ପରଲୋକରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନାରାୟଣ ପ୍ରସାଦ ଦାସ, ରାଉରକେଲାରେ ଶୋକର ଛାୟା

ପରଲୋକରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନାରାୟଣ ପ୍ରସାଦ ଦାସ, ରାଉରକେଲାରେ ଶୋକର ଛାୟା

ରାଉରକେଲା: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ ତଥା ସମାଜସେବୀ ନାରାୟଣ ପ୍ରସାଦ ଦାସଙ୍କ ଆଜି ୯୪ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ଅସୁସ୍ଥତା କାରଣରୁ ଭୁବନେଶ୍ୱରସ୍ଥ କିମ୍‌ସ ହସ୍‌ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ଦିନ ପ୍ରାୟ ସାଢ଼େ ୧୨ଟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ୩ ପୁଅ ଓ ୨ ଝିଅ ଉପସ୍ଥିତ ଥିଲେ। ଶୋକାକୁଳ ପରିବେଶରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ପୁତ୍ର ମୁଖାଗ୍ନି ଦେଇଥିଲେ। ଏହି ଖବର ପ୍ରଚାରିତ ହେବାପରେ ଇସ୍ପାତ ସହରରେ ଶୋକ ଖେଳିଯାଇଛି। ଶ୍ରୀ ଦାସଙ୍କ ବିୟୋଗରେ ପ୍ରମୁଖ ରାଜନେତା, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ୧୯୨୮ ନଭେମ୍ବର ୧୩ ତାରିଖରେ ଅବିଭକ୍ତ କଟକ ଜିଲ୍ଲାର ମୂଳ ନିବାସୀ ଦୁର୍ଯ୍ୟୋଧନ ଦାସ ଓ କମଳା ଦାସଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଅଞ୍ଚଳର ଦ୍ବିତୀୟ ମାଟ୍ରିକୁଲେଟ୍‌ଭାବେ କୃତକାର୍ଯ୍ୟ ହୋଇ ଗୌରବ ଅର୍ଜନ କରିଥିଲେ। ତେବେ ମାଟ୍ରିକ୍‌ ପାସ୍‌ କରିବା ପୂର୍ବରୁ ସେ ସମାଜସେବା ପ୍ରତି ଆଗେଇ ଆସିଥିଲେ। ୧୯୩୮ ମସିହାରେ ମହାତ୍ମା ଗାନ୍ଧୀ ଡେଲାଙ୍ଗ ଗସ୍ତରେ ଆସିଥିଲେ।

ମହାତ୍ମା ଗାନ୍ଧୀଙ୍କୁ ପିଲାଟି ଦିନରୁ ଆଦର୍ଶ ମାନୁଥିବାରୁ ତାଙ୍କୁ ଦେଖିବାକୁ ପହଞ୍ଚିଯାଇଥିଲେ ସଭାରେ। ଖାସ୍‌ ଏହି କାରଣରୁ ଇଂରେଜଙ୍କ ଭୟରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ସ୍କୁଲରୁ ବାହାର କରିଦେଇଥିଲେ। ପରବର୍ତ୍ତୀ ସମୟରେ ଗାନ୍ଧୀଙ୍କ ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଶ୍ରୀ ଦାସ ସ୍ବାଧୀନତା ସଂଗ୍ରାମରେ ଯୋଗଦେଇଥିଲେ। ଜାତିପ୍ରଥା ବିଲୋପ, ଦଳିତଙ୍କୁ ନ୍ୟାଯ୍ୟ ଅଧିକାର ପ୍ରଦାନ ସପକ୍ଷରେ ସେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦି ରାଜ୍ୟକୁ ପଦଯାତ୍ରା କରି ସଚେତନ କରିଥିଲେ। ରାଉରକେଲାରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଗଠନ ବି କରିଥିଲେ। ଏମିତିକି ଗାନ୍ଧିବାଦୀ ନୀତି ଆଦର୍ଶର ପ୍ରଚାର ପାଇଁ ଶ୍ରୀଲଙ୍କା, ଇଣ୍ଡୋନେସିଆ, ଆମେରିକା, ସିଙ୍ଗାପୁର ଆଦି ଗସ୍ତ କରିଥିଲେ।

ସମାଜସେବାକୁ ମୂଳ ଆଧାର କରିଥିବା ଶ୍ରୀ ଦାସ ରାଜ୍ୟପାଳଙ୍କ ସମେତ ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନ, ଯଥା-ପ୍ରଣବାନନ୍ଦ ସରସ୍ୱତୀ ଶାନ୍ତି ପୁରସ୍କାର (ଦିଲ୍ଲୀ), ବରିଷ୍ଠ ନାଗରିକ ପୁରସ୍କାର (ରାଉରକେଲା), ଆଚାର୍ଯ୍ୟ ହରିହର ଓ ଗୋପବନ୍ଧୁ ଚୌଧୁରୀ ସମ୍ମାନ, ମୁରଲୀଧର ପରିଜା ସ୍ମୃତି ସମ୍ମାନ, ରାଉରକେଲା ରତ୍ନ, ଉତ୍କଳମଣି ଗୋପବନ୍ଧୁ ସମ୍ମାନ, ଖଦି ଅନୁଷ୍ଠାନ(ଜଳନ୍ଧର), ଆହ୍ୱାନ ଫାଉଣ୍ଡେସନ, ରାଉରକେଲା ଜିଲା କଂଗ୍ରେସ ଆଦି ଏକାଧିକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ ଅକାଳ ବିୟୋଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ପୁର୍ବତନ ବିଧାୟକ ଜର୍ଜ ତିର୍କୀ, ପ୍ରଭାତ ମହାପାତ୍ର, ବିଶିଷ୍ଟ ଶ୍ରମିକ ନେତା ବିଷ୍ଣୁ ମହାନ୍ତି, ବିଭିନ୍ନ ସ୍ବେଚ୍ଛାସେବୀ, ସାମାଜିକ ସଂଗଠନର ସଂଜୀବ ମହାନ୍ତି, ହିମାଂଶୁ ବଳ, ପ୍ରଶାନ୍ତ ବେହେରା, ବୈଦ୍ୟନାଥ ଦାସ, ନିରଞ୍ଜନ ସାମଲଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe