Sambad
ଜଗତସିଂହପୁର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀ ଓ ଶାଖା ନଦୀ ଗୁଡିକରେ ବନ୍ୟାଜଳ ପ୍ରବାହିତ ହୋଇଛି। ଯଦିଓ ବର୍ତ୍ତମାନ ସୁଦ୍ଧା ସେମିତି କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ, ତଥାପି କୁଜଙ୍ଗ ବ୍ଲକ ସର୍ବାଧିକ ପ୍ରଭାବିତ ହୋଇଛି। ଏହାସହ ଦେବୀ ନଦୀ ଧୀରେ ଧୀରେ ଫୁଲୁଥିବା ବେଳେ ଦଳେଇଘାଇରେ ବନ୍ୟା ଜଳ ବିପଦ ସଂକେତ ନିକଟତରରେ ପ୍ରବାହିତ ହେଉଛି। ବନ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ଗୁଡ଼ିକରେ ସମସ୍ତ ସ୍କୁଲ ଗୁଡ଼ିକୁ ଆସନ୍ତାକାଲି ପର୍ଯ୍ୟନ୍ତ ଛୁଟି ଘୋଷଣା କରିବା ସହ ମୂଲ୍ୟବାନ ଜିନିଷ ଗୁଡ଼ିକୁ ନିରାପଦରେ ରଖିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପାରୁଲ ପଟୱାରୀ ସମ୍ପୃକ୍ତ ବ୍ଳକ ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗତବର୍ଷ କୁଜଙ୍ଗ ବ୍ଲକ ବଡ଼ବାଲିକଣି ନିକଟରେ ଘାଇ ହୋଇଥିଲା। ଏହାକୁ ପ୍ରଶାସନ ସ୍ୱୀକାର କରିନଥିଲେ ମଧ୍ୟ ଏହା ଉପରେ ସ୍ୱତନ୍ତ୍ର ନଜର ରଖିଥିଲା। ଆଜି ସକାଳୁ ସକାଳୁ ପାଇକା ନଦୀରେ ବନ୍ୟା ଜଳ ଆସିବା ଯୋଗୁଁ ସେଠାରେ ୭୦ ଫୁଟର ଘାଈ ହୋଇଥିଲା। ଫଳରେ ଏବେ ବନ୍ୟା ଜଳ ସାନ ବାଲିକଣି, ବଡ଼ ବାଲିକଣି, ସରଳି, କୋଲର, ହଂସୁରା, କାଠକୋଟ, ଗୋବର୍ଦ୍ଧନପୁର, ଖୋସାଲପୁର ଆଦି ଗାଁକୁ ପ୍ରବେଶ କରୁଛି। ଏଣୁ ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
Sambadଏହାସହ ଜିଲ୍ଲାନାସି ନିକଟରେ ମହାନଦୀରେ ବନ୍ୟା ଜଳ ଉଛୁଳି ଗାଁକୁ ପ୍ରବେଶ କରୁଛି। ଏହାଦ୍ୱାରା ମହାନଦୀ କୂଳରେ ଥିବା ତିନି ଗାଁ ଜୟଶଙ୍ଖପୁର, ସାହାରାଡିଆ ଓ ତେନ୍ତୁଳିଖମାର ବାହ୍ୟ ଜଗତରୁ ଵିଛିନ୍ନ ହୋଇଛି। ଏହାସହ କୁଜଙ୍ଗ ପଞ୍ଚାୟତର ଭଣ୍ଡୁଆ, ମହଲାସାହି, ମଧୁପୁର ଓ ହଂସୁରାରେ ମଧ୍ୟ ପାଣି ପଶିବା ଆରମ୍ଭ କରିଛି। ଜଗତସିଂହପୁର ବ୍ଲକରେ ମଣ୍ଡାସାହି ପଂଚାୟତର ଜାହାନପୁର ନିକଟରେ ପ୍ରବାହିତ ହେଉଥିବା ଦେବୀ ନଦୀରେ ଘଳିଆ ପଡ଼ିଛି। ସେଠାରେ ପ୍ରାୟ ୩୦ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି। ବିରିଡ଼ି ବ୍ଲକ ଅନ୍ତର୍ଗତ କାଠଯୋଡି-ସିଡୁଆ ନଦୀର ସଙ୍ଗମ ସ୍ଥଳ ଦଳେଇଘାଇ ନିକଟରେ ବନ୍ୟାଜଳ ବୃଦ୍ଧି ପାଇ ବର୍ତ୍ତମାନ ସୁଦ୍ଧା ୫୯ ଫୁଟ୍ ଉପରେ ପ୍ରବାହିତ ହେଉଛି। ଏଠାର ବିପଦ ସଂକେତ ୫୭ଫୁଟ୍। ମୁଖ୍ୟଯନ୍ତ୍ରୀ ବିଜୟ କୁମାର ସାମଲ, ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ଶତପଥୀ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହାସହ ସେମାନେ ବାଇଶ ମୌଜାର ଶାଖା ନଦୀ ଦେବୀ ଓ ବିଲୁଆଖାଇ ନଦୀ ବନ୍ଧ ବୁଲି ଦେଖିଥିଲେ। ଏହି ବ୍ଲକ ଅଧୀନ ଉକୁନ୍ଦରା ପଞ୍ଚାୟତ ଅଲିପଡ଼ା-ସାନ ଖରମଙ୍ଗା ନିକଟରେ ଦେବୀ ନଦୀ ଘେରି ବନ୍ଧ ଡେଇଁ ପାଣି ପଶିବାରୁ ୪୦ ଦଳିତ ପରିବାର ପାଣି ଘେରରେ ଥିବା ଜଣାପଡ଼ିଛି।
Follow Us