ବିପଦସଙ୍କୁଳ ବାତ୍ୟା ଆଶ୍ରୟସ୍ଥଳରେ ଚାଲିଛି ମଧ୍ୟାହ୍ନ ଭୋଜନ ରୋଷେଇ

Advertisment
ବିପଦସଙ୍କୁଳ ବାତ୍ୟା ଆଶ୍ରୟସ୍ଥଳରେ ଚାଲିଛି ମଧ୍ୟାହ୍ନ ଭୋଜନ ରୋଷେଇ

Sambad

ବିରିଡ଼ି: ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଗ୍ରାମାଞ୍ଚଳ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶାସନ ବିଭାଗ ବିରିଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ୧୯୯୯ ମହାବାତ୍ୟା ପରେ ଆଶ୍ରୟ ସ୍ଥଳ ନିର୍ମାଣ କରିଥିଲା। ବନ୍ୟା ଓ ବାତ୍ୟା ପ୍ରବଣ ଏହି ବ୍ଲକର ବାଗଲପୁର ଠାରେ ୨ଟି ଓ ବାସନ୍ଦରାରେ ଗୋଟିଏ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ବିପଦ ସଂକୁଳ ଅବସ୍ଥାରେ ରହିଛି। ଏବେ ଏହି ଦୁଇ ମହଲା ବିଶିଷ୍ଟ ଗୃହଟିର ଝରକା କବାଟ ଭାଙ୍ଗି ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି। ବିପତ୍ତି ସମୟରେ ଏଠାରେ ଲୋକମାନେ ଆଶ୍ରୟ ନେବା ସମ୍ଭବପର ନୁହେଁ। ଏହି କୋଠାର ତଳ ମହଲା ଅର୍ଥାତ୍ ଗାଈ ଗୋରୁଙ୍କ ପାଇଁ ଉଦ୍ଧିଷ୍ଟ ଗୁହାଳଟିରେ କେହି ବସା ଉଠାକୁ ସାହସ କରୁନାହାନ୍ତି। କିନ୍ତୁ ସେଠାରେ ମଧ୍ୟାହ୍ନ ଭୋଜନ ପାଠ ପଢା ହେଉଛି। ଖାଦ୍ୟ ରନ୍ଧା ଯାଇ ପିଲାଙ୍କୁ ବଣ୍ଟାଯାଉଛି। କିନ୍ତୁ ଏହି କୋଠାଟି ବିପଦ ସଙ୍କୁଳ ବୋଲି କୌଣସି ସୂଚନା ଫଳକ ଲଗାଯାଇନାହିଁ। ତେଣୁ ଉକ୍ତ କୋଠାଟିକୁ ମରାମତି କିମ୍ବା ତୁରନ୍ତ ଭାଙ୍ଗି ଦେବା ପାଇଁ ସରପଞ୍ଚ ରମେଶ ଚନ୍ଦ୍ର ମହାନ୍ତିଙ୍କ ସମେତ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ଅନ୍ୟ ୧୯ଟି ପଞ୍ଚାୟତରେ ଅଧିକାଂଶ ବାତ୍ୟା ଆଶ୍ରୟସ୍ଥଳ ରାଜ୍ୟ ବାହାରର ସାଂସଦ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ଆର୍ଥିକ ସହାୟତାରେ ନିର୍ମାଣ କରାଯାଇଥିଲା। ପ୍ରତିବର୍ଷ ନିୟମିତ ତଦାରଖ ଓ ପରିଚାଳନା ଅଭାବରୁ ବାତ୍ୟା ଆଶ୍ରୟସ୍ଥଳ ପାଇଁ ଉଦ୍ଧିଷ୍ଟ ସରଞ୍ଜାମ କେଉଁଠି ଅଚଳ ତ କେଉଁଠି ଖରାପ ହୋଇ କାର୍ଯ୍ୟରେ ଲାଗୁନାହିଁ। ଏହାର ରକ୍ଷଣାବେକ୍ଷଣ ପାଇଁ କୌଣସି ବିଭାଗ ମୁଣ୍ଡ ଖେଳାଉ ନାହିଁ।

କେବଳ ଲୋକ ଦେଖାଣିଆ ଭାବେ ବିପର୍ଯ୍ୟୟ ମୁକାବିଲା ନାମରେ ବିପନ୍ନଙ୍କୁ ଉଦ୍ଧାର ଓ ଥଇଥାନ ପାଇଁ ମକ୍‌ଡ୍ରିଲ କରାଯାଉଛି। ବହୁ ଆଶ୍ରୟ ସ୍ଥଳ ଅନ୍ୟଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ନିଜେ ଆଶ୍ରା ଖୋଜୁଛି ବୋଲି ଲୋକମାନେ ଲଘୁ ମନ୍ତବ୍ୟ ଦେଉଛନ୍ତି। ବାତ୍ୟା ଆସିଲେ ବିଶେଷ କରି ରାଜସ୍ୱ ଓ ପଞ୍ଚାୟତିରାଜ ବିଭାଗ ଏଗୁଡ଼ିକର କେବଳ ବ୍ୟବହାର ପାଇଁ ତତ୍ପରତା ଦେଖାଇଥାନ୍ତି। ଅନ୍ୟ ସମୟରେ ଏହି ଆଶ୍ରୟସ୍ଥଳର ଦୁରବସ୍ଥା ସମ୍ପର୍କରେ ସମୀକ୍ଷା କରିବାକୁ କୌଣସି ବିଭାଗ ପାଖରେ ସମୟ ନଥାଏ। ସେହିପରି ଜରାଜୀର୍ଣ୍ଣ ହୋଇ ପଡିଥିବା ବାତ୍ୟା ଆଶ୍ରୟସ୍ଥଳର ଦୃଷ୍ଟାନ୍ତ ଶିବପୁର ପଞ୍ଚାୟତ ଶଙ୍କରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସର। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲା ପାଠ ପଢ଼ୁଥିବା ବେଳେ ସେଠାରେ ଏକ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ରହିଛି। ୨୦୦୧ରେ ଏହି କୋଠାଟି ନିର୍ମାଣ ହୋଇଥିଲା। ଏହି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ପରେ ମରାମତି ହେବା ତ ଦୂରର କଥା, ବାର୍ଷିକ ରଙ୍ଗ କରିବାକୁ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆର୍ଥିକ ସହାୟତା ଦେଇନାହିଁ। ଏଦିଗରେ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe