ଧରାପଡ଼ିଲା ମୋବାଇଲ ଚୋର ଗ୍ୟାଙ୍ଗ୍‌, ୪ କୋର୍ଟ ଚାଲାଣ

Advertisment
ଧରାପଡ଼ିଲା ମୋବାଇଲ ଚୋର ଗ୍ୟାଙ୍ଗ୍‌, ୪ କୋର୍ଟ ଚାଲାଣ

new indian express

ଟିଟିଲାଗଡ଼: ମୋବାଇଲ୍‌ ଫୋନ୍‌ ଚୋରି କରୁଥିବା ଏକ ଚୋର ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହୋଇଛି ଟିଟିଲାଗଡ଼ ପୁଲିସ। ଧରା ପଡ଼ିଥିବା ଗ୍ୟାଙ୍ଗ୍‌ର ୮ ଜଣଙ୍କ ମଧ୍ୟରୁ ୪ ଜଣ ନାବାଳକ ଥିବାରୁ ସେମାନଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ଆଗରେ ହାଜର କରାଯାଇଛି। ଅନ୍ୟ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କଠାରୁ ୧୬ଟି ମୋବାଇଲ ଫୋନ୍‌, ୪ଟି ବାଇକ, ଗୋଟିଏ ପିକ୍‌ଅପ୍‌ ଭ୍ୟାନ୍ ସହ ଚୋରି ସାମଗ୍ରୀ ସ୍କ୍ରାପ ଜବତ କରାଯାଇଛି ବୋଲି ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥୀ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଶ୍ରୀ ଶତପଥୀଙ୍କ କହିବା ଅନୁସାରେ, ମାସେ ତଳେ ଟିଟିଲାଗଡ଼ ସହର ଗୋଶାଳା ପଡ଼ାର ସଫିକଉଦ୍ଦିନ ଅନସାରୀଙ୍କ ଘରୁ ୩ଟି ମୋବାଇଲ ଫୋନ୍‌ ଚୋରି ହୋଇଥିଲା। ଏନେଇ ଟିଟିଲାଗଡ଼ ଥାନା ପୁଲିସ କେସ୍‌ ନଂ ୨୨୭ ରୁଜୁ କରି ତଦନ୍ତ କରୁଥିଲା।

ସେହିପରି ଗତ ୨ ତାରିଖ ଦିନ ଟିଟିଲାଗଡ଼ ଥାନା ଲୁଥୁରବନ୍ଧ ଗାଁରୁ ମଧ୍ୟ ମୋବାଇଲ ଫୋନ୍‌ ଚୋରି ହୋଇଥିବା ବିଷୟରେ ଲାଲୁରାମ ବିଶି ଏତଲା ଦେଇଥିଲେ ଏବଂ କେସ୍‌ ନଂ ୩୦୨ରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲା। ମୋବାଇଲ ଟ୍ରାକିଂ ସହ ଏକ ସ୍ୱତନ୍ତ୍ର ଟିମ୍‌ ମୋବାଇଲ ଚୋର ଗ୍ୟାଙ୍ଗ ଉପରେ ନଜର ରଖିଥିଲା। ଗତ ୬ ତାରିଖ ଦିନ ଟିଟିଲାଗଡ଼ ପିପଲପଦର ନିକଟରେ ରେଳବାଇର ଠିକା ସଂସ୍ଥାର କ୍ୟାମ୍ପରୁ ସ୍କ୍ରାପ୍‌ ଚୋରି ସଂପର୍କରେ ଟିଟିଲାଗଡ଼ ଥାନାରେ ମାମଲା ରୁଜୁ ହୋଇଥିଲା। ଏସବୁ ମାମଲାରେ ପୁଲିସ ସହର ତଥା ଆଖ ପାଖ ଅଞ୍ଚଳରୁ ଉକ୍ତ ୮ଜଣଙ୍କୁ କାବୁ କରିଥିଲା। ପଚରା ଉଚରା ସମୟରେ ସେମାନେ ଚୋରି କଥା ପୁଲିସ ଆଗରେ ସ୍ୱୀକାର କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଥାନାଧିକାରୀ ରଂଜନ ବରିହା, ଏସ୍‌ଆଇ ମୋହିନୀ ମଲ୍ଲିକ, ଏସ୍‌ଆଇ  ଆଶୁତୋଷ ସାମଲ, ଅନ୍ତର୍ଯ୍ୟାମୀ ଖମାରୀ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe