Sambad
ରାୟଗଡା: ରାୟଗଡା ଗସ୍ତରେ ଆସୁଛନ୍ତି ୫-ଟି ସଚିବ ଭିକେ ପାଣ୍ଡିୟାନ। ୫-ଟିଙ୍କ ଗସ୍ତକୁ ନଜରରେ ରଖି ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ମନ୍ତ୍ରୀ ଅତୁନୁ ସବ୍ୟସାଚୀ ନାୟକ ଏବଂ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରାୟଗଡାରେ ଡେରା ପକାଇଛନ୍ତି। ପ୍ରଥମେ ବିଷମକଟକ ଏବଂ ଗୁଣୁପର ଗସ୍ତ କରି ସେଠାରେ ପାଣ୍ଡିୟାନଙ୍କ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆଲୋଚନା କରିବା ସହ ସମସ୍ତ ବ୍ୟବସ୍ଥା ଠିକ ଅଛି କି ନାହିଁ ତାହା ସମୀକ୍ଷା କରିଥିଲେ। ତେବେ ଭିକେ ପାଣ୍ଡିୟାନଙ୍କ ଗସ୍ତକୁ ନେଇ ବିଜେଡି ମହଲରେ ମଧ୍ୟ ତତ୍ପରତା ଦେଖା ଦେଇଛି। ଦୁଇ ଗୋଷ୍ଠୀ ଏବେ ଏକ ହୋଇ ଯାଇଛନ୍ତି। ଗୋଟିଏ ଗାଡିରେ ମନ୍ତ୍ରୀ ଅତୁନୁ, ସାଙ୍ଗଠନିକ ସମ୍ପାଦକ ବବି ଦାସ, ବିଜେଡିର ପୂର୍ବତନ ସାଂସଦ ଏନ. ଭାସ୍କର ରାଓ, ଜିଲ୍ଲା ସଭାପତି ସୁଧିର ଦାସ ପ୍ରମୁଖ ବସିଥିବା ଦେଖିବାକୁ ମିଳିଥିଲା। ପାଣ୍ଡିୟାନଙ୍କ ଗସ୍ତ ରାୟଗଡା ବିଜେଡିକୁ ଏକ କରିବା ସହ ଆଗାମୀ ଦିନରେ ଲଢେଇକୁ ଜୋରଦାର କରିବା ନେଇ ସୂଚନା ମିଳୁଛି। ଏବେ ରାୟଗଡା ବିଜେଡି ହାତମୁଠା ଟାଣ ହେଉଥିବା ଦେଖିବାକୁ ମିଳିଛି। ତେବେ ଏଥିପାଇଁ ବବି ଦାସଙ୍କର ତାଗିଦ କାମ କରିଥିବା ଜଣାପଡିଛି। ବିଜେଡିରେ ଗୋଷ୍ଠୀ କନ୍ଦଳ ନେଇ ଅନ୍ୟ ରାଜନୈତିକ ଦଳମାନେ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରୁଥିଲେ।
କିନ୍ତୁ ଯେଉଁ ବିଜେଡିକୁ ଲୋକେ ଦେଖିଛନ୍ତି ତାହା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଅନୁମାନ କରାଯାଏ। ଯେପରି ବିଜୁ ପଟ୍ଟନାୟକ ଅଡିଟୋରିୟମ ଏବଂ ଆମ ହସ୍ପିଟାଲ ମିସନ ଶକ୍ତି ଗୃହର ଉଦଘାଟନରେ ସମସ୍ତେ ଏକ ହୋଇ ଉଦଘାଟନ କରୁଥିବା ଦେଖିବାକୁ ମିଳିଥିଲା, ଯେପରି ପୂର୍ବରୁ କେବେ ମଧ୍ୟ ଗୋଷ୍ଠୀ କନ୍ଦଳ ନଥିବା ପରିଲକ୍ଷିତ ହେଉଥିଲା। ଗତ ଦୁଇଦିନ ତଳେ ବବି ଦାସ ଅଚାନକ ଗସ୍ତ କରି ବିଜେଡିର ସମସ୍ତ କର୍ମୀ ଓ ନେତାଙ୍କୁ ନେଇ ରୁଦ୍ଧ ଦ୍ବାର ବୈଠକ କରି ସମସ୍ତଙ୍କୁ ତାଗିଦ କରିଥିଲେ।ସମସ୍ତେ ଏକ ହୋଇ ଜିଲ୍ଲାର ତିନୋଟି ଆସନକୁ ହାତେଇବା ପାଇଁ ପ୍ରାଣ ଉଦ୍ୟମ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ। ନବୀନ ପଟ୍ଟନାୟକଙ୍କ ସମସ୍ତ ଯୋଜନାଙ୍କୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଆଗାମୀ ନିର୍ବାଚନରେ ଯେପରି ବିପୁଳ ସଂଖ୍ୟାରେ ବିଜୟ ହେବ ସେନେଇ ଏବେ ଠାରୁ ଅଙ୍କ କଷା ଆରମ୍ଭ କରିବାକୁ କୁହାଯାଇଛି।ପାଣ୍ଡିୟାନଙ୍କ ଗସ୍ତକୁ ବିଜେଡି ମହଲରେ ଯେତିକି ତତ୍ପରତା ଦେଖାଦେଇଛି ପ୍ରଶାସନ ସ୍ତରରେ ମଧ୍ୟ ଏହି ଗସ୍ତକୁ ସଫଳ କରିବା ପାଇଁ ଜିଲ୍ଲାପାଳ ଓ ଏସପି ମଧ୍ୟ ସମସ୍ତ ଉଜ୍ୟମ ଲଗାଇ ଦେଇଥିବା ଦେଖିବାକୁ ମିଳିଛି।
Follow Us