ମୁଣ୍ଡଘାଟ- ସୋନପୁର ଯୋଗାଯୋଗ ବିଛିନ୍ନ; ବନ୍ୟା ଆଶଙ୍କାରେ ଲମତୁଲ ଗାଁର ୨୫ ପରିବାର

ମୁଣ୍ଡଘାଟ ପୋଲ ଉପରେ ୪ ଫୁଟ୍‌ ପାଣି

ମୁଣ୍ଡଘାଟ- ସୋନପୁର ଯୋଗାଯୋଗ ବିଛିନ୍ନ; ବନ୍ୟା ଆଶଙ୍କାରେ ଲମତୁଲ ଗାଁର ୨୫ ପରିବାର

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ ଏସ୍‌. ପତ୍ରାପାଲି ପଂଚାୟତ ଲମତୁଲ ଗ୍ରାମର ୨୫ ପରିବାର ମହାନଦୀର ବନ୍ୟାପାଣି ଘେରି ଯିବା ଆଶଙ୍କାରେ ରହିଛନ୍ତି। ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ପରେ ମହାନଦୀର ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପଟେ ଲଘୁଚାପ ଜନିତ ବର୍ଷା ବୃଦ୍ଧି ପାଇବାରେ ଲାଗିଥିବାରୁ ଲମତୁଲ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଉପରେ ମହାନଦୀର ବନ୍ୟା ପାଣି ବଢୁଛି। ଖବର ପାଇ ରବିବାର ସକାଳୁ ଉପଜିଲ୍ଲାପାଳ ଅଶୋକ ଭୋଇ, ବିଡିଓ ହେମସାଗର ଭୋଇ, ଅତିରିକ୍ତ ତହସିଲଦାର ସୋମନାଥ ବେହେରା ସ୍ଥାନୀୟ ସରପଂଚ ଓ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ସହ ଗାଁକୁ ଯାଇ ସ୍ଥିତି ପରଖିବା ସହ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ପ୍ରଶାସନ ତରଫରୁ ଗାଁକୁ ଯୋଗାଯୋଗ ପାଇଁ ଏକ ମୋଟର ଚାଳିତ ଡଙ୍ଗାର ବ୍ୟବସ୍ଥା କରାଯାଇଛି।

ଅନ୍ୟପଟେ ଉଲୁଣ୍ଡା ଯୁବ ମହାସଙ୍ଘର ସଦସ୍ୟମାନେ ଗାଁକୁ ଯାଇ ଲୋକଙ୍କ ସୁବିଧା ଅସୁବିଧା ଉପରେ ନଜର ରଖିଛନ୍ତି। ଲମତୁଲ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଉପରେ ବନ୍ୟା ପାଣି ଥିଲେ ମଧ୍ୟ ଜଙ୍ଗଲ ରାସ୍ତା ଦେଇ ଗାଁକୁ ଯିବା ଆସିବା କରିହେଉଛି। ମାତ୍ର ମହାନଦୀ ଜଳସ୍ତର ବୃଦ୍ଧି ପାଇଲେ ଲମତୁଲ ଗ୍ରାମବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ ଏଥିପ୍ରତି ପ୍ରଶାସନ ସଜାଗ ରହିଥିବା ଉଲୁଣ୍ଡା ବିଡିଓ ସୂଚନା ଦେଇଛନ୍ତି।

ସେପଟେ ମହାନଦୀରେ ବନ୍ୟା ପରିସ୍ଥିତି ଦେଖା ଯାଇଥିବା ବେଳେ ନଦୀକୂଳିଆ ଗାଁ ମାନଙ୍କର ଚାଷ ଜମିରେ ବନ୍ୟାଜଳ ମାଡିଯାଇ ବ୍ୟାପକ ଚାଷ କ୍ଷୟକ୍ଷତି ହୋଇଥିବା ଦେଖାଯାଇଛି। ଠିକ୍‌ ସେହିପରି ମୁଣ୍ଡଘାଟ ପୋଲ ଉପରେ ୪ ଫୁଟ ପାଣି ପ୍ରବାହିତ ହେଉଥିବାରୁ ମୁଣ୍ଡଘାଟଠାରୁ ସୋନପୁରକୁ ଯୋଗାଯୋଗ ବିଛିନ୍ନ ହୋଇଛି। ରକ୍ସା ପୋଲ ଦେଇ ଗାଡି ମୋଟର ଯାତାୟାତ କରୁଛି। ଅନ୍ୟ ପକ୍ଷରେ ଲଙ୍କାବାହାଲ, ଶ୍ରୀପୁରା, ହିକୁଡ଼ି, ପତ୍ରାପାଲିାୀ ପାଣି ଚାଷ ଜମି ରହିଥିବାରୁ ଧାନ ଫସଲ ନଷ୍ଟ ହେବା ଆଶଙ୍କା ଦେଖା ଦେଇଛି। ନଈ କୂଳିଆ ଲୋକ ବଢିଲା, ମୁଣ୍ଡଘାଟ, ନିମ୍ନା, ତେଲେଣ୍ଡା, ନିମ୍ନା ଭୁଦବର, ଝରପଡ଼ା ଗ୍ରାମବାସୀ ବନ୍ୟା ଆଶଙ୍କାରେ ଭୟଭୀତ ଥିବା ପତ୍ରାପାଲିର ସମାଜସେବୀ ଆର୍ତ୍ତତ୍ରାଣ ପାଣିଗ୍ରାହୀ କହିଛନ୍ତି। ବ୍ଲକ୍‌ ପ୍ରଶାସନ ବନ୍ୟା ପ୍ରତି ସତର୍କ ଥିବା ଉଲୁଣ୍ଡା ବିଡିଓ ଶ୍ରୀ ଭୋଇ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe