ଖୋର୍ଦ୍ଧା ପରିବା-ଫଳ ଦୋକାନରେ ଅଗ୍ନିକାଣ୍ଡ

Advertisment
ଖୋର୍ଦ୍ଧା ପରିବା-ଫଳ ଦୋକାନରେ ଅଗ୍ନିକାଣ୍ଡ

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ପରିବା ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ବନ୍ଦ ପାଳନ ଯୋଗୁଁ ସମସ୍ତ ଦୋକାନ ବନ୍ଦ ଥିବାରୁ ଏକ ବଡ଼ଧରଣର ଦୁର୍ଘଟଣାରୁ ରକ୍ଷା ମିଳିଛି ।

ସୂଚନାନୁସାରେ, ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ସମ୍ମୁଖସ୍ଥ ପରିବା ଓ ଫଳ ଦୋକାନରେ ହଠାତ୍ ଧୂଆଁ ଉଠିଥିଲା । ବନ୍ଦ ଯୋଗୁଁ ଜନଗହଳି କମ୍ ଥିବାରୁ ଲୋକମାନେ କେଉଁଠୁ ଧୂଆଁ ବାହାରୁଛି ଦେଖିବା ବେଳକୁ ଦୋକାନଗୁଡ଼ିକର ଟିଣଗୁଡ଼ିକ ଫାଟିବାକୁ ଲାଗିଲା । ଶବ୍ଦ ଶୁଣି ଆଖପାଖର ଲୋକମାନେ ଜମା ହୋଇଯାଇଥିଲା । ଏହାପରେ ସୂଚନାପାଇ ଅଗ୍ନିଶମ ବିଭାଗ ଆସି ନିଆଁ ଲିଭାଇଥିଲା । ଅଗ୍ନିକାଣ୍ଡରେ ୨ଟି ଫଳ ଦୋକାନ ଓ ୩ଟି ପରିବା ଦୋକାନର ସମସ୍ତ ପରିବା ଆଦି ପୋଡ଼ି ନଷ୍ଟ ହୋଇଯାଇଛି । ଏହା ଦେଖିବାକୁ ଲୋକଙ୍କ ଭିଡ଼ ଏଭଳି ଜମି ଥିଲା ଯେ ଶେଷରେ ପୁଲିସ୍ ଏସଡିପିଓ ସୁଶୀଲ ମିଶ୍ର ସଦଳବଳେ ଘଟଣାସ୍ଥଳରେ ପହଂଚି ଭିଡ଼କୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ଯୋଗୁଁ ନିକଟରେ ଥିବା ଫର୍ନିଚର ଓ ବ୍ୟାଟେରି ଦୋକାନର ଆଂଶିକ କ୍ଷତି ହୋଇଛି । ଅଗ୍ନିକାଣ୍ଡରେ ପ୍ରାୟ ୫ଲକ୍ଷ ଟଙ୍କାର ପନିପରିବା, ଫଳ ଆଦି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳକୁ ପୌର ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥି ଆସି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଅଗ୍ନିକାଣ୍ଡର ପ୍ରକୃତ କାରଣକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିଲେ ମଧ୍ୟ ମଧ୍ୟ ନିକଟରେ ଥିବା ଅଳିଆଗଦାରେ ଆଜି ବନ୍ଦ ଯୋଗୁଁ କେହି ନିଆଁ ଲଗାଇଥିଲେ, ଏହି ନିଆଁ ଦ୍ୱାରା ଅଗ୍ନିକାଣ୍ଡ ଘଟିଛି ବୋଲି ଅଗ୍ନିଶମ ଅଧିକାରୀ ଶରତ ଚନ୍ଦ୍ର ମଲିକ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe