ଗୁଣି ସନ୍ଦେହରେ ବିଷ୍ଠା ଖୁଆଇବା ଉଦ୍ୟମରେ ୫ ଗିରଫ

Advertisment
ଗୁଣି ସନ୍ଦେହରେ ବିଷ୍ଠା ଖୁଆଇବା ଉଦ୍ୟମରେ ୫ ଗିରଫ

ଚନ୍ଦାହାଣ୍ଡି: ଅତ୍ୟାଧୁନିକ ଯୁଗରେ ମଧ୍ୟ ଲୋକଙ୍କ ମନରେ ଅନ୍ଧବିଶ୍ୱାସ ରହି ଆସିଛି। ଜଣେ ବ୍ୟକ୍ତିକୁ ଗୁଣି ସନ୍ଦେହ କରି ସାପ କାମୁଡାରେ ମୃତ ଯୁବକର ସମ୍ପର୍କୀୟ ଗାଁ ଦାଣ୍ଡରେ ମାଡ ମାରିବା ସହ ବିଷ୍ଠା ଖୁଆଇବା ଉଦ୍ୟମ ହେବା ଅଭିଯୋଗରେ ୫ ଜଣ ଗିରଫ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଜମାଦାରପଡା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି।

ଅଭିଯୋଗ ଅନୁଯାୟୀ ଜାମାଦାରପଡା ଗାଁରେ ଜଣେ ଯୁବକ ଦେବିସିଂ ହାତି(୨୬)ଙ୍କ ଗତ ୪ ତାରିଖ ଦିନ ସାପ କାମୁଡାରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାର ଲୋକେ ଛତିଡଗଡର ଜଣେ ଗୁଣିକୁ ଡାକି ଘରେ ପୂଜା ପାଠ କରିଥିଲେ। ଗୁଣି କୁଆଡେ ସେହି ଗାଁର ହିରାସିଂ ଦଳେଇ (୩୦) ଗୁଣି କରି ସାପ ଦ୍ଵାରା ହତ୍ୟା କରିଥିବା ନେଇ କହିଥିଲା। ଗୁଣି କଥାରେ ବିଶ୍ୱାସ କରି ମୃତକ ଯୁବକର ପରିବାର ଲୋକେ ଗାଁରେ ଗତ ୨୦ ତାରିଖରେ ବୈଠକ ଡକାଇଥିଲେ। ବୈଠକରେ ଗାଁ ଦାଣ୍ଡରେ ହିରାସିଂକୁ ମାଡ ମାରିଥିଲେ ଓ ଗାଳି ଗୁଲଜ କରିଥିଲେ। ଶେଷରେ ମୁହଁ ଖୋଲି ବିଷ୍ଠା ଖୁଆଇବା ପାଇଁ ଉଦ୍ୟମ କରିଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି।

ଅଭିଯୁକ୍ତମାନେ ଥାନାରେ ଏତଲା ଦେଲେ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ। ଗତ ୨୧ ତାରିଖ ଦିନ ହିରାସିଂ ଦଳେଇ ଚନ୍ଦାହାଣ୍ଡି ଥାନାରେ ଅମରୁ ହାତି, ରଥ ହାତି, ଡମ୍ବରୁ ହାତି, ବଳଦେବ ହାତି ଓ ଗୋବର୍ଧନ ହାତି ଆଦି ୫ ଭାଇଙ୍କ ନାମରେ ଥାନାରେ ଏତଲା ଦେଇଥିଲେ। ଏନେଇ ଚନ୍ଦାହାଣ୍ଡି ଥାନାରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ଅଭୟ ବେହେରା ଓ ତଦନ୍ତ କାରୀ ଅଧିକାରୀ ଏସଆଇ ବିଦୁରାମ ବାଘ ତଦନ୍ତ କରିଥିଲେ। ତଦନ୍ତ କରିବା ପରେ ଅଭିଯୋଗ ହୋଇଥିବା ୫ ଜଣ ବ୍ୟକ୍ତିଙ୍କୁ ଚନ୍ଦାହାଣ୍ଡି ପୁଲିସ ଗିରଫ କରି ଚନ୍ଦାହାଣ୍ଡିସ୍ଥିତ ଜେଏମଏଫସି କୋର୍ଟକୁ ଚାଲାଣ କରିଥିଲେ।

ପ୍ରକାଶ ଥାଉକି ଗତ ୪ ତାରିଖ ଦିନ ସେହି ଗାଁର ଜଣେ ଯୁବକ ଦେବିସିଂ ହାତିଙ୍କ ସାପ କାମୁଡାରେ ଗୁରୁତର ହୋଇଥିଲେ। ତାଙ୍କୁ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପୂର୍ବାହ୍ନ ୧ଟା ବେଳକୁ ଚନ୍ଦାହାଣ୍ଡି ଡାକ୍ତରଖାନାକୁ ଆଣିଥିଲେ। ଚନ୍ଦାହାଣ୍ଡି ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିବା ପରେ ବି ପରିବାର ଲୋକଙ୍କ ବିଶ୍ୱାସ ଆସିନଥିଲା। ମୃତ ଯୁବକଙ୍କୁ ଘରକୁ ନେଇ ପରିବାର ବଞ୍ଚିଯିବା ଆଶାରେ ଝଡାଫୁଙ୍କା କରିଥିଲେ। ମାତ୍ର ଏଥିରୁ କୌଣସୁ ସୁଫଳ ମିଳି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe