ଅନୁଦାନ ଅଭାବ, ଅଧାରେ ଅଟକିଛି ପାଠାଗାର

Advertisment
ଅନୁଦାନ ଅଭାବ, ଅଧାରେ ଅଟକିଛି ପାଠାଗାର

ଜୟପୁର: ଜୟପୁର ଟାଉନହଲ୍ ଓ ବିଜୁ ପଟ୍ଟନାୟକ ପାର୍କ ମଧ୍ୟ ଭାଗରେ ପୌରପାଳିକା ପକ୍ଷରୁ ନିର୍ମାଣାଧୀନ ରହିଛି ପାଠାଗାର। ତେବେ ଏହି ପାଠାଗାର ପାଇଁ ଅନୁଦାନ ଅଭାବ ଯୋଗୁଁ ସଂପୁର୍ଣ୍ଣ ହୋଇ ପାରିନି। ପୌରପାଳିକା ପକ୍ଷରୁ ଅତ୍ୟାଧୁନିକ ପାଠାଗାର ନିର୍ମାଣ କରାଯିବାର ଯୋଜନା କରାଯାଇଥିଲା। ତେବେ ମିଳିଥିବା ଅନୁଦାନରୁ କେବଳ କୋଠା ଓ ଗେଟ୍ ନିର୍ମାଣ ହେବା ପରେ ଅଧାରେ ଅଟକି ରହିଛି।

ସୂଚନାଯୋଗ୍ୟ, ଜିଲ୍ଲା ମିନେରାଲ ଫଣ୍ଡ(ଡିଏମଏଫ)ରୁ ୩୫ଲକ୍ଷର ଅନୁଦାନରେ ଜୟପୁର ଟାଉନହଲ୍ ଓ ବିଜୁ ପଟ୍ଟନାୟକ ପାର୍କ ମଧ୍ୟ ଭାଗରେ ପୌରପାଳିକା ଅତ୍ୟାଧୁନିକ ପାଠାଗାର ନିର୍ମାଣ ଆରମ୍ଭ ହୋଇଥିଲା। ମିଳିଥିବା ଅନୁଦାନରେ କୋଠା ଓ ଗେଟ୍ ହିଁ ନିର୍ମାଣ ହୋଇପାରିଥିଲା। ଅଧିକା ପାଇଁ ଆହୁରି ଟଙ୍କାର ଆବଶ୍ୟକତା ରହିଥିଲା।ତେବେ ପୌରପାଳିକା ନିକଟରେ ଆଉ ଟଙ୍କା ନଥିବାରୁ କାମ ସେତିକିରେ ବନ୍ଦ କରାଯାଇଥିଲା। ଏହାର ପରିସରରେ ଅତ୍ୟାଧୁନିକ ଇ-ଲାଇବ୍ରେରୀ, ଫ୍ରି ୱାଇଫାଇ, ପାଠକ ପାଇଁ ସ୍ବତନ୍ତ୍ର ଚାମ୍ବର ଓ ଶୀତତାପ ନିୟନ୍ତ୍ରିତ ପାଠାଗାର ନିର୍ମାଣ କରାଯିବାର ଯୋଜନା ରହିଛି।

ଏଠାରେ ବିଭିନ୍ନ ସର୍ବଭାରତୀୟ ଓ ରାଜ୍ୟସ୍ତରୀୟ ପ୍ରଶାସନିକ ସେବା ସହ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବି ବହି ସହ ଅତ୍ୟାଧୁନିକ ସେବା ଉପଲବ୍ଧ କରାଇବା ଲକ୍ଷ୍ୟ ରହିଛି। ଛାତ୍ରଛାତ୍ରୀ ଓ ଶିକ୍ଷିତ ଯୁବକ, ଯୁବତୀ, ପାଠକମାନେ ଏହା ପରିସରକୁ ଆସି ମାଗଣାରେ ସେବାର ଲାଭ ଉଠାଇଥାନ୍ତେ। ବର୍ତ୍ତମାନ ପୁଣି ପୌରପାଳିକା ପକ୍ଷରୁ ଡିଭୋଲେସନ୍ ଫଣ୍ଡରୁ ପ୍ରାୟ ୨୦ଲକ୍ଷର ଖର୍ଚ୍ଚ କରି ଏହି ବର୍ଷ କାମ ଆରମ୍ଭ କରାଯାଉଛି ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ସଂପ୍ରତି ଏହି କୋଠା ମଧ୍ୟରେ ବ୍ୟକ୍ତିଗତ ବକ୍ସ ସହ ଭିତରର ସୌନ୍ଦର୍ଯ୍ୟକରଣ କାମ ସହ ସମ୍ମୁଖରେ ଫେଭର ବ୍ଲକ ପକାଯିବାର ବି ଯୋଜନା ରହିଛି ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe