୪ ମୃତ ବ୍ୟକ୍ତିଙ୍କ ନାମରେ ବୀମା କରି ୨ କୋଟି ଟଙ୍କା ହଡ଼ପ 

Advertisment
୪ ମୃତ ବ୍ୟକ୍ତିଙ୍କ ନାମରେ ବୀମା କରି ୨ କୋଟି ଟଙ୍କା ହଡ଼ପ 

ଖୋର୍ଦ୍ଧା: ୪ଜଣ ମୃତ ବ୍ୟକ୍ତିଙ୍କ ନାମରେ ଜୀବନବୀମା ପଲିସି କରି ୧ କୋଟି ୮୧ଲକ୍ଷ ଟଙ୍କା ହଡ଼ପ କରିଥିଲେ ଏଲ୍ଆଇସି ଏଜେଂଟ୍ କବିରାଜ ବେହେରା । ଏନେଇ ଖୋର୍ଦ୍ଧା ଜୀବନବୀମା ଶାଖା ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଭିତ୍ତିରେ ଅର୍ଥନୈତିକ ଅପରାଧ ଶାଖା ଉକ୍ତ ଏଲ୍ଆଇସି ଏଜେଣ୍ଟଙ୍କୁ ଗିରଫ କରି ଆଜି ଖୋର୍ଦ୍ଧା ଏସ୍ଡିଜେଏମ୍ କୋର୍ଟରେ ହାଜର କରିଛି ।

ସୂଚନାନୁସାରେ, ପୁରୀ ଜିଲ୍ଲା କଣାସର କବିରାଜ ବେହେରା ୨୦୦୩ରୁ ଖୋର୍ଦ୍ଧା ଜୀବନ ବୀମା ଶାଖା ଅଧୀନରେ ଜୀବନବୀମା ଏଜେଂଟ୍ ଭାବେ କାମ କରୁଥିଲେ । ୨୦୧୩ରୁ ୨୦୧୯ ମଧ୍ୟରେ ସେ ୪ଜଣ ମୃତ ବ୍ୟକ୍ତିଙ୍କ ନାମରେ ୧୦ଲକ୍ଷ ଟଙ୍କା ହିସାବରେ ୨୩ଟି ବୀମା କରିଥିଲେ । ବୀମା ନିୟମାନୁସାରେ, କୌଣସି ବୀମାଧାରୀଙ୍କ ମୃତ୍ୟୁରେ ୧୦ଲକ୍ଷ ଟଙ୍କାରୁ ନିମ୍ନ ବୀମାରାଶି ପ୍ରଦାନ କରିବା ଅଧିକାର ସମ୍ପୃକ୍ତ ବୀମା ଶାଖାର ପରିଚାଳକଙ୍କ ହାତରେ ଥାଏ, ଏଥିପାଇଁ ଉପଖଣ୍ଡ (ଡିଭିଜିନାଲ୍) ପରିଚାଳକଙ୍କ ନିକଟକୁ ଯାଂଚ ଓ ଅନୁମତି ପାଇଁ ପଠାଇବା ଆବଶ୍ୟକ ନଥାଏ । ଏଣୁ ଏଜେଂଟ୍ କବିରାଜ ବେହେରା ଚତୁରତାର ସହକାରେ ସମସ୍ତ ବୀମା ୧୦ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରଖିଥିଲେ । ମୃତ ବ୍ୟକ୍ତିଙ୍କ ନାମରେ ୩ ରୁ ୫ ବର୍ଷ କ୍ରମାଗତ ଭାବେ ସେ ନିଜେ ବୀମା ରାଶି ଦାଖଲ କରିଥିଲେ । ଏହାପରେ ସେମାନଙ୍କ ମୃତ ପ୍ରମାଣପତ୍ର ଦାଖଲ କରି ବୀମା ରାଶି ନେଇଯାଇଥିଲେ । ଏହି ଜାଲିଆତି ଜଣାପଡ଼ିବା ପରେ ଖୋର୍ଦ୍ଧା ଜୀବନ ବୀମା ଶାଖା ପରିଚାଳକ ଚଳିତ ମାସ ୫ ତାରିଖରେ ଅର୍ଥନୈତିକ ଅପରାଧ ଶାଖା ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଭାରତୀୟ ପିଙ୍ଗଳ କୋଡ୍ ଧାରା ୪୨୦, ୪୬୭, ୪୭୧ ଓ ୧୨୦ ଖରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ।

ଗତକାଲି ଅର୍ଥନୈତିକ ଅପରାଧ ଶାଖା କବିରାଜ ବେହେରାଙ୍କୁ କଣାସ ଥାନା ଅନ୍ତର୍ଗତ ଝାଡ଼କଟାରେ ଥିବା ତାଙ୍କ ଘରେ ଚଢ଼ାଉ କରିଥିଲେ । ଚଢ଼ାଉରେ କବିରାଜଙ୍କ ଘରୁ ଉକ୍ତ ମୃତ ବୀମାଧାରୀଙ୍କ ମୃତ୍ୟୁ ପ୍ରମାଣପତ୍ର, ଏଟିଏମ୍ କାର୍ଡ, ବ୍ୟାଙ୍କ ପାସ୍ ବୁକ୍, ଚେକ୍ ବୁକ୍, ଆଧାର କାର୍ଡ଼, ସେମାନଙ୍କ ନମିନିଙ୍କ ଦ୍ୱାରା କରାଯାଇଥିବା ଆବେଦନପତ୍ରର ନକଲ, ବ୍ୟାଙ୍କ ଜମାଖାତା, ଏଟିଏମ୍ କାର୍ଡ ସହ ମୃତ ବ୍ୟକ୍ତିଙ୍କ ପୂର୍ଣ୍ଣ ସ୍ୱାକ୍ଷର ଥିବା ସାଧା କାଗଜ ଆଦି ଜବତ ହୋଇଥିଲା । ସେ ଇତିମଧ୍ୟରେ ୧କୋଟି ୮୧ଲକ୍ଷ ଟଙ୍କା ମଧ୍ୟରୁ ୫ଟି ପଲିସିର ଅର୍ଥ ନେଇସାରିଛନ୍ତି । ବଳକା ବୀମା ରାଶିର ଆବେଦନ ବୀମା ଶାଖାରେ ଯାଂଚ ପାଇଁ ବିଚାରାଧୀନ ରହିଥିବା ବୀମା ଶାଖା ପକ୍ଷରୁ ଜଣାଯାଇଛି ।

ଆଜି ଅର୍ଥନୈତିକ ଅପରାଧଶାଖା କବିରାଜକୁ ଗିରଫ କରି ଖୋର୍ଦ୍ଧା ଏସ୍ଡିଜେଏମ୍ କୋର୍ଟରେ ହାଜର କରାଇଥିଲେ । କୋର୍ଟରେ ଜାମିନ ନାମଂଜୁର ହୋଇଯିବା ପରେ ତାଙ୍କୁ ଖୋର୍ଦ୍ଧା ଜେଲ୍କୁ ପଠାଇ ଦିଆଯାଇଛି ।  ଏନେଇ ଅର୍ଥନୈତିକ ଅପରାଧ ଶାଖା କହିଛନ୍ତି ଯେ ମୃତ ବ୍ୟକ୍ତିଙ୍କ ନାମରେ ଯେଉଁ ନମିନି ରହିଛନ୍ତି ସେମାନଙ୍କ ଭୂମିକାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି । ଏନେଇ ତଦନ୍ତ ଜାରି ରହିଛି, ଅନ୍ୟ କୌଣସି ବୀମା ଶାଖାରୁ ଏଭଳି ଜାଲିଆତି କରିଛନ୍ତି କି ନାହିଁ ସେନେଇ ତଦନ୍ତ ଜାରି ରହିଛି । ଆବଶ୍ୟକ ପଡ଼ିଲେ କବିରାଜଙ୍କୁ ରିମାଣ୍ଡରେ ଅଣାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe