ଅଗ୍ନିଶମ ବିଭାଗର ନିର୍ଦ୍ଦେଶକୁ ଫୁ, ୯୦% ବ୍ୟବସାୟିକ ପ୍ରତିଷ୍ଠାନରେ ନାହିଁ ଅଗ୍ନିନିର୍ବାପକ ବ୍ୟବସ୍ଥା

Advertisment
ଅଗ୍ନିଶମ ବିଭାଗର ନିର୍ଦ୍ଦେଶକୁ ଫୁ, ୯୦% ବ୍ୟବସାୟିକ ପ୍ରତିଷ୍ଠାନରେ ନାହିଁ ଅଗ୍ନିନିର୍ବାପକ ବ୍ୟବସ୍ଥା

Sambad

ଖୋର୍ଦ୍ଧା: ୨୦୨୨ ମଇ ମାସରେ ଦିଲ୍ଲୀରେ ଏକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିବା ପରେ ରାଜ୍ୟ ସରକାରଙ୍କ ନି‌ର୍ଦ୍ଦେଶରେ ଖୋର୍ଦ୍ଧା ସହରର ବିଭିନ୍ନ ଶିଳ୍ପାନୁଷ୍ଠାନ, ସପିଂମଲ, ବଜାର ସମୂହ (ମାର୍କେଟ୍ କଂପ୍ଲେକ୍ସ), ସରକାରୀ କାର୍ଯ୍ୟାଳୟ ଆଦି ଯାଞ୍ଚ କରାଯାଇଥିଲା। ଶିଳ୍ପାଞ୍ଚଳର କେତେକ ବୃହତ ଶିଳ୍ପାନୁଷ୍ଠାନ ଛାଡ଼ି ବଳକା ୯୫ ପ୍ରତିଶତ ଅନୁଷ୍ଠାନରେ ଅଗ୍ନିନିର୍ବାପକ ଓ ଅପାତକାଳୀନ ନିୟନ୍ତ୍ରଣ ବ୍ୟବସ୍ଥା ନଥିବାରୁ ତାଗିଦ କରାଯାଇ ନୋଟିସ କରାଯାଇଥିଲା। ଏହି ଘଟଣାର ପ୍ରାୟ ୧ ବର୍ଷ ବିତିଯାଇଛି ଶ୍ରୀକ୍ଷେତ୍ରରେ ଦୁଇ ଦୁଇ ଥର ଅଗ୍ନିକାଣ୍ଡ ଘଟି ଦୁଇଟି ବଡ଼ ବଜାର ସମୂହ ଧ୍ୱଂସ ହୋଇଛି, ଏହାସତ୍ୱେ ସହରର କୌଣସି ବ୍ୟବସାୟ ପ୍ରତିଷ୍ଠାନ କିମ୍ବା କାର୍ଯ୍ୟାଳୟର ନିଦ ଭାଙ୍ଗି ନାହିଁ କି ଅଗ୍ନିଶମ ବିଭାଗର ଏହି ତାଗିଦ ଓ ନୋଟିସକୁ ପାଳନ କରାଯାଇନାହିଁ।

ଅପରପକ୍ଷରେ, ଅଗ୍ନିଶମ ବିଭାଗ ମଧ୍ୟ ଉପରିସ୍ଥ ଅଧିକାରୀଙ୍କ ନିଦ୍ଦେଶ ନାହିଁ ବୋଲି ଆଇନର ଖିଲାପ କରିଥିବା ଅନୁଷ୍ଠାନ ବିରୋଧରେ କୌଣସି ପଦକ୍ଷେପ ନେଇନାହିଁ। ଗତବର୍ଷ ମଇ ମାସରେ ୮ ଦିନ ଧରି ଅଗ୍ନିଶମ ବିଭାଗ ପକ୍ଷରୁ ଦୁଇଟି ଟିମ‌ର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ହୋଇଥିବା ଅନୁଷ୍ଠାନ ଗୁଡ଼ିକ ମଧ୍ୟରେ ୪ଟି ସପିଂମଲ, ୨ଟି ହୋଟେଲ ଓ ଶିଳ୍ପାଞ୍ଚଳରେ ଥିବା ୨ଟି ଶିଳ୍ପାନୁଷ୍ଠାନ ରହିଛି। ଯାଞ୍ଚରେ ଶିଳ୍ପାଞ୍ଚଳର ୨ଟି ଶିଳ୍ପାନୁଷ୍ଠାନ ବ୍ୟତୀତ ଅନ୍ୟ କୌଣସି ପ୍ରତିଷ୍ଠାନରେ ଅଗ୍ନିକାଣ୍ଡର ମୁକାବିଲା ପାଇଁ କୌଣସି ବ୍ୟବସ୍ଥା ନଥିଲା। ଶିଳ୍ପାଞ୍ଚଳରେ ଥିବା ପ୍ରାୟ ୩୦ଟି ଶିଳ୍ପାନୁଷ୍ଠାନ ଫାୟାର ସେଫ୍ଟି ପ୍ରମାଣପତ୍ର ନେଇଛନ୍ତି।

ଏହାବ୍ୟତୀତ ଖୋର୍ଦ୍ଧା ସହର ଓ ଆଖପାଖର ସମସ୍ତ ପେଟ୍ରୋଲ ପମ୍ପ ଓ ଦୁଇ-ତିନିଟି ଘରୋଇ ଶିକ୍ଷାନୁଷ୍ଠାନ ବ୍ୟତୀତ ଅଧିକାଂଶ ଏହି ପ୍ରମାଣପତ୍ର ନେଇ ନାହାନ୍ତି। ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ୪୩ଟି ବୃହତ ଓ ମଧ୍ୟମ ଧରଣର ଶିଳ୍ପାନୁଷ୍ଠାନ ରହିଛି। ଏହା ମଧ୍ୟରେ କେବଳ ୩୦ଟିରେ ଅଗ୍ନିନିର୍ବାପକ ବ୍ୟବସ୍ଥା ରହିଛି। ସେହିଭଳି ଖୋର୍ଦ୍ଧା ସହରରେ ୨୦ରୁ ଅଧିକ ଛୋଟବଡ଼ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ୪-୫ଟି ବ୍ୟତୀତ ଅନ୍ୟ କୌଣସି ଶିକ୍ଷାନୁଷ୍ଠାନରେ ଏହି ବ୍ୟବସ୍ଥା ନାହିଁ, ଏପରିକି ସାଧାରଣ ୮ଶହ -୧୫ଶହ ଟଙ୍କାର ଅଗ୍ନିନିର୍ବାପକଟିଏ ନାହିଁ। ଏହି ସମୟରେ ଅଗ୍ନିଶମ ବିଭାଗ ପକ୍ଷରୁ ଉକ୍ତ ଅନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ କରାଯାଇ ଏନେଇ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ନିଦ୍ଦେଶକୁ କେହି ପାଳନ କରି ନାହାନ୍ତି। ଏନେଇ ଜିଲ୍ଲା ଅଗ୍ନିଶମ ଅଧିକାରୀ ମୀନକେତନ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ପୂର୍ବବର୍ଷ ଯେଉଁ ସବୁ ଅନୁଷ୍ଠାନ ଓ ପ୍ରତିଷ୍ଠାନକୁ ନୋଟିସ ଦିଆଯାଇଥିଲା, ସେମାନେ କେହି ମଧ୍ୟ ଏହାକୁ ପାଳନ କରିନାହାନ୍ତି। ନୂତନ ଭାବେ ସ୍ଥାପିତ ହୋଇଥିବା ମଲ ଓ ଦୋକାନ ସମୂହ ମଧ୍ୟ କୌଣସି ଫାଏର ସେଫ୍ଟି ପ୍ରମାଣପତ୍ର ପାଇଁ ଆବେଦନ କରି ନାହାନ୍ତି। ତେବେ ସେମାନଙ୍କ ବିରୋଧରେ ପଦକ୍ଷେପ ନିଆଯିବ କି ପ୍ରଶ୍ନରେ ସେ କହିଛନ୍ତି ଏନେଇ ଉପରିସ୍ଥ ଅଧିକାରୀ ନିଷ୍ପତ୍ତି ନେବେ। ଏଯାଏଁ ବିଭାଗ ପକ୍ଷରୁ ତାଙ୍କୁ କୌଣସି ନିଦ୍ଦେଶ ଆସିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe