ମହାନଦୀର ପଛୁଆ ପାଣି: ୩ ପଞ୍ଚାୟତର ୧୦ ଗାଁରେ ବଢ଼ି ପାଣି 

Advertisment

୮ଟି ଗାଁର ୪୧୬୦ ଲୋକ ପ୍ରଭାବିତ, ୫ଟି ଆଶ୍ରୟସ୍ଥଳରେ ୩୩୮ ଜଣଙ୍କୁ ସ୍ଥାନାନ୍ତର

୮ଟି ଗାଁର ୪୧୬୦ ଲୋକ ପ୍ରଭାବିତ, ୫ଟି ଆଶ୍ରୟସ୍ଥଳରେ ୩୩୮ ଜଣଙ୍କୁ ସ୍ଥାନାନ୍ତର

ମହାନଦୀର ପଛୁଆ ପାଣି: ୩ ପଞ୍ଚାୟତର ୧୦ ଗାଁରେ ବଢ଼ି ପାଣି 

Sambad

ଖୋର୍ଦ୍ଧା: ମହାନଦୀର ପଛୁଆ ପାଣି ଯୋଗୁଁ ଏହାର ଶାଖା ନଦୀ-ରାଜୁଆ, ମଲାଗୁଣି, ମକରା ଆଦି ନଦୀ ନିକଟରେ ଥିବା ଗାଁ ଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବଢ଼ି ପାଣି ଯୋଗୁଁ ଖୋର୍ଦ୍ଧା ବ୍ଲକର ୩ଟି ପଞ୍ଚାୟତର ୧୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ମହାନଦୀରେ ଯେତେବେଳେ ଉଦ୍ବୃତ୍ତ ଜଳ ପ୍ରବାହିତ ହୁଏ, ସେତେବେଳେ ପଛୁଆ ପାଣି ଯୋଗୁଁ ଖୋର୍ଦ୍ଧା ବ୍ଲକର ୩ଟି ପଞ୍ଚାୟତ-ନରଣଗଡ଼, ଓରବରସିଂହ ଓ ବ୍ରଜମୋହନପୁର ପଂଚାୟତର ୧୦-୧୨ଟି ଗାଁ ପ୍ରଭାବିତ ହୋଇଥାନ୍ତି। ଚଳିତବର୍ଷ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀର ପଛୁଆ ପାଣି ୧୪ ତାରିଖ ଅପରାହ୍ନରେ ଗାଁ ମଧ୍ୟରେ ପ୍ରବେଶ କରିଥିଲା। ମାନପୁର ଓ ହିରିମୂଳରେ ପ୍ରାୟ ୧ ଫୁଟର ପାଣି ରହିଥିଲା। କିନ୍ତୁ ଆଜି ଅପରାହ୍ଣରେ ୩ରୁ ୪ ଫୁଟ ପାଣି ବଢ଼ିଯାଇଛି। ଫଳରେ ଓରବରସିଂହ ପଞ୍ଚାୟତର ହିରିମୂଳ ଗାଁ ସଂପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସଂଧ୍ୟା ୫ଟା ସୁଦ୍ଧା ମିଳିଥିବା ସୂଚନାନୁସାରେ, ଓରବରସିଂହ ପଞ୍ଚାୟତର ହିରିମୂଳ, ଡିହଖଳା, ଓରବରସିଂହ, ମଶାଣିଆ, କୃଷ୍ଣପୁର, ରାୟପୁର, ତେନ୍ତୁଳିମୁହଁ, ଲେଖନପୁର, ନରଣଗଡ଼ ପଞ୍ଚାୟତର ମାନପୁର, ଓରମୀ, ଧବଳପୁର, ବଳପୁର, ବ୍ରଜମୋହନପୁର ପଞ୍ଚାୟତର ବ୍ରଜମୋହନପୁର ଗାଁରେ ପାଣି ପଶିଛି। ଏନେଇ ଖୋର୍ଦ୍ଧା ବିଡିଓ କ୍ଷୀରାବ୍ଧୀ ତନୟା ସାହୁ କହିଛନ୍ତି ଯେ ସେ ନିଜେ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି। ମଧ୍ୟାହ୍ନ ସୁଦ୍ଧା ହିରିମୂଳ ସଂପୂର୍ଣ୍ଣ ରୂପେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଥିଲା।

publive-image Sambad

ବଳକା ୮ଟି ଗାଁରେ ଜଳସ୍ତର ବଢ଼ିବାରେ ଲାଗିଛି। ପରିସ୍ଥିତି ଉପରେ ନଜର ରଖାଯାଇଛି। ମାନପୁରରେ ଏକ ଡାକ୍ତରୀ ଟିମକୁ ନିୟୋଜିତ କରାଯାଇଛି। ହିରିମୂଳରେ ଥିବା ସରକାରୀ ସ୍କୁଲକୁ ପ୍ରଭାବିତଙ୍କୁ ସ୍ଥାନାନ୍ତର କରାଯାଇଛି। ଆଜି ସେମାନଙ୍କ ରନ୍ଧାଖାଦ୍ୟ ଦିଆଯିବ। ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ବାହିନୀ ସତର୍କ ରହିଛନ୍ତି। ଲାଇଫ୍ ଜାକେଟ୍ ସହ ଡଙ୍ଗା ମଧ୍ୟ ମୁତୟନ କରାଯାଇଛି। ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ଗଣମାଧ୍ୟମକୁ ଜିଲ୍ଲାର ବନ୍ୟା ସ୍ଥିତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ବାଣପୁର, ଚିଲିକା, ବାଲୁଗାଁ, ଟାଙ୍ଗୀ, ବୋଲଗଡ଼, ଖୋର୍ଦ୍ଧା ପୌରାଞ୍ଚଳରେ ବଢ଼ି ଜନିତ ସମସ୍ୟା ନାହିଁ। ବାଣପୁର ଏନ୍ଏସିରେ ନଦ୍ଦର୍ମା ଜଳ ନିଷ୍ପାସନରେ ସମସ୍ୟା ଥିଲା ଆଜି ଜିଲ୍ଲା ପ୍ରଶାସନର ମିଳିତ ଜନ ଅଭିଯୋଗ ପ୍ରକୋଷ୍ଠରେ ଏନେଇ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ବେଗୁନିଆ ବ୍ଲକର ବାଘମାରି, ସାରୁଅ ଓ କୁରାଢିହରେ ସଡ଼କ ଉପରେ ପାଣି ଚାଲୁଛି। ଖୋର୍ଦ୍ଧା ବ୍ଲକର ହିରିମୂଳ ଗାଁର ଗୋଟିଏ ପରିବାରକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୩୧ଟି ପରିବାରଙ୍କ କୋଠାଘର ଥିବାରୁ ସେମାନେ ଆଶ୍ରୟସ୍ଥଳକୁ ଆସିନାହାନ୍ତି। ତଥାପି ସେମାନଙ୍କୁ କୁହାଯାଇଛି ଆଜି ରାତିରେ ଯେତେବେଳେ ଚାହିଁବେ ଆଶ୍ରୟସ୍ଥଳକୁ ଆସିବାକୁ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe