ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ

Advertisment
ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ

Sambad

ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଉପକଣ୍ଠ ଗୁରୁଜଙ୍ଗ ଠାରେ ଡକାୟତି ଉଦ୍ୟମ କରୁଥିବା ବେଳେ ୫ ଜଣ ଯୁବକ ପୁଲିସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ନିକଟରୁ ଖଣ୍ଡା, କାତି, ଲୁହାଛଡ଼ ଓ ନଗଦ ଟଙ୍କା ଜବତ କରାଯାଇଛି। ଖୋର୍ଦ୍ଧା ଟାଉନ୍ ଥାନା ପକ୍ଷରୁ ମିଳିଥିବା ସୂଚନାନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଗୁରୁଜଙ୍ଗ ମହୋତ୍ସବ ପଡ଼ିଆ ଠାରେ କିଛି ଯୁବକ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ସୂଚନା ମିଳିଥିଲା। ସୂଚନା ପାଇ ଏସ୍ଆଇ ବିଜୟ କେତନ ବେହେରା, ଏସ୍ଆଇ ପିଏଲ୍ ବେହେରା, ଏଏସ୍ଆଇ ବସନ୍ତ ପଟ୍ଟନାୟକ, ଏ ସାମନ୍ତରାୟ ଓ ଅନ୍ୟ ପୁଲିସ ଯବାନଙ୍କୁ ନେଇ ଗିଂତ ଏକ ଟିମ୍ ଘେରାବନ୍ଦି କରି ଚଢ଼ଉ କରିଥିଲେ।

ଏଥିରେ ଗୁରୁଜଙ୍ଗ ଦେୱାନସାହିର ସୌମ୍ୟ ରଂଜନ ପଟ୍ଟନାୟକ ଓରଫ ପୁତୁଲ (୨୬), ଗୁରୁଜଙ୍ଗ ବାଉରି ସାହିର ସୁଦୀପ୍ତ ନାୟକ ଓରଫ ସିପ (୩୦), ଗୁରୁଜଙ୍ଗ ଜବରଦସ୍ତପୁରର ବଳଭଦ୍ର ବେହେରା ଓରଫ ବାଲା (୩୯), ଜଟଣୀ ରଥିପୁରର ସେକ୍ ଜାମରୁଦ୍ଦୀନ ଓରଫ ଗୁଡୁ (୨୨) ଓ ଫିରୋଜ ଖାନ୍ (୨୦) ଧରାପଡ଼ିଥିଲେ। ପଚରାଉଚୁରାରେ ସେମାନେ ଗୁରୁଜଙ୍ଗ ହାଉସିଂହ ବୋର୍ଡ କଲୋନୀରେ ଡକାୟତି କରିବାକୁ ଯୋଜନା କରୁଥିଲେ ବୋଲି ଜଣାପଡ଼ିଥିଲା। ଏନେଇ ଟାଉନ୍ ଥାନା ଅଧିକାରୀ ସଂଜୟ କୁମାର ପଟ୍ଟନାୟକ କହିଛନ୍ତି ଯେ ଧରାପଡ଼ିଥିବା ୫ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ସୌମ୍ୟରଂଜନ ପଟ୍ଟନାୟକ, ବଳଭଦ୍ର ବେହେରା ଉଭୟ ପୂର୍ବରୁ ଆଇନଜୀବୀ ବାବୁ ଦାସଙ୍କ ଘରେ ପଶି ୩ହଜାର ଟଙ୍କା ଚୋରାଇ ନେଇଥିବା ମାମଲାରେ ସମ୍ପୃକ୍ତ ଅଛନ୍ତି। ସେହିଭଳି ସୌମ୍ୟ ରଂଜନ ପଟ୍ଟନାୟକ ଗୁରୁଜଙ୍ଗ ଠାରେ ଏକ ମାଛ ବେପାରୀ ଠାରୁ ଲୁଟିଥିବା ଏକ ମାମଲାରେ ସମ୍ପୃକ୍ତ ରହିଛି। ଉଭୟଙ୍କ ଠାରୁ ଲୁଟିଥିବା ୬,୮୦୦ ଟଙ୍କା ମଧ୍ୟୁ ୪ହଜାର ଟଙ୍କା ମିଳିଛି। ଏହା ସହ ଲୁହା ଛଡ଼, ଖଣ୍ଡା, ଭୁଜାଲୀ, କବାଟ ତାଡ଼ିବା ପାଇଁ କାଓବାର ଆଦି ଜବତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe