ଜାତୀୟ ରାଜପଥ ପାଇଁ ଅସୁରକ୍ଷିତ ପାଲଟିଛନ୍ତି ବନ୍ୟଜନ୍ତୁ; ସଡକ ଦୁର୍ଘଟଣାରେ ମାଛୁଆ ବିଲେଇର ମୃତ୍ୟୁ

ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ଦିଆଯିବ ଗୁରୁତ୍ବ: ଡିଏଫ୍ଓ

ଜାତୀୟ ରାଜପଥ ପାଇଁ ଅସୁରକ୍ଷିତ ପାଲଟିଛନ୍ତି ବନ୍ୟଜନ୍ତୁ; ସଡକ ଦୁର୍ଘଟଣାରେ ମାଛୁଆ ବିଲେଇର ମୃତ୍ୟୁ

Photo: YouTube

ଦଶପଲ୍ଲା: ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ପାଲଟିଛି ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ। ବିଭିନ୍ନ ସମୟରେ ରାଜପଥ ଉପରେ ଦୁର୍ଘଟଣାରେ ଗୋଟିଏ ପରେ ଗୋଟିଏ ବନ୍ୟପ୍ରାଣୀଙ୍କ ଜୀବନ ଚାଲିଯାଉଛି। ଶନିବାର-ରବିବାର ରାତିରେ ସ୍ଥାନୀୟ କୁଆଁରିଆ ଠାରେ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଥିବା ଏକ ବିଲୁପ୍ତ ପ୍ରାୟ ପ୍ରାଣୀ ଫିସିଙ୍ଗ୍ କ୍ୟାଟ୍ ବା ମାଛୁଆ ବିଲେଇର ସନ୍ଧାନ ସାମ୍ନାକୁ ଆସିଛି।

ଏହି ଜନ୍ତୁ ମୁଖ୍ୟତଃ ଏସିଆ ମହାଦେଶର ଦକ୍ଷିଣ ଏବଂ ଦକ୍ଷିଣ–ପୂର୍ବ ଅଂଚଳରେ ଦେଖା ଯାଇଥାନ୍ତି। ଏହା ଦେଖିବାକୁ ବାଘ ସଦୃଶ। ଏହାର ଆକାର ଛୋଟ ବା ବିଲେଇ ପରି ହୋଇଥିବାରୁ ଏହାକୁ ମାଛୁଆ ବିଲେଇ ବୋଲି କୁହାଯାଉଥିବା ବନଖଣ୍ତ ଅଧିକାରୀ କ୍ଷମା ଷଡଙ୍ଗୀ କହିଛନ୍ତି। ଇଣ୍ଟର୍ ନ୍ୟାସନାଲ୍ ୟୁନିୟନ ଫର୍ କଜରଭେସନ ଅଫ୍ ନେଚର୍ (ଆଇୟୁସିଏନ୍)ରେ ଏହାକୁ ରେଡ୍ ତାଲିକା ଭୁକ୍ତ କରାଯାଇଛି। ମୁଖ୍ୟତଃ ପାଣି ବା ସନ୍ତସନ୍ତିଆ ସ୍ଥାନ ମାନଙ୍କରେ ଏମାନେ ମାଛ ଶିକାର କରିଥାନ୍ତି। ଏହି ଜୀବ ଯେଉଁ ଅଂଚଳରେ ରହିଥାନ୍ତି, ସେଠାକାର ଜୈବ ବିବିଧତା ଅଧିକ ଥାଏ ବୋଲି ଜଣାଯାଏ।

ନୟାଗଡ ଜିଲ୍ଲାର ଦଶପଲ୍ଲା ଜଙ୍ଗଲରେ ଏହା ପ୍ରଥମକରି ଦେଖାଯାଇଛି। ଆଜି ଏହାର ମୃତଦେହ ଉଦ୍ଧାର ପରେ ଏହାକୁ ବ୍ୟବଛେଦ କରାଯାଇଛି। ଏସମ୍ପର୍କରେ ପିସିସିଏଫ୍‌ଙ୍କୁ ଅବଗତ କରାଯାଇଥିବା ବେଳେ ଏହାର ସୁରକ୍ଷା ପ୍ରତି ଅଧିକ ଗୁରୁତ୍ବ ଦିଆଯିବ ବୋଲି ବନଖଣ୍ତ ଅଧିକାରୀ କହିଛନ୍ତି। ବଡକଥା ହେଉଛି ଏହି ରାଜପଥ ଉପରେ ଦୈନିକ ଶହଶହ ସଂଖ୍ୟାରେ ଯାନବାହାନ ଯାତାୟାତ କରିଥାଏ। ଦଶପଲ୍ଲା ଠାରୁ ବାଣିଗୋଛା ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରେ ଜଙ୍ଗଲ ଘେରି ରହିଥିବା ବେଳେ ଏହାକୁ ବାଇଶିପଲ୍ଲୀ ଅଭୟାରଣ୍ୟ ସଂଯୋଗ ମଧ୍ୟ କରୁଛି। ଦୈନିକ ରାଜପଥ ଅତିକ୍ରମ କରି ହାତୀ ଓ ବାଘଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବନ୍ୟଜନ୍ତୁ ଯିବାଆସିବା କରୁଥିବା ବେଳେ ଦୁର୍ଘଟଣାରେ ଅନେକ ବନ୍ୟଜନ୍ତୁଙ୍କ ପ୍ରାଣହାନୀ ଘଟୁଛି। ବିଗତ ଦିନରେ ଅନେକ ବାରାହା ଏବଂ ବିଭିନ୍ନ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୧ ଜୁନ୍ ୩୦ ତାରିଖ ରାତିରେ ଶାଳଭଙ୍ଗା ଠାରେ ଏକ ଚିତାବାଘର ମତ୍ୟୁ ହୋଇଥିଲା। ଦିନକୁ ଦିନ ଏହି ରାଜପଥ ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ପାଲଟିଥିବା ବେଳେ ଏଦିଗରେ ଉଚ୍ଚପଦଦସ୍ଥ ଅଧିକାରୀ ବିଶେଷ ଦୃଷ୍ଟିଦେବା ଜରୁରୀ ହୋଇପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe