗ୍ରାମବାସୀ ନିବେଦନ କରିଛନ୍ତି।
Follow Us