ବାଲିପ୍ଲଟ୍‌କୁ ଏତେ ମାଛ ଆସୁଛି କେଉଁଠୁ?

Advertisment

ବୃହତ୍ତ ଯନ୍ତ୍ରଚାଳିତ ଡଙ୍ଗାରେ ଚାଲିଛି ଅବାଧ ମାଛଧରା; ମତ୍ସ୍ୟ ବିଭାଗ ନିରବଦ୍ରଷ୍ଟା

ବୃହତ୍ତ ଯନ୍ତ୍ରଚାଳିତ ଡଙ୍ଗାରେ ଚାଲିଛି ଅବାଧ ମାଛଧରା; ମତ୍ସ୍ୟ ବିଭାଗ ନିରବଦ୍ରଷ୍ଟା

ବାଲିପ୍ଲଟ୍‌କୁ ଏତେ ମାଛ ଆସୁଛି କେଉଁଠୁ?

Sambad

ଜଗତସିଂହପୁର: ଏବେ ସମୁଦ୍ରରେ ମାଛ ଧରିବାରେ କଟକଣା ଲାଗିଛି। ମାଛଙ୍କ ବଂଶବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଏହି ନିୟମକୁ ଚଳିତ ବର୍ଷ ବେଶ୍ କଡ଼ାକଡ଼ି କରାଯିବ ବୋଲି ମତ୍ସ୍ୟ ବିଭାଗ ପକ୍ଷରୁ କୁହାଗଲା। ମାତ୍ର ପାରାଦୀପରେ ମାଛ ବ୍ୟବସାୟସ୍ଥଳ ବାଲିପ୍ଲଟ୍‌କୁ ପ୍ରତିଦିନ ବ୍ୟାପକ ପରିମାଣରେ ମାଛ ଆସୁଛି କେଉଁଠୁ ବୋଲି ସାଧାରଣରେ ଏକ ବଡ଼ ପ୍ରଶ୍ନବା‌ଚୀ ସୃଷ୍ଟି ହୋଇଛି। ଅସଲରେ କଟକଣା ଜାରି କରାଯାଇଥିବା ଡଙ୍ଗାଗୁଡ଼ିକ ଏବେ ବି ସମୁଦ୍ରରେ ଅବାଧରେ ମାଛ ଧରିଚାଲିଛନ୍ତି। ଏମାନଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ମତ୍ସ୍ୟ ବିଭାଗ ସକ୍ଷମ ହେଉନଥିବା ଅଭିଯୋଗ ହୋଇଛି। ପ୍ରତିବର୍ଷ କଟକଣା ଜାରି ହେଉଥିବା ଦୁଇ ମାସ ଅର୍ଥାତ ଜୁନ ୧୫ ପର୍ଯ୍ୟନ୍ତ ୮.୫ ମିଟର ଲମ୍ବ ଛୋଟ ଯନ୍ତ୍ରଚାଳିତ ଡଙ୍ଗାକୁ ମାଛ ଧରିବା ପାଇଁ ଅନୁମତି ମିଳୁଥିଲା। ମାତ୍ର ଚଳିତ ବର୍ଷ ଛୋଟ ଡଙ୍ଗାଗୁଡ଼ିକୁ ମଧ୍ୟ ବାରଣ କରାଯାଇଛି। କେବଳ ଆହୁଲା ବ୍ୟବହୃତ ଡଙ୍ଗାଗୁଡ଼ିକୁ ମାଛ ଧରିବା ପାଇଁ ଅନୁମତି ମିଳିଛି। ଅଧିକ କ୍ଷମତା ବିଶିଷ୍ଟ ଯନ୍ତ୍ରଚାଳିତ ଛୋଟ ଡଙ୍ଗା ବ୍ୟବହାର କରାଗଲେ ମାଛମାନଙ୍କ ପ୍ରଜନନରେ ସମସ୍ୟା ସୃଷ୍ଟି ହେବ ବୋଲି ଦର୍ଶାଇ ବିଭାଗ ପକ୍ଷରୁ ଏମିତି ନିର୍ଦ୍ଦେଶନାମା ଜାରି କରାଯାଇଛି। ବାସ୍ତବରେ ଆହୁଲା ମରା ଡଙ୍ଗା ଏବେ ଆଉ ଦେଖିବାକୁ ମିଳୁନାହିଁ। ପ୍ରତିଦିନ ୨୦ରୁ ଅଧିକ ଯନ୍ତ୍ରଚାଳିତ ଲମ୍ବା ଲମ୍ବା ଡଙ୍ଗା ସମୁଦ୍ରକୁ ମାଛ ଧରି ବାଲିପ୍ଲଟରେ ପହଞ୍ଚୁଥିବା ଜଣାପଡ଼ିଛି। ଷଣ୍ଢକୁଦ ବସ୍ତିରେ ରହୁଥିବା ମତ୍ସ୍ୟଜୀବୀମାନେ ଏମିତି କାରବାର କରି ଚାଲିଛନ୍ତି।

ଏଣୁ ପ୍ରକୃତରେ ଏହି କଟକଣା କାହା ପାଇଁ ଜାରି କରାଯାଇଛି, ତାହା ଜଣାପଡ଼ୁ ନାହିଁ। କେବଳ ସେତିକି ନୁହେଁ ଓଡ଼ିଶା ଉପକୂଳ ୪୮୦ କିମି ସମୁଦ୍ରରେ ଫାଶୀ ଓ ରିଂ ଜାଲ ବ୍ୟବହାର ଉପରେ ସରକାରୀ କଟକଣା ଲଗାଯାଇଛି। ସମୁଦ୍ରରେ ଏହାର ବ୍ୟବହାର ହେବାଦ୍ବାରା ସେଥିରେ ସବୁପ୍ରକାର ମାଛ ଧରାପଡ଼ୁଥିବା ବେଳେ ମାଛ ଯାଆଁଳ ମରିଯା’ନ୍ତି। ସେଥିପାଇଁ ସମୁଦ୍ରରେ ମାଛ ବଂଶ କ୍ରମଶଃ ହ୍ରାସ ପାଇଚାଲିଛି। ଫାଶୀ ଜାଲ କିପରି ଓ କେମିତି ରହିବା ଦରକାର ସେଥିପାଇଁ ମାର୍ଗଦର୍ଶିକା ମଧ୍ୟ ରହିଛି। ସୂତା ଓ ନାଇଲନରେ ଏକାଧିକ ଖିଅ ଥିବା ଜାଲ ବ୍ୟବହାର ଯୋଗ୍ୟ। ଫାଶ ଥିବା ଫାଶୀ ଜାଲ ଲମ୍ବା ୩୦୦ ମିଟର୍‌, ଫାଶ ୧୪୦ ସେମି ସୂତାର ମୋଟେଇ ୦.୭ ମିମିରୁ କମ୍ ହୋଇଥିବା ଆବଶ୍ୟକ। ଏପରି ଜାଲରେ ମାଛ ଧରିଲେ ବଡ଼ ବଡ଼ ମାଛ ଧରାପଡ଼ିବେ। ଛୋଟ ମାଛ ଓ ଯାଆଁଳ ବାହାରି ପଡ଼ିବେ। ସେହିପରି ରିଂ ଜାଲ ମଧ୍ୟ ଫାଶୀ ଜାଲ ସଦୃଶ। ମତ୍ସ୍ୟଜୀବୀମାନେ ସେଥିରେ ତଳ ଭାଗରେ ଲୁହା ରିଂ ଲଗାଇ ଥାଆନ୍ତି। ଏହି ଜାଲକୁ ମତ୍ସ୍ୟଜୀବୀମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଗୋଲାକାର କରି ପକାଇ ଦିଅନ୍ତି। ତଳେ ରିଂ ଥିବାରୁ ତାହା ମାଟି ପର୍ଯ୍ୟନ୍ତ ଲାଗିଥାଏ। ତାକୁ ଯାନ୍ତ୍ରିକ ଭାବେ ଟାଣିଲେ ସେଥିରେ ସମାନ ଅଞ୍ଚଳରେ ସବୁ ମାଛ ପଶିଯା’ନ୍ତି। ଫଳରେ ଯାଆଁଳ ସବୁ ମରିଯା’ନ୍ତି। ଏସବୁ କାରଣ ପାଇଁ କଟକଣା ଜାରି କରାଯାଇଛି। ଏଣୁ ଏଥିପ୍ରତି ମତ୍ସ୍ୟ ବିଭାଗ ତୁରନ୍ତ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe