ଜଗତସିଂହପୁରରେ ଜଳବନ୍ଦି ସମସ୍ୟା ଗମ୍ଭୀର, ହଜି ଯାଉଛି ଜଳ ନିଷ୍କାସନର ପ୍ରାକୃତିକ ମାର୍ଗ

Advertisment
ଜଗତସିଂହପୁରରେ ଜଳବନ୍ଦି ସମସ୍ୟା ଗମ୍ଭୀର, ହଜି ଯାଉଛି ଜଳ ନିଷ୍କାସନର ପ୍ରାକୃତିକ ମାର୍ଗ

Sambad

ଜଗତସିଂହପୁର ସଦର: ଲଘୁଚାପଜନିତ ୫ ଦିନର ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଜଗତସିଂହପୁର ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ରହିଛି। ହଜାର ହଜାର ହେକ୍ଟର ଚାଷଜମି ପାଣିରେ ବୁଡ଼ଇ ରହିଛି। ତେବେ ଉଦ୍‌ବୃତ୍ତ ବର୍ଷା ବା ବନ୍ୟାଜଳ ନିଷ୍କାସନ ପାଇଁ ଥିବା ନାଳ, ସଫେଇ ଭଳି ପ୍ରାକୃତିକ ମାର୍ଗ ଜିଲ୍ଲାର ଡ୍ରେନେଜ୍‌ ମାନଚିତ୍ରରୁ ହଜିବାକୁ ବସିଥିବା ବେଳେ ଏହି ସମସ୍ୟା ଗମ୍ଭୀର ହେବାରେ ଲାଗିଛି। ନିର୍ବାଚନ ବେଳେ ନେତାଏ ପ୍ରତିଶ୍ରୁତି ଦେଲେ। ଜିଲ୍ଲା ପରିଷଦର ପ୍ରଥମ ବୈଠକରେ ମଧ୍ୟ ଜଳ ନିଷ୍କାସନ ସମସ୍ୟାକୁ ଅଗ୍ରାଧିକାର ଦେବାକୁ ନିଷ୍ପତ୍ତି ହେଲା। କିନ୍ତୁ ତାର କାଣିଚାଏ କାର୍ଯ୍ୟ କରାଯାଇ ନଥିବାରୁ ପୁଣିଥରେ ଚାଷୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଲେ। ଜଗତସିଂହପୁର ଜିଲ୍ଲାରେ ବର୍ଷା ଜଳ ମହାନଦୀ, ଦେବୀ ନଦୀ, ହଂସୁଆ, ବୃଦ୍ଧା, ଅଳକା, ଗୋବରୀ ଆଦି ନଦୀ ଦ୍ବାରା ସମୁଦ୍ରକୁ ନିଷ୍କାସିତ ହୋଇଥାଏ। ପ୍ରାକୃତିକ ନାଳ ଦେଇ ଏହି ନଦୀକୁ ଜଳ ପ୍ରବାହିତ ହୋଇଥାଏ। ନୟନଜୋରୀ, ପାଟନାଳୀ, ସଫେଇ ନାଳ, ଯୋର, ଜଳାଶ୍ରୟ ଗୁଡିକ ଜବରଦଖଲକାରୀଙ୍କ କବଳରେ ରହି ସତ୍ତା ହରାଇଛି। କେଉଁ ଅନାଦି କାଳରୁ ଏଗୁଡିକ ଜଳ ନିଷ୍କାସନର ପ୍ରାକୃତିକ ମାର୍ଗ ଥିଲା। ଏହାକୁ ସୁରକ୍ଷିତ ରଖିବା ପାଇଁ ସରକାରୀ ଯୋଜନା ଓ ନୀତି ନଥିବାରୁ ସ୍ଥିତି ଅଣାୟତ୍ତ ହେଉଛି। ଜଳ ନିଷ୍କାସନର ସୁବ୍ୟବସ୍ଥା ପାଇଁ ସରକାରୀସ୍ତରରେ ସ୍ବତନ୍ତ୍ର ଯୋଜନା କରାଯାଉ ନାହିଁ। ସହରୀକରଣ ପାଇଁ ନାଳିଗୁଡିକୁ ଏବେ ପୋତି ଦିଆଯାଇଛି। ଫଳରେ ବର୍ଷା ଜଳ ନିଷ୍କାସନରେ ବାଧା ଉପୁଜୁଛି।

ଜିଲ୍ଲାର ଡ୍ରେନେଜ୍‌ ବିଭାଗ ସଠିକ୍ ଭାବେ କାର୍ଯ୍ୟ କରୁନାହିଁ। ବିଡ଼ମ୍ବନା ହେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ଜଳବନ୍ଦିରୁ ବାଦ୍‌ ପଡ଼ିନଥିଲା। ଜଗତସିଂହପୁର ପୌରାଂଚଳର ଅଧିକାଂଶ ଲୋକଙ୍କ ବାଡି ଓ ଘରେ ବର୍ଷା ପାଣି ଲହଡି ଭାଙ୍ଗିଲା। ଡ୍ରେନ୍‌ଗୁଡିକ ନିୟମିତ ସଫେଇ ନହେବା ଦ୍ବାରା ବର୍ଷା ଜଳ ନିଷ୍କାସିତ ହୋଇ ନପାରି ରାସ୍ତାରେ ଜମିଲା। ଜିଲ୍ଲାର ତଳିଆ ଅଂଚଳ ବିଶେଷ କରି ବାଲିକୁଦା ବ୍ଳକ ମାଛଗାଁ, ଖାଲଗାଁ, ଓଷକଣା, ଅପଣ୍ତରା, ନହରଣା, ବରମୁଣ୍ତୁଳି, ମରିଚପୁର, କୁସୁପୁର,ରାହାଣ ଗ୍ରାମ ପଂଚାୟରେ, ଏରସମା ବ୍ଳକର ଗୋଡା, ଗଡହରିଶପୁର, ଗଡବିଷୁନପୁର, ଜପା, ପଂଚାୟତରେ ଏକ ସପ୍ତାହରୁ ଅଧିକ ସମୟ ଧରି ଜଳବନ୍ଦି ସମସ୍ୟା ସୃଷ୍ଟି ହେଲା। ଅଧିକାଂଶ ଅଂଚଳରେ ବେଆଇନ ଚିଙ୍ଗୁଡି ଘେରି ନିର୍ମାଣ ଏହାର ଅନ୍ୟତମ ପ୍ରମୁଖ କାରଣ। ସେହିପରି କୁଜଙ୍ଗ ବ୍ଳକର ପାରାଦୀପ ଗଡ, ନୂଆଗଡ, ବିଶ୍ବାଳି, ଭୂତମୁଣ୍ତାଇ, କୋଠି, ବଗଦିଆ ଏବଂ ପାରାଦୀପ ଷଣ୍ଢକୁଦ ଅଂଚଳରେ ଜଳବନ୍ଦୀ ସମସ୍ୟା ଗମ୍ଭୀର ହେଲା। ପାରାଦୀପ ଉପକଣ୍ଠ ୬ଟି ପଂଚାୟତର ୨୫ଟି ରାଜସ୍ବ ଗ୍ରାମର ଜଳ ନିଷ୍କାସନ ସମସ୍ୟା ଦେଖାଦେଲା। ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ପାଇଁ ନିର୍ଦ୍ଦିଷ୍ଟ ଆଇନ ପ୍ରଣୟନ କରାଯାଇ ପ୍ରତି ବ୍ଳକ ଓ ଗ୍ରାମପଂଚାୟତରେ ତଦାରଖ କରିବାକୁ ଅଧିକାରୀଙ୍କ ଦାୟିତ୍ବ ଦିଆଗଲେ ହୁଏତ ଆଉ କିଛି ଡ୍ରେନେଜ୍‌ ପଥକୁ ସୁରକ୍ଷିତ ରଖି ହୁଅନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe