ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ନିଧି ସଂଗ୍ରହ ପାଇଁ ମୟୂରଭଞ୍ଜରେ ବ୍ୟାପକ ଅଭିଯାନ

Advertisment

ବିପୁଳ ଉତ୍ସାହ, ୩୦ଲକ୍ଷରୁ ଊର୍ଧ୍ବ ନିଧି ସଂଗ୍ରହ, ଚଳିତ ମାସ ୩୧ ଅନ୍ତିମ ଦିନ

ବିପୁଳ ଉତ୍ସାହ, ୩୦ଲକ୍ଷରୁ ଊର୍ଧ୍ବ ନିଧି ସଂଗ୍ରହ, ଚଳିତ ମାସ ୩୧ ଅନ୍ତିମ ଦିନ

୨୦୨୪ ଜାନୁଆରି ୧ରେ ରାମ ମନ୍ଦିର ଉଦ୍‌ଘାଟନ

Image Courtesy of The Print

ବାରିପଦା: ଅଯୋଧ୍ୟାର ବିଶାଳ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସକାଶେ ସମଗ୍ର ଦେଶରେ ବ୍ୟାପକ ଅର୍ଥ ସଂଗ୍ରହ ଅଭିଯାନ ଚାଲିଥିବା ବେଳେ ମୟୂରଭଞ୍ଜରେ ମଧ୍ୟ ଏନେଇ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ତଥା ବିଶ୍ୱ ହିନ୍ଦୁ ପରିଷଦ ଓଡ଼ିଶା ଶାଖାର ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏହି ନିଧି ସଂଗ୍ରହ କାର୍ଯ୍ୟକ୍ରମ ସମଗ୍ର ରାଜ୍ୟରେ ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହୋଇଥିଲା। ଚଳିତ ମାସ ୩୧ ହେଉଛି ଏହି କାର୍ଯ୍ୟକ୍ରମର ଅନ୍ତିମ ଦିନ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ପ୍ରାୟ ୩୦ଲକ୍ଷରୁ ଊର୍ଧ୍ବ ନିଧି ସଂଗ୍ରହ ହୋଇଥିବା ଜଣାପଡ଼ିଛି।

ଗତ ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲାର ସମସ୍ତ ପୋରାଞ୍ଚଳ, ବ୍ଲକ ଓ ପଞ୍ଚାୟତ ସ୍ତରରେ ଏପରିକି ଅଧିକାଂଶ ଗ୍ରାମରେ ଏହି ଅଭିଯାନ ଜାରି ରହିଛି। ବିଶ୍ୱ ହିନ୍ଦୁ ପରିଷଦ ସାଙ୍ଗକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପରିବାରର ଅନ୍ୟ ଆନୁସଙ୍ଗିକ କ୍ଷେତ୍ରର ସଦସ୍ୟ ଓ ବିଭିନ୍ନ ସାମାଜିକ/ସାଂସ୍କୃତିକ ଆଧ୍ୟାତ୍ମିକ/ସ୍ବେଚ୍ଛାସେବୀ ସଂଗଠନ କର୍ମକର୍ତ୍ତାମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

ଘରକୁ ଘର ବୁଲି ସହଯୋଗ ଓ ସହାୟତା ନିମନ୍ତେ ଅନୁରୋଧ କରାଯାଉଥିବା ବେଳେ ଲୋକେ ମଧ୍ୟ ସ୍ୱେଚ୍ଛାକୃତ ଭାବେ "ନିଧି ସମର୍ପଣ" ପାଇଁ ଆଗେଇ ଆସୁଥିବା ଦେଖାଯାଉଛି। ଦାନକାରୀ ରାମଭକ୍ତମାନେ ଦଶ ଟଙ୍କା, ଶହେ ଟଙ୍କା, ହଜାରେ ଟଙ୍କା, ପାଞ୍ଚ ହଜାର ଟଙ୍କା ରୁ ଆରମ୍ଭ କରି ଲକ୍ଷାଧିକ ଟଙ୍କା ପର୍ଯ୍ୟନ୍ତ ସମର୍ପଣ କରୁଥିବା ପରିଲକ୍ଷିତ ହୋଇଛି। କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ ଓ ଜନ-ମନ-ଧ୍ୟାନ-ଆକର୍ଷଣକାରୀ କରିବା ଦୃଷ୍ଟିରୁ ମାସର ଶେଷ କାର୍ଯ୍ୟ ଦିବସ ଜାନୁଆରି ତିରିଶ ତାରିଖ (ଶନିବାର) ଦିନ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ଏକ ବଡ଼ ଧରଣର ସମୂହ ଧନ ସଂଗ୍ରହ ଅଭିଯାନ ଆୟୋଜିତ ହେବାକୁ ଯାଉଛି।

ଏଥିରେ ସାମିଲ ଥିବା ସ୍ବେଚ୍ଛାସେବୀମାନେ ଚଉଦଟି ପୃଥକ ପୃଥକ ଦଳରେ ବିଭକ୍ତ ହୋଇ, ପୂର୍ବାହ୍ନ ଦଶଟାରୁ ଅପରାହ୍ନ ଗୋଟାଏ ଯାଏ ରାମ ଜନ୍ମଭୂମି ସମ୍ପର୍କିତ ବ୍ୟାନର, ପତାକା, ଲିଫଲେଟ, କୁପନ, ରସିଦ ବହି ଆଦି ଧରି ସହରର ସମସ୍ତ ମାର୍ଗ ଓ ବଜାର ବୁଲି ଲୋକଙ୍କଠୁ ସହାୟତା ଭିକ୍ଷା କରିବେ ବୋଲି ଅଭିଯାନ ତରଫରୁ କବିବିଷ୍ଣୁ ଶତପଥୀ ପ୍ରକାଶ କରିବା ସହ ଏଥିରେ ସହଯୋଗ କରିବାକୁ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe