ଶଙ୍ଖା ସିନ୍ଦୁର ଧରାଇଲା ଜାଲିଆତି: ପୁଲିସ କର୍ମଚାରୀ ଜୀବିତ ଥାଇ ମୃତ

ପତ୍ନୀ ବିଧବା ନିର୍ମାଣ ଶ୍ରମିକ, ପୁଅ ଓ ଭଉଣୀଙ୍କ ନାଁରେ ବି କାର୍ଡ

ଶଙ୍ଖା ସିନ୍ଦୁର ଧରାଇଲା ଜାଲିଆତି: ପୁଲିସ କର୍ମଚାରୀ ଜୀବିତ ଥାଇ ମୃତ

Catch News

ଫୁଲବାଣୀ: ସରକାରୀ ସୁବିଧା ସୁଯୋଗ ହାତେଇବା ପାଇଁ ମଣିଷ ଯେ ଏତେ ତଳକୁ ଖସିଯାଏ  ତାର ଜ୍ବଳନ୍ତ ଉଦାହରଣ କରୋନା ଲକ ଡାଉନ ସମୟରେ ସହାୟତା ବଣ୍ଠନ ସମୟରେ ନଜରକୁ ଆସିଛି। ସ୍ବାମୀ ଜୀବିତ। ପୁଣି ଜଣେ ପୁଲିସ କର୍ମଚାରୀ। ହେଲେ ତାଙ୍କ ପତ୍ନୀ ଜଣେ ବିଧବା ନିର୍ମାଣ ଶ୍ରମିକ। ଆଉ ତାଙ୍କ ପୁଅ ଓ ଭଉଣୀଙ୍କ ନାଁରେ ବି ଶ୍ରମିକ କାର୍ଡ ହାତେଇ ନେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଜାଲିଆତି କରି ପତ୍ନୀ, ପୁଅ ଓ ଭଉଣୀ ନାଁରେ ଶ୍ରମିକ କାର୍ଡ କରି ନେଇଥିବା ପୁଲିସ କର୍ମଚାରୀ ଜଣକ ହେଉଛନ୍ତି ଫୁଲବାଣୀ ସହର ୧୦ ନମ୍ବର ୱାର୍ଡ ସାଇନପଦର ଫକୀରଚରଣ ପାତ୍ର। ଶ୍ରୀ ପାତ୍ର ପୁଲିସ ବିଭାଗ ୱାରେଲେସ୍ ଟ୍ରାନ୍ସମିଶନରେ କାର୍ଯ୍ୟ କରନ୍ତି। ସେ ବର୍ତ୍ତମାନ କୋଟଗଡ ଥାନାରେ କାର୍ଯ୍ୟରତ। ହେଲେ ସେ ଜାଲିଆତି କରି ତାଙ୍କ ପତ୍ନୀ ଟୁନିପ୍ରଭା ପାତ୍ରଙ୍କ ନାଁରେ ଶ୍ରମିକ କାର୍ଡ କରିଛନ୍ତି। ଏଥି ସହ ପୁଅ ସ୍ମାରକୀ ରଂଜନ ପାତ୍ର ଓ ଭଉଣୀ କ୍ରୀଷ୍ଣାଲିନୀ ପାତ୍ରଙ୍କ ନାଁରେ ବି କାର୍ଡ ହାତେଇ ନେଇଛନ୍ତି।

ସଂପ୍ରତି କରୋନା ଲକ୍ ଡାଉନ ପାଇଁ ନିର୍ମାଣ ଶ୍ରମିକଙ୍କୁ ୧ହଜାର ୫୦୦ ଟଙ୍କା ସହାୟତା ପ୍ରଦାନ କରାଯାଉଛି। ଗ୍ରାମାଞ୍ଚଳରେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏହି ସହାୟତା ବଣ୍ଟନ କରୁଥିବା ବେଳେ ସହାରାଞ୍ଚଳରେ ଏହି ସହାୟତା ବଣ୍ଟନ କରୁଛନ୍ତି ପୌର କର୍ମଚାରୀ। ଗତକାଲି ଫୁଲବାଣୀ ପୌର ପରିଷଦର କିଛି କର୍ମଚାରୀ ସାଇନପଦରକୁ ଯାଇଥିଲେ ସହୟତା ବାଣ୍ଟିବାକୁ। ଶ୍ରମ ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ମାଣ ଶ୍ରମିକ ତାଲିକା ନେଇ ବିଧବା ଟୁନିପ୍ରଭା ପାତ୍ରଙ୍କ ଘରକୁ ଯାଇଥିଲେ।

କବାଟ ବାଡେଇବା ପରେ ଟୁନିପ୍ରଭା ପାତ୍ର ପଦାକୁ ଆସିଥିଲେ। ଟୁନିପ୍ରଭାଙ୍କ ଟିକେ ଡାକନ୍ତୁ ବୋଲି କର୍ମଚାରୀ କହିଥିଲେ। ନିଜେ ସେ ଟୁନିପ୍ରଭା ବୋଲି କହିବାରୁ କର୍ମଚାରୀ ବିଶ୍ବାସ କରି ପାରି ନଥିଲେ।  ହାତରେ ଶଙ୍ଖା ଓ ମଥାରେ ସୁନ୍ଦର ପିନ୍ଧି ଓ ସଧବା ବେଶରେ ଥିବାରୁ ପୌର କର୍ମଚାରୀ ସନ୍ଦେହରେ ପଡିଥିଲେ। ଏହା ଦେଖି ସହାୟତା ରାଶି ଦେବାକୁ ମନା କରିବାରୁ ସେ କାଳେ ସ୍ବାମୀ ପୁଲିସ ବିଭାଗରେ ଚାକିରି କରିଥିବା କଥା କହି ଚାପ ପକାଇଥିଲେ। ‌ଶେଷରେ କର୍ମଚାରୀମାନେ ନିରୁପାୟ ହୋଇ ତାଙ୍କୁ ସହାୟତା ରାଶି ଦେଇଥିଲେ। ତାପରେ ତାଲିକାରେ ବାପଛେଉଣ୍ଡ ଦର୍ଶାଯାଇଥିବା ପୁଅ ସ୍ମାରକୀ ରଂଜନ ପାତ୍ରକୁ ବି ସହାୟତା ରାଶି ଦିଆଯାଇଥିଲା। ଭଉଣୀ ବାହାରେ ଥିବାରୁ ତାଙ୍କ ସହାୟତା ରାଶି ନେବାକୁ ଚାହିଁ ଥିଲେ ବି କର୍ମଚାରୀ ନ ଦେଇ ପଳାଇ ଆସିଥିଲେ।

ଏ ନେଇ କର୍ମଚାରୀମାନେ ପୌର ନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ।  ପୁଲିସ ବିଭାଗରେ ଚାକିରି କରିଥିବା ଶ୍ରୀ ପାତ୍ର ଜୀବିତ ଥାଇ କିଭଳି ମୃତ ଦର୍ଶାଇ ଜାଲିଆତି କରି  ପତ୍ନୀ,ପୁଅ ଓ ଭଉଣୀ ନାଁରେ ଶ୍ରମିକ କାର୍ଡ ହାତେଇଛି ସେ ନେଇ ପ୍ରଶାସନ ଓ ଶ୍ରମ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା ନିର୍ବାହୀ ଅଧିକାରୀ ବଳଦେବ ବେହେରା କହିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଶ୍ରମିକ କାର୍ଡ ପାଇଁ ନିଦ୍ଧିଷ୍ଟ ମାନଦଣ୍ଡ ଥିବା ବେଳେ ଜଣେ ପୁଲିସ କର୍ମଚାରୀ  କିଭଳି ଜାଲିଆତି କରି ପତ୍ନୀ, ପୁଅ ଓ ଭଉଣୀ ନାଁରେ କାର୍ଡ କରିବାରେ ସକ୍ଷମ ହେଲେ। କ୍ଷମତା ବଳରେ ନାଁ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ହାତ କରି। ଏ ନେଇ ଅଧିକ ତଦନ୍ତର ଆବଶ୍ୟକତା ରହିଛି।

ଜିଲ୍ଲାରେ ସମୁଦାୟ ୭୫ହଜାର ୧୨୨ ଜଣଙ୍କ ନାଁରେ ଶ୍ରମିକ କାର୍ଡ ରହିଛି। ଏହାର ସଂଖ୍ୟା ୩ ବର୍ଷ ପୂର୍ବେ ୫୦ରୁ ୫୫ ହଜାର ଥିଲା। ସରକାର ନିର୍ମାଣ ଶ୍ରମିକଙ୍କ ପାଇଁ ବହୁ ସୁବିଧା ସୁଯୋଗ ଘୋଷଣା କରିବାରୁ ମାନଦଣ୍ଡ ନ ଥାଇ ବହୁ ଲୋକ ଅଧିକାରୀ ଓ କର୍ମଚାରୀଙ୍କୁ ଧରି କାର୍ଡ କରିବାରେ ସଫଳ ହୋଇଛନ୍ତି। ସେଥି ମଧ୍ୟରୁ ଶ୍ରୀ ପାତ୍ର ହେଉଛନ୍ତି ଗୋଟିଏ ଉଦାହରଣ। ଏମିତି ଶହଶହ ସଂଖ୍ୟାରେ ଥିବା କୁହାଯାଉଛି। ଏହି ଘଟଣାରେ ପ୍ରଶାସନ ଓ ବିଭାଗର ପରବର୍ତ୍ତୀ ପଦକ୍ଷେପ କଣ ହେଉଛି ତାହା ଦେଖିବାର କଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe