ମହାକାଳପଡାରେ ଗୁଳିକାଣ୍ଡ, ଯୁବକ ଆହତ

Advertisment
ମହାକାଳପଡାରେ ଗୁଳିକାଣ୍ଡ, ଯୁବକ ଆହତ

Sambad

ମହାକାଳପଡା: ଆଜି ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା-ତେରଗାଁ ଘାଟ ରାସ୍ତାର ଏକ ହୋଟେଲ ନିକଟରେ ଗୁଳିକାଣ୍ତ ଘଟିଛି। ଏଥିରେ ମାର୍ଶାଘାଇ ବ୍ଲକ ନେମ୍ବରା ଗ୍ରାମର ଲକ୍ଷ୍ମଣ ମଳିକ (୩୨) ଆହତ ହୋଇଛନ୍ତି। ଲକ୍ଷ୍ମଣଙ୍କ ଡାହାଣ ଗୋଡ଼ ପାଦରେ ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ମହାକାଳପଡା ଓ ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁଳିକାଣ୍ତର ପ୍ରକୃତ କାରଣ ଜଣାପଡିନାହିଁ।

ଘଟଣାରୁ ପ୍ରକାଶ ଯେ, ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ଆହତ ଲକ୍ଷ୍ମଣଙ୍କ ସମେତ ପ୍ରାୟ ୮ ଜଣ ଯୁବକ ଉକ୍ତ ହୋଟେଲରେ ଖାଇ ସାରି ବାହାରେ ଠିଆ ହୋଇଥିଲେ। ଏହି ସମୟରେ ଏକ ବୁଲେଟ ଓ ବାଇକ୍‌ରେ ୬ ଜଣ ଯୁବକ ସେଠାରେ ପହଞ୍ଚି ସେମାନଙ୍କୁ ଗାଳିଗୁଲଜ କରିଥିଲେ। ଲକ୍ଷ୍ମଣଙ୍କ ସହିତ ଉପସ୍ଥିତ ଥିବା ଯୁବକମାନଙ୍କ ମଧ୍ୟରୁ ରାକେଶ ମହାପାତ୍ର ଏହାର ପ୍ରତିବାଦ କରିଥିଲେ। ଫଳରେ ବାଇକ୍‌ରେ ଆସିଥିବା ୬ ଜଣ ଯୁବକଙ୍କ ମଧ୍ୟରୁ ଜଣେ ରିଭଲଭର ବାହାର କରି ହଠାତ ଦୁଇ ରାଉଣ୍ତ ଗୁଳି ଚଳାଇଥିଲା। ଗୋଟିଏ ଗୁଳି ଲକ୍ଷ୍ୟଚ୍ୟୁତ ହୋଇଥିବା ବେଳେ ଅନ୍ୟ ଏକ ଗୁଳି ଲକ୍ଷ୍ମଣଙ୍କ ପାଦରେ ବାଜିଥିଲା।

ରାକେଶ ମହାପାତ୍ର ନିଜକୁ ବଜରଙ୍ଗ ଦଳର ଗୋରକ୍ଷକ ବୋଲି ପରିଚୟ ଦେଇଥିବା ବେଳେ ତାଙ୍କ କହିବାନୁଯାୟୀ ବାଇକ୍‌ ଓ ବୁଲେଟରେ ଅସିଥିବା ଯୁବକମାନେ ଗାଳିଗୁଲଜ କରି ବାପିକୁ ଖୋଜିବା ସହିତ ସୁଧୁରିଯିବାକୁ ଚେତାବନୀ ଦେଇଥିଲେ। ଯଦି ନ ସୁଧୁରେ ତେବେ ସେ ଖାଇବ ବୋଲି ଧମକ ଦେଇଥିଲେ। କ’ଣ ଖାଇବ ବୋଲି ସେ ପାଲଟା ପ୍ରଶ୍ନ କରିବାରୁ ଏଥିରେ ଉତକ୍ଷୀପ୍ତ ହୋଇ ସେମାନେ ଗୁଳି ଚଳାଇଥିଲେ ବୋଲି ରାକେଶ ସୂଚନା ଦେଇଛନ୍ତି। ରାକେଶଙ୍କ କହିବା କଥା ହେଲା ଆହତ ଲକ୍ଷ୍ମଣ ମହାକାଳପଡା ବଜରଙ୍ଗ ଦଳର ସହ ସଂଯୋଜକ। ତେଣୁ ଏହି ଗୁଳିକାଣ୍ତ ପଛରେ ନିର୍ଦ୍ଦିଷ୍ଟ କାରଣ ପଦାକୁ ଆସି ନ ଥିଲେ ବି ଗୋଚାଲାଣକୁ ନେଇ ଗୁଳିକାଣ୍ତ ଘଟିଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି। ଖବରପାଇ ମହାକାଳପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋକା ଜବତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe