Sambad
ବନ୍ତଳା: ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରୁ ଗତ ଶନିବାର ଦିନ ଠାରୁ ୩୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ଜାରି ରହିଛି। ଫଳରେ ମହାନଦୀ ଏବେ ଫୁଲିବା ସହ କୂଳ ସୀମା ଲଙ୍ଘିଛି। ସିଧାସଳଖ ଭାବରେ ଏହାର ପ୍ରଭାବ ସାତକୋଶିଆ ଅଭୟାରଣ୍ୟର ଟିକରପଡା ପଞ୍ଚାୟତରେ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ପଞ୍ଚାୟତର ୪ଟି ଗାଁ ଏବେ ଜଳବନ୍ଦି ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୧୦୦ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ ସାତକୋଶିଆ ଅଭୟାରଣ୍ୟର ଟିକରପଡା ପଞ୍ଚାୟତ ଏବେ ପାଣି ଘେରରେ ରହିଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବୃଦ୍ଧି ପାଉଛି।ଫଳରେ ଟିକରପଡା ପଞ୍ଚାୟତର ଗଇଁଦି, ମଝିପଡା, ବେହେରାସାହି ଗ୍ରାମ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି। ଏହି ତିନୋଟି ଗ୍ରାମର ଶତାଧିକ ପରିବାର ଯାତାୟତ କରିବା ରାସ୍ତା ଉପରେ ୫ରୁ୬ ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ମହାନଦୀରେ ବନ୍ୟା ସୃଷ୍ଟି ହେଲେ ଘାଟସାହି ବାସିନ୍ଦା ଅଧିକ ପ୍ରଭାବିତ ହୋଇଥାନ୍ତି। ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ସେମାନଙ୍କ ଘର ପାଣିରେ ବୁଡିବ।
ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକରପଡା ଘାଟସାହିର ପ୍ରାୟ ୧୦୦ପରିବାରକୁ ଆଜି ଟିକରପଡା ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ପ୍ରଥମେ ଶୁଖିଲା ଖାଦ୍ୟ ଦିଆଯାଇଥିବା ବେଳେ ସନ୍ଧ୍ୟାରେ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଥିବା ଅନୁଗୁଳ ଉପ ଜିଲ୍ଲାପାଳ ବୈତୁରା ଦୀପ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଗଇଁଦି, ବେହେରାସାହି ଓ ମଝିପଡାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଉପ ଜିଲ୍ଲାପାଳ ସେହି ଅଞ୍ଚଳକୁ ବୋଟ ଯୋଗେ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଉକ୍ତ ତିନୋଟି ଗ୍ରାମର ଲୋକଙ୍କୁ ସୋମବାର ଦିନ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେପଟେ ଲଗାଣ ବର୍ଷା ଜାରି ରହିଥିବାରୁ ଟିକରପଡା ପଞ୍ଚାୟତରେ ବନ୍ୟା ପରିସ୍ଥିତି ଆହୁରି ସଙ୍ଗିନ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ଆଜି ଅନୁଗୁଳ ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ ଓ ଆଠମଲ୍ଲିକ ବିଧାୟକ ରମେଶ ସାଏ ଟିକରପଡାରେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
Follow Us