ରାୟଗଡା: ମା‘ ଗୃହ ୱାଡେନ ଲକ୍ଷ୍ମୀ ମାଝୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ଆଜି ୧୯ ଦିନ ବିତିଗଲା। ବିଜେପି ଓ ଆଦିବାସୀ ମହାସଂଘ ତରଫରୁ ରାୟଗଡା ବନ୍ଦ ଡାକରା ଦେବା ପରେ ସରକାର ଚେତିଛନ୍ତି। ଏହାର ତଦନ୍ତ କରିବା ପାଇଁ ଆଜି ଦୁଇ ଜଣିଆ ସେଣ୍ଟ୍ରାଲ ଫରେନସିକ ଟିମ ଚନ୍ଦ୍ରପୁରରେ ପହଞ୍ଚି ବିଭିନ୍ନ ଦିଗକୁ ନେଇ ଅନୁଧ୍ୟାନ କରିଛନ୍ତି। ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗତ ୨୧ ତାରିଖ ଦିନ ଲକ୍ଷ୍ମୀ ମାଝୀଙ୍କ ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର ହୋଇଥିଲା। ଏହାର ତଦନ୍ତ ପାଇଁ ସେଣ୍ଟ୍ରାଲ ଫରେନସିକର ଦୁଇ ଜଣିଆ ଟିମ ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ରହିଥିବା ମା‘ ଗୃହରେ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ସହ ଲକ୍ଷ୍ମୀ ମାଝୀଙ୍କ ମୃତ ଦେହ ପଡି ରହିଥିବା ସ୍ଥାନରେ ଅନୁଧ୍ୟାନ କରିବା ସହ ଚନ୍ଦ୍ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି କର୍ମଚାରୀଙ୍କ ସହ ଆଲୋଚନା କରୁଥିବା ଦେଖିବା ପାଇଁ ମିଳିଥିଲା।
ଚନ୍ଦ୍ରପୁର ମା‘ ଗୃହରେ କାର୍ଯ୍ୟରତ ୱାଡେନ ଲକ୍ଷ୍ମୀ ମାଝୀଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ସନ୍ଦେହଜନକ ଭାବେ ଉଦ୍ଧାର ହେବା ପରେ ବାପା ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି। ପୁଲିସ ବାପା ବେଳଧର ମାଝିଙ୍କୁ ଶବ ବ୍ୟବଛେଦର ରିପୋର୍ଟ ପ୍ରଦାନ ନକରି କେବଳ ଏତଲାର ରିପୋର୍ଟ ପ୍ରଦାନ କରିଥିବା ଅଭିଯୋଗ କରିଥିଲେ। ପୁଲିସର ଶୀଥିଳତା ତଦନ୍ତ ଯୋଗୁଁ ଦୋଷୀ ଖସିଯିବ ବୋଲି ଅଭିଯୋଗ କରାଯାଇଛି। ଲକ୍ଷ୍ମୀ ମାଝୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଗତ ୧୧ ଦିନ ହେଲା କ୍ରାଇମବ୍ରାଞ୍ଚ ଟିମ ଏହାର ତଦନ୍ତ କରୁଥିବାବେଳେ ଆଜି ଦିଲ୍ଲୀରୁ ଦୁଇ ଜଣିଆ ସେଣ୍ଟ୍ରାଲ ଫରେନସିକ ଟିମ ପହଞ୍ଚି ଏହି ଘଟଣାର ତଦନ୍ତ କରୁଛି। ସେଣ୍ଟ୍ରାଲ ଫରେନସିକ ଟିମ ଚନ୍ଦ୍ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଷ୍ଟାପ୍ ନର୍ସ ଓ ବିଭିନ୍ନ କର୍ମଚାରୀଙ୍କ ସହ ଆଲୋଚନା କରିବା ପରେ ଚନ୍ଦ୍ରପୁର ଥାନାରେ ପହଞ୍ଚି ରାୟଗଡା ଏସପିଙ୍କ ସହ ଆଲୋଚନା କରୁଛନ୍ତି।
Follow Us